ସାଂପ୍ରତିକ ଅସାଧାରଣ ପରିସ୍ଥିତିରେ ମଣିଷ ପଣିଆର ନୂଆ ଏକ ନିଦର୍ଶନ ସୃଷ୍ଟି କରିବାକୁ ରାଜ୍ୟବାସୀଙ୍କୁ ଆହ୍ଵାନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସଂପ୍ରତି ମହାମାରୀ କରୋନା ଭାଇରସ୍‌କୁ କେନ୍ଦ୍ରକରି ସମଗ୍ର ବିଶ୍ୱରେ ଏକ ଅସାଧାରଣ ପରିସ୍ଥିତି ସୃଷ୍ଟି ହୋଇଛି। ଏପ୍ରକାରର ଅସାଧାରଣ ପରିସ୍ଥିତରେ ସମସ୍ତେ ସଂଯମ ଆଚରଣ ପ୍ରଦର୍ଶନ ସହ ନିଜ ନିଜ ଆଚରଣରେ ସଂଯମତା ରକ୍ଷା କରିବାର ନିହାତି ଆବଶ୍ୟକତା ରହିଛି। ତେବେ, ଗତକାଲି କରୋନାକୁ କେନ୍ଦ୍ରକରି ରାଜ୍ୟରେ ଏପରି ଦୁଇଟି ଘଟଣା ଘଟିଯାଇଛି, ଯାହାକି ସମଗ୍ର ବିଶ୍ୱରେ ସବୁଠାରୁ ସଭ୍ୟ, ମାର୍ଜିତ, ସଂସ୍କୃତି ସଂପନ୍ନ ଓ ଶାନ୍ତ ରାଜ୍ୟ ରୂପେ ବିବେଚିତ ହେଉଥିବା ଓଡ଼ିଶାର ସମ୍ମାନରେ ପ୍ରଶ୍ନଚିହ୍ନ ଲଗାଇଛି। ଖାଲି ଏତିକି ନୁହେଁ; ଘଟି ଯାଇଥିବା ଘଟଣା ଦୁଇଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଗଭୀର ଭାବେ ମର୍ମାହତ କରିଛି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କର ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ।

ସାମ୍ବାଦିକମାନଙ୍କୁ ଘଟଣା ଦୁଇଟି ସଂପର୍କରେ ସୂଚନା ଦେଇ ପ୍ରମୁଖ ମୁଖପାତ୍ର ଶ୍ରୀ ବାଗଚୀ କହିଛନ୍ତି ଯେ ପ୍ରଥମ ଘଟଣାରେ କରୋନା ସତର୍କତା କାର୍ଯ୍ୟକ୍ରମ ଅନୁଯାୟୀ ଜଣେ ବିଦେଶ ଫେରନ୍ତା ବ୍ୟକ୍ତି ଏକାନ୍ତବାସ (ଆଇସୋଲେସନ୍‌)ରେ ୧୪ ଦିନ ରହି ସାରିବା ପରେ ମଧ୍ୟ ତାଙ୍କ ପାଖ ପଡ଼ୋଶୀ ଏବେ ତାଙ୍କର ଘରକୁ ଫେରିବାରେ ପ୍ରତିବନ୍ଧକ ସାଜିଛନ୍ତି। ପାଖ ପଡ଼ୋଶୀମାନେ ସଂପୃକ୍ତ ବ୍ୟକ୍ତିଙ୍କ ପରିବାର ଉପରେ ଚାପ ପକାଇବା ସହ ଧମକଚମକ ଦେଇ ତାଙ୍କୁ ଘରକୁ ନଆଣି ଅନ୍ୟତ୍ର ପଠାଇ ଦେବାକୁ ବାଧ୍ୟ କରୁଛନ୍ତି। ଏପରି ଘଟଣା ଲଜ୍ଜାଜନକ ହୋଇଥିବା ବେଳେ ମଣିଷ ପଣିଆର ସମସ୍ତ ସୀମା ସରହଦ୍‌କୁ ପାର କରିଯାଇଛି।

ସେହିପରି ବିଦେଶୀମାନଙ୍କ ଠାରୁ କରୋନା ଭାଇରସ୍‌ ବ୍ୟାପୁଛି ବୋଲି ଗତକାଲି ରାଜ୍ୟରେ ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ କିଛି ଲୋକ ଧରିନେଇ ଲାଞ୍ଛନା ଦେବା ସହ ତାଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରି ତାଙ୍କୁ ମାଡ଼ ମାରିବାକୁ ସୁଦ୍ଧା କୁଣ୍ଠାବୋଧ କରି ନାହାନ୍ତି। ଗତକାଲି ଘଟି ଯାଇଥିବା ଏହି ଘଟଣା ଦୁଇଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର ଭାବେ ମର୍ମାହତ କରିଛି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କର ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ମୁଖପାତ୍ର ଶ୍ରୀ ବାଗଚୀଙ୍କ ମାଧ୍ୟମରେ କହିଛନ୍ତି ଯେ ଓଡ଼ିଶା ହେଉଛି ଗୋପବନ୍ଧୁ ଓ ଭୀମଭୋଇଙ୍କ ନୀତି ଓ ଆଦର୍ଶ ଉପରେ ବିଶ୍ୱାସ ରଖୁଥିବା ଏକ ରାଜ୍ୟ। ବନ୍ୟା ସମୟରେ ବନ୍ୟା ବିପନ୍ନମାନେ ଯେତେବେଳେ ଉର୍ଦ୍ଧ୍ୱ ବାହୁ ହୋଇ ରକ୍ଷାକର ରକ୍ଷାକର ଡାକ ଛାଡ଼ୁଥିଲେ ସେତେବେଳେ ଗୋପବନ୍ଧୁ ତାଙ୍କ ରୋଗିଣା ଶିଶୁ ଓ ପରିବାରକୁ ଛାଡ଼ି ଦେଇ ବାହାରି ଯାଇଥିଲେ ବନ୍ୟା ବିପନ୍ନଙ୍କ ଉଦ୍ଧାର ପାଇଁ। ସେହିପରି ସନ୍ଥକବି ଭୀମଭୋଇ ଲେଖିଥିଲେ, ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ପାଉ’…। ଖାଲି ଏତିକି ନୁହେଁ ଓଡ଼ିଶାର ସମୃଦ୍ଧ ସଂସ୍କୃତି ‘ବସୁଧୈବ କୁଟୁମ୍ବକମ୍‌’ ଓ ‘ଅତିଥି ଦେବୋ ଭବଃ’ ଉପରେ ଆଧାରିତ। ତେଣୁ, ଓଡ଼ିଶାବାସୀଙ୍କ ଠାରେ ଏ ପ୍ରକାର ଆଚରଣ ଶୋଭା ପାଏନାହିଁ। ସଂସ୍କୃତି ଓ ପରମ୍ପରାରେ ସମୃଦ୍ଧ ରାଜ୍ୟବାସୀ ସଂପ୍ରତି ସୃଷ୍ଟି ହୋଇଥିବା ଅସାଧାରଣ ପରିସ୍ଥିତିରେ ଏ ପ୍ରକାର ଆଚରଣ ପ୍ରଦର୍ଶନରୁ କ୍ଷାନ୍ତ ରହି ମଣିଷ ପଣିଆର ନୂଆ ଏକ ନିଦର୍ଶନ ସୃଷ୍ଟି କରିବାକୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସମ୍ବନ୍ଧିତ ଖବର