ଭୁବନେଶ୍ବର: ଚାଷ ଓ ଚାଷୀଙ୍କ ସମସ୍ୟା, ଧାନ କିଣାରେ ଆଖିବୁଜା ଲୁଟ୍, କଟନିଛଟନି ଏବଂ ଅନଶନରତ ନବନିର୍ମାଣ କୃଷକ ସଂଗଠନ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସହ ସରକାର ଆଲୋଚନା ନକରିବା ପ୍ରତିବାଦରେ ଆଜି ଲୋୟର ପିଏମ୍‌ଜିସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି। ନବନିର୍ମାଣ କୃଷକ ସଂଗଠନର କର୍ମୀମାନେ ବ୍ୟା‌ରିକେଡ୍‌ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମୁଖ୍ୟ ଫାଟକ ନିକଟକୁ ପଳାଇ ଯାଇଥିଲେ। ଘର ଭିତରକୁ ଧସେଇ ପ‌ଶିବାକୁ ଉଦ୍ୟମ ବେଳେ ବିକ୍ଷୋଭକାରୀଙ୍କୁ ପୁଲିସ ଉଠାଇ ନେଇଥିଲା। ‌ତେବେ ସୁରକ୍ଷା ବ୍ୟବସ୍ଥାରେ ଏଭଳି ବଡ଼ ଧରଣର ତ୍ରୁଟି ଦେଖିବାକୁ ମିଳିଥିବାରୁ ପୁଲିସ୍‌ କମିସନର ଏସ୍‌ ଦେବଦତ୍ତ ସିଂହ ଘଟଣାସ୍ଥଳକୁ ଆସି ଦାୟିତ୍ବରେ ଥିବା ଅଧିକାରୀଙ୍କୁ ତାଗିଦ୍‌ କରିଥିଲେ। 

Advertisment

ସୂଚନାଯୋଗ୍ୟ ଯେ, ଗତ ୨୦ ଦିନ ଧରି ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଅନଶନରେ ବସିଛନ୍ତି। ହେଲେ ତାଙ୍କ ସହିତ ଆଲୋଚନା କରିବାକୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ ଆସିନାହାନ୍ତି। ପ୍ରତିବାଦରେ ଆଜି ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହସଂଯୋଜକ ଉମାକାନ୍ତ ଭାରତ ଓ ଯୁବଛାତ୍ର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିଥିଲେ। ହେଲେ ଆନ୍ଦୋଳନ ବାବଦରେ ଗୁଇନ୍ଦା ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଥିବା ‌ପ୍ରମାଣିତ ହୋଇଛି। ଆନ୍ଦୋଳନକାରୀମାନେ ପୁଲିସ୍‌ ସହ ଧସ୍ତାଧସ୍ତି ହେବା ପରେ ଦୁଇଟି ବ୍ୟାରିକେଡ୍‌ ଡେଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମୁଖ୍ୟ ଫାଟକ ନିକଟକୁ ଚାଲିଯାଇଥିଲେ। ଯଦିଓ ପରେ ଆନ୍ଦୋଳନକାରୀଙ୍କୁ ପୁଲିସ୍‌ କାବୁ କରିବା ସହ ‌ସେମାନଙ୍କୁ କ୍ୟାପିଟାଲ୍‌ ଥାନା ଓ ପୁଲିସ ବାରାକ୍‌ରେ ଅଟକ ରଖିଥିଲା। କିନ୍ତୁ ଆନ୍ଦୋଳନକାରୀଙ୍କ ଏଭଳି ପଦକ୍ଷେପ ବିଷୟରେ ଗୁଇନ୍ଦା କର୍ମଚାରୀମାନେ କିପରି ଜାଣିପାରି ନଥିଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ଆଜିର ବିକ୍ଷୋଭରେ ସଂଗଠନର ରାଜ୍ୟ କମିଟି ସଭ୍ୟ ଦେବୀ ପ୍ରସାଦ ମହାରଣା, ଗଜପତି ପ୍ରଭାରୀ ରଣଜିତ ପଟ୍ଟନାୟକ, ଢେଙ୍କାନାଳ ପ୍ରଭାରୀ ଅଶ୍ବିନୀ ଜେନା, ମାଧବ ଶାନ୍ତି, ବଲ୍ଲଭ ନାୟକ, ନିରଂଜନ ପ୍ରଧାନ, ଖଗେଶ୍ବର ମହାନ୍ତ, ଜୟନ୍ତ ତ୍ରିପାଠୀ, ମଦନ ସାହୁ, ଅଭିମନ୍ୟୁ ଗୁମାନସିଂ, ରୂପେଶ ରାଉତ, ରୀତାଞ୍ଜଳି ରାଉତ, ବିଚିତ୍ର ପଣ୍ଡା, ଅଙ୍କୁର ପଲେଇ, ରଘୁନାଥ ନାୟକ, ଅଶୋକ ସ୍ବାଇଁ, ହୃଷିକେଶ ରାଉତ, ପ୍ରସନ୍ନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।