ଭୁବନେଶ୍ବର: ନୀତି ଆୟୋଗର ଷଷ୍ଠ ବୈଠକରେ ଯୋଗଦେଇ ଖୁବ କଡାକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚିତ ସରକାରଙ୍କ ପ୍ରତ୍ୟେକ କାମକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖାଯାଉଛି । ଏହା ଦେଶର ଉନ୍ନତି ଓ ବିକାଶ କାମରେ ବଡ ବାଧକ । ଏଥିସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ରରେ ନିର୍ବାଚନର ଆବଶ୍ୟକତା ରହିଛି । ହେଲେ ନିର୍ବାଚିତ ହେବାପରେ ସରକାର ଦଳମତ ନିର୍ବିଶେଷରେ ଲୋକଙ୍କ ହିତ ପାଇଁ କାମ କରିବା ଦରକାର । ତେଣୁ ଦେଶରେ ନିର୍ବାଚନୀ ବାତାବରଣରୁ ବାହାରି ଲୋକଙ୍କ ପାଇଁ କାମ କରିବାର ବେଳ ଆସିଛି । ପ୍ରତ୍ୟେକ ଅପରାଧକୁ ରାଜନୀତିକରଣ କରାଯାଉଛି, ଯାହା ଦେଶର ଶାନ୍ତି ପାଇଁ ବଡ ବିପଦ।
ବୈଠକରେ ଜାତୀୟ ଦଳଗୁଡିକୁ ଟାର୍ଗେଟ କରିଛନ୍ତି ନବୀନ । ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ସଂରକ୍ଷଣ ପାଇଁ ଜାତୀୟ ଦଳଗୁଡିକ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ଅବହେଳା କଲେ ଇତିହାସ କ୍ଷମା କରିବ ନାହିଁ ବୋଲି ଅତି କଡା ଶବ୍ଦରେ କହିଛନ୍ତି ନବୀନ । ଅବହେଳିତ କ୍ଷେତ୍ର ଏବଂ ସମ୍ବେଦନଶୀଳ ଲୋକଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ସର୍ବଭାରତୀୟସ୍ତରୀୟ ପ୍ରବେଶିକା ପରୀକ୍ଷା ପଦ୍ଧତିରେ ପରିବର୍ତନ ଆଣିବାକୁ ସେ ପ୍ରସ୍ତାବ ଦେଇଛନ୍ତି।
ବିଶ୍ୱ ମହାମାରୀ କରୋନା ଯେଉଁ ଆହ୍ୱାନ ସୃଷ୍ଟି କରିଛି ତାର ମିଳିତ ମୁକାବିଲା ପାଇଁ ପରାମର୍ଶ ଦେଇଛନ୍ତି ନବୀନ ପଟ୍ଟନାୟକ । ଆମେରିକା ଓ ୟୁରୋପୀୟ ଦେଶଗୁଡିକରେ ଏହାର ଅଭାବ ଦେଖା ଦେଇଥିଲା । ଆମ ଦେଶରେ ଏହିଭଳି ମିଳିତ ଉଦ୍ୟମର ଆବଶ୍ୟକତା ରହିଛି । ସଂଘୀୟ ବ୍ୟବସ୍ଥାରେ ଏହା ଜରୁରୀ ମଧ୍ୟ । ସଂକୀର୍ଣ୍ଣ ରାଜନୀତିରୁ ଉପରକୁ ଉଠି ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଥିବା ବିଭିନ୍ନ ଜଟିଳ ପ୍ରସଙ୍ଗରେ ମିଳିତ ପ୍ରୟାସକୁ ହିଁ ଇତିହାସ ମନେ ରଖିବ ବୋଲି ଚେତାଇ ଦେଇଛନ୍ତି ନବୀନ।
ଅନ୍ୟପକ୍ଷରେ ନବୀନଙ୍କ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଅପରାଧର ରାଜନୀତୀକରଣ କରିବା କୌଣସି ଦଳର ଲକ୍ଷ୍ୟ ନୁହେଁ। ଦୋଷୀ ଧରାପଡିବ ନାହିଁ, ଦୋଷୀକୁ ଯଦି ସରକାର ଘଣ୍ଟ ଘୋଡାଇବେ ଏବଂ ବିରୋଧୀ ସେ ପ୍ରସଙ୍ଗ ଉଠାଇଲେ ତାକୁ ପଲିଟିସାଇଜ କରିବା ବୋଲି ସରକାର ଭାବୁଛନ୍ତି ମୁଁ ଦୁଃଖ ପ୍ରକାଶ କରୁଛି। ଓଡିଶା ସରକାର ନିଜକୁ ସମୀକ୍ଷା କରନ୍ତୁ, ନିଜକୁ ବଞ୍ଚାଇବା ପାଇଁ ରାଜନୀତି କରୁଛନ୍ତି କି ନାହିଁ ? ନିଜ ଆଇନାରେ ନିଜକୁ ଦେଖନ୍ତୁ ଭୁଲ କରୁଛନ୍ତି କି ନାହିଁ?୫୦୦ କୋଟି ଟଙ୍କା ନେଇ ବିଜୁ ଯୁବବାହିନୀ କରିବା ରାଜନୈତିକ ଅଭିସନ୍ଧି ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/niti-ayog-copy.jpg)