ଭୁବନେଶ୍ବର: ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଅସ୍ତ୍ରୋପଚାର ହୋଇଛି। ସର୍ଭିକାଲ୍‌ ଆଥ୍ରାଇଟ୍‌ସରେ ପୀଡ଼ିତ ନବୀନଙ୍କର ଅସ୍ତ୍ରୋପଚାର ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ହୋଇଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ତାଙ୍କର ଅପରେସନ୍ ହୋଇଥିଲା। ଏସିଆନ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ବିଶେଷଜ୍ଞମାନେ ‌ଏଥିରେ ସାମିଲ ହୋଇଥିଲେ। ହସ୍ପିଟାଲରେ ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଓ ଭାଉଜ ଉପସ୍ଥିତ ଥିବା ଜଣାପଡ଼ିଛି।

Advertisment

ଡାକ୍ତର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରୁ ଅସ୍ତ୍ରୋପଚାର ସଫଳ ହୋଇଛି। ଶ୍ରୀ ପଟ୍ଟନାୟକ ଏବେ ସୁସ୍ଥ ଅଛନ୍ତି ଓ ଠିକ୍ ଭାବେ କଥା ହୋଇପାରୁଛନ୍ତି। ଦୁଇରୁ ତିନି ଦିନ ଅବଜର୍‌ଭେସନ୍‌ରେ ରହିବେ। ୫ରୁ ୭ ଦିନ ଭିତରେ ଡିସ୍‌ଚାର୍ଜ ହେବେ। ବିରୋଧୀ ଦଳ ନେତାଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେଡି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା, ଦୀପଦାନ କରାଯାଇଛି।