ଚାଷୀ ନେତା ଅକ୍ଷୟ କୁମାରଙ୍କ ଅନଶନ ୧୦ଦିନରେ

ଭୁବନେଶ୍ବର : କାଳିଆ ଯୋଜନାରୁ ଅର୍ଥ କାଟ୍‌ ବିରୋଧରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ଚାଲିଥିବା ଅନଶନ ଆଜି ୧୦ ଦିନରେ ପହଞ୍ଚିଛି। ଆଜି ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଭାଜପା ଭୁବନେଶ୍ବର ଜିଲ୍ଲା ସଭାପତି ହରି ଖୁଣ୍ଟିଆ, ବାବୁ ସିଂ, ଜଗନ୍ନାଥ ପ୍ରଧାନ ଓ ବିଶ୍ବରଂଜନ ବଡ଼ଜେନା ପ୍ରମୁଖ ଅକ୍ଷୟ କୁମାରଙ୍କୁ ଭେଟି ଆଲୋଚନା କରିଛନ୍ତି। ରାଜ୍ୟର ଚାଷୀଙ୍କ ସହ ସରକାର କରିଥିବା ଧୋକାବାଜିକୁ ରାଜନୈତିକ ନେତୃମଣ୍ଡଳୀ ନିନ୍ଦା କରିଥିଲେ। ଅପରପକ୍ଷରେ ଆଜି ଖୋର୍ଧା, ନୟାଗଡ଼, ଜଗତସିଂହପୁର, କଟକ ଓ ଯାଜପୁରରେ କାଳିଆ ଯୋଜନା ଚାଷୀଙ୍କୁ ହୋଇଥିବା ପ୍ରତାରଣା ଓ ଅକ୍ଷୟ କୁମାରଙ୍କ ଅନଶନକୁ ସମର୍ଥନ ଜଣାଇ ଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ରାଜଧାନୀରେ ସଂଗଠନର ଯୁବଛାତ୍ର ସଂଗଠନ ପକ୍ଷରୁ ଏକ ‌ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସଂଗଠନର ରାଜ୍ୟ ସଂଯୋଜକ ମନୱର୍‌ ଅଲ୍ଲୀଙ୍କ ନେତୃତ୍ବ‌ରେ ମାଷ୍ଟର କ୍ୟାଣ୍ଟିନ୍ ଛକରୁ ଏହି ଶୋଭାଯାତ୍ରା ରାଜମହଲ ଛକରେ ପହଞ୍ଚିଥିଲା। ଶୋଭାଯାତ୍ରାରେ ସାଇପ୍ରସାଦ ପଲାଇ ଓ ଯୋଶୋ ପ୍ରମୁଖ ଏଥିରେ ନେତୃତ୍ବ ନେଇଥିଲେ। ଆସନ୍ତା ୬ ତାରିଖରେ ଅକ୍ଷୟ କୁମାରଙ୍କ ଅନଶନକୁ ସମର୍ଥନ ଜଣାଇ ରାଜ୍ୟବ୍ୟାପୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର