ଭୁବନେଶ୍ବର : ପ୍ରାଇସ୍, ପେନ୍ସନ୍, ପ୍ରେଷ୍ଟିଜ୍ ସମେତ ସମାନ ଶିକ୍ଷା ଓ ସ୍ବାସ୍ଥ୍ୟସେବା ସହ ୧୮ଦଫା ଦାବି ପୂରଣ ହେଉଛି ମୂଳ ଲକ୍ଷ୍ୟ। ମାର୍ଚ୍ଚ ମାସ ବଜେଟ୍ରେ ଚାଷୀମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ୍ ବଜେଟ୍ର ଅଧା ବା ବିପୁଳ ଭାଗ ଅର୍ଥ ବରାଦ ନକଲେ ପରିସ୍ଥିତି ଭୟଙ୍କର ହେବ। ଚାଷୀମାନଙ୍କୁ ମାସିକ ୫ ହଜାର ଟଙ୍କାର ସୁରକ୍ଷା ଭତ୍ତା ନ ଦେଲେ, ମେ’ ମାସରେ ୧୦ ଲକ୍ଷ ଚାଷୀ ରାଜଧାନୀର ରାଜରାସ୍ତାକୁ ଓହ୍ଲାଇବେ। ସେହିଭଳି ଦିଲ୍ଲୀ ରାମଲୀଳା ମଇଦାନରେ ସାରା ଭାରତରୁ ଏକ ଲକ୍ଷ ଚାଷୀ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ଚକ ଅଖ ଜାମ୍ କରିବେ। ନବନିର୍ମାଣ କୃଷକ ସଂଗଠନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏଭଳି କଣ୍ଟ ଦେଇଛି। ବୁଧବାର ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ସଂଗଠନର ୨ୟ ରାଷ୍ଟ୍ରୀୟ ସମ୍ମିଳନୀରେ କର୍ମକର୍ତାମାନେ ଏହି ଚେତାବନୀ ଶୁଣାଇଛନ୍ତି।
ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ମହାରାଷ୍ଟ୍ର ଭଳି ବାହାର ରାଜ୍ୟର ଚାଷୀ ଓ ଚାଷୀ ପ୍ରତିନିଧିମାନଙ୍କ ସହ ବିଭିନ୍ନ କୃଷକ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ମହାରାଷ୍ଟ୍ରର ବିବେକାନନ୍ଦ ମାର୍ଥେ, ଝାଡ଼ଖଣ୍ଡର ବିନୋଦ ଜୀ, ବିହାରର ହିମାଂଶୁ, ଉତ୍ତରପ୍ରଦେଶର ପ୍ରବୀଣ ଭରଦ୍ବାଜ, ପଶ୍ଚିମବଙ୍ଗର ଗୌତମ ପାଲ୍, ମଧ୍ୟପ୍ରଦେଶର ପ୍ରଭାତ ଜୀ ଓ ରାକେଶ ରଫିକ୍ ପ୍ରମୁଖ ଏହି ସମ୍ମଳନୀରେ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ଉପରେ ବକ୍ତବ୍ୟ ରଖିଥିଲେ। ଦେଶର କୃଷିକୁ କର୍ପୋରେଟ୍ ଜଗତ ହାତକୁ ଟେକି ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଥିବା ବିରୋଧରେ ଦେଶବ୍ୟାପୀ ଜନ ଆନ୍ଦୋଳନ କରାଯିବ ବୋଲି ସେମାନେ କହିଥିଲେ। ଓଡ଼ିଶାରୁ କୃଷକ ନେତା ନିମାଇ ରାୟ, ଆଇନଜୀବୀ ଶିବାନନ୍ଦ ରାୟ, ସଂଗଠନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ଦାସ, ଉମାକାନ୍ତ ଭାରତ ପ୍ରମୁଖ ନବୀନ ସରକାରଙ୍କ ଲୋକଦେଖାଣିଆ କୃଷି ନୀତିକୁ ସମାଲୋଚନା କରିଥିଲେ। କାଳିଆ ଯୋଜନାରେ ୨୪ ଲକ୍ଷ ଚାଷୀ ବାଦ୍ ପଡ଼ିଥିବାରୁ କଟୁ ସମାଲୋଚନା କରିଥିଲେ। ସମ୍ମିଳନୀ ଆୟୋଜନର ଲକ୍ଷ୍ୟ ବାବଦରେ ଅକ୍ଷୟ କୁମାର ସାମ୍ବାଦିକମାନଙ୍କୁ କହିଥିଲେ କି ନବନିର୍ମାଣ କୃଷକ ସଂଗଠନକୁ ଏକ ରାଷ୍ଟ୍ରୀୟ ଆନ୍ଦୋଳନର ରୂପ ଦେବା ହେଉଛି ମୂଳ ଲକ୍ଷ୍ୟ। ସଂଗଠନକୁ ଜାତୀୟସ୍ତରକୁ ନେବା ଲକ୍ଷ୍ୟରେ ଆୟୋଜନ କରାଯାଇଥିବା ଏହି ୨ୟ ସମ୍ମିଳନୀ ଦ୍ବାରା ପଡ଼ୋଶୀ ରାଜ୍ୟର କର୍ମକର୍ତ୍ତାମାନେ ଉତ୍ସାହିତ ହେବେ ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/m4.jpg-krushak.jpg)