ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରକୁ ଓହ୍ଲାଇଛନ୍ତି। ଆଜି ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ଏକ ରୋଡ୍‌ ସୋ’ କରି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କରିଛନ୍ତି। ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ବସ୍‌ରେ ମୁଖ୍ୟମନ୍ତ୍ରୀ ଗଙ୍ଗନଗରଠାରୁ ହାଇଭୋଲଟେଜ୍‌ ରୋଡ୍‌ ସୋ’ ଆରମ୍ଭ କରିଥିଲେ। ଏହା ମଧ୍ୟ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ପାରମ୍ପରିକ ବାଦ୍ୟ ଓ ‌ଯୋଡ଼ି ଶଙ୍ଖ ଶବ୍ଦରେ ପ୍ରକମ୍ପିତ ହୋଇଥିଲା ପୂରା ଅଞ୍ଚଳ। ବିଭିନ୍ନ ଛକରେ ଦଳୀୟ କର୍ମୀ ଓ ନେତା ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ରୋଡ୍‌ ସୋ’ ବେଳେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି କହିଲେ, ଆପଣ ସମସ୍ତଙ୍କୁ ମୋର ନମସ୍କାର। ଆପଣମାନେ ଭଲ ଅଛନ୍ତି ବୋଲି ପଚାରିଥିଲେ। ଜୁଲାଇରୁ ଆପଣଙ୍କୁ ମାଗଣା ବିଜୁଳି ମିଳିବ। ମାଗଣା ବିଜୁଳି ମିଳିବା ନେଇ ଆପଣମାନେ ଖୁସି ତ ବୋଲି ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ ହାତ ହଲାଇ ଉପସ୍ଥିତ ଜନତାଙ୍କୁ ଅଭିବାଦନ ଜଣାଇବା ସହ ଭୁବନେଶ୍ବର ସାଂସଦ ଓ ମଧ୍ୟ ବିଧାୟକ ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅପିଲ୍ କରିଥିଲେ। ଓଡ଼ିଶା ଲୋକଙ୍କ ସହ ମୁଁ ସବୁ ବେଳେ ଆନନ୍ଦିତ ବୋଲି କହିଥିଲେ ନବୀନ।

Advertisment

ଗଙ୍ଗନଗରରୁ ରୋଡ ସୋ ଆରମ୍ଭ ହୋଇ ୟୁନିଟ୍‌ ୮ ଗୋପବନ୍ଧୁ ଛକ, ଡିଏଭି ସ୍କୁଲ୍‌ ସମ୍ମୁଖରେ ଜନସାଧାରଣଙ୍କୁ ସମ୍ବୋଧନ କରିଥିଲେ। ଏହା ପରେ ନୂଆପଲ୍ଲୀ ନୂଆ ସାହି ଦେଇ ଜାତୀୟ ରାଜପଥକୁ ବାହାରିଥିଲେ। ଜାତୀୟ ରାଜପଥରୁ ଆଚାର୍ଯ୍ୟ ବିହାର, ବାଣୀବିହାର ଦେଇ ରୁପାଲି ଛକକୁ ଆସିଥିଲେ। ସେଠାରେ ଜନସାଧାରଣଙ୍କୁ ପୁନର୍ବାର ସମ୍ବୋଧିତ କରିଥିଲେ। ସେଠାରୁ ରାମମନ୍ଦିର ଛକ, ରାଜମହଲ ଦେଇ ରୋଡ୍‌ ସୋ’ ଶିଶୁଭବନ ପର୍ଯ୍ୟନ୍ତ ଆସିଥିଲା। ନବୀନଙ୍କ ରୋଡ୍‌ ‌ସୋ ପାଇଁ ଦଳୀୟ ନେତା ଓ କର୍ମୀ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଜନପଥରେ ପ୍ରବଳ ଜନସମାଗମ ହୋଇଥିଲା। ରାସ୍ତାର ଦୁଇ ପାଖରେ ଲୋକେ ଅଟକି ରହି ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ରୋଡ ସୋ’ ପାଇଁ ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କମିସନରେଟ ପୁଲିସର ବରିଷ୍ଠ ଅଧିକାରୀମାନେ ପ୍ରତ୍ୟେକ ଛକରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ୍‌ କରିଥିଲେ। ଏହି କାର୍ଯ୍ୟକ୍ରମରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ଭୁବନେଶ୍ବର ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ।