ଅନଶନରେ ବସିଲେ ୧୮୭ ଚାଷୀ

ରାଜଧାନୀରେ ନବନିର୍ମାଣ କୃଷକ ସଂଗଠନର ସତ୍ୟାଗ୍ରହ ଆରମ୍ଭ

ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ଆନ୍ଦୋଳନ
ପ୍ରତିଦିନ ବିଭିନ୍ନ ଜିଲ୍ଲାରୁ ଯୋଗଦେବେ ହଜାର ହଜାର ଚାଷୀ

ଭୁବନେଶ୍ୱର : ଚାଷୀଙ୍କୁ ସମ୍ମାନ, ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଓ ପେନସନ୍‌ ଦାବି ନେଇ ଆନ୍ଦୋଳନ ଚଳାଇଥିବା ନବନିର୍ମାଣ କୃଷକ ସଂଗଠନ ଆଜିଠାରୁ ରାଜଧାନୀରେ ଗଣ ସତ୍ୟାଗ୍ରହ ଓ ଅନଶନ ଆରମ୍ଭ କରିଛି। ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଲୋୟର ପିଏମ୍‌ଜିରେ ଆରମ୍ଭ ହୋଇଥିବା ଏହି ଅନଶନ ଓ ସତ୍ୟାଗ୍ରହରେ ଉପକୂଳ ଓଡ଼ିଶା ସମେତ ଅନ୍ୟାନ୍ୟ ଜିଲ୍ଲାର ହଜାର ହଜାର ଚାଷୀ ସାମିଲ ରାଜ୍ୟ ସରକାରଙ୍କୁ ନିଜର ହକ୍‌ ମାଗିଛନ୍ତି। ଆଜି ପ୍ରଥମ ଦିନରେ ୧୮୭ଜଣ ଛାଷୀ ଅନଶନ ଆରମ୍ଭ କରିଛନ୍ତି। ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଚାଷୀ ଲୋୟର ପିଏମ୍‌ଜିରେ ଏକାଠି ହେବେ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

ଚାଷୀ ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ କୁମାର କହିଲେ, ୨୦୧୦ ମସିହାରୁ ଲଗାତାର ଭାବେ ସଂଗଠନ ଚାଷୀଙ୍କ ସମସ୍ୟା ପାଇଁ ଲଢ଼ି ଆସୁଛି। ଦେଶ ତଥା ରାଜ୍ୟରେ ଚାଷୀମାନେ ଆଜି ଅବହେଳିତ। ରାଜ୍ୟରେ ଚାଷୀମାନେ ଆତ୍ମହତ୍ୟା କରୁଥିଲେ ହେଁ ରାଜ୍ୟ ସରକାର ଏହାକୁ ସ୍ୱୀକାର କରୁ ନାହାନ୍ତି। ଚାଷୀ ଆତ୍ମହତ୍ୟାର ସମାଧାନ କରିବା ପାଇଁ ପ୍ରତ୍ୟେକ ୨୦ବର୍ଷ ବୟସରୁ ଅଧିକ ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ସୁରକ୍ଷା ଭତ୍ତା ପ୍ରଦାନ କରାଯାଉ। ୩୬ଲକ୍ଷ ଚାଷୀ ପରିବାରଙ୍କ ପାଇଁ ବଜେଟ୍‌ରେ ସରକାର ୨୧ହଜାର ୬ଶହ କୋଟି ଟଙ୍କା ବ୍ୟୟ ବରାଦ କରନ୍ତୁ। ଯଦି ରାଜ୍ୟ ସରକାର ଚାଷୀଙ୍କ ସମସ୍ୟାର ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଶ୍ରୀ କୁମାର ଚେତାବନୀ ଦେଇଛନ୍ତି।

ସଂଗଠନର ଉପଦେଷ୍ଟା ରବି ଦାସ କହିଲେ, ସାମାଜିକ ସୁରକ୍ଷା ଓ ରାଜ୍ୟରେ କୌଣସି ଚାଷୀ ଋଣଗ୍ରସ୍ତ ହୋଇ ଯେପରି ପ୍ରାଣ ନ ହରାଇବେ ସେଥିପାଇଁ ଆନ୍ଦୋଳନ କରାଯାଉଛି। କେନ୍ଦ୍ର ସରକାର ଗତ ବଜେଟ୍‌ରେ ଧାନ କ୍ୱିଣ୍ଟାଲ ଦର ଦେଢ଼ ଗୁଣା କରିବା ପାଇଁ ଘୋଷଣା କରିଛନ୍ତି। ମାତ୍ର ତାହା ଏ ପର୍ଯ୍ୟନ୍ତ ଲାଗୁ ହୋଇନାହିଁ। ସେହିପରି ଚାଷୀ ଆତ୍ମହତ୍ୟା ନ କରିବେ ସେଥିପାଇଁ ସରକାର ଗ୍ୟାରେଣ୍ଟି ଦିଅନ୍ତୁ। ଏହି ଘୋଷଣା ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି, ମାତ୍ର ଏହି ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ।

ଆଜିର ଆନ୍ଦୋଳନରେ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ରଶ୍ମିରଂଜନ ସ୍ୱାଇଁ, ଦୁର୍ଗା ଚରଣ ସ୍ୱାଇଁ, ଦୁର୍ଗା ପ୍ରସାଦ ଦାସ, ରବୀନ୍ଦ୍ର ସାହୁ, ସୁରେନ୍ଦ୍ର ନାଥ ମହାରଣା, ମମତା ନାଥ, ମଧୁମିତା ସମାଲ, ମନଓ୍ଵର ଅଲ୍ଲୀ ପ୍ରମୁଖ ନେତୃତ୍ୱ ନେଇଥିଲେ। ଅନିର୍ଦ୍ଦିଷ୍ଟକାଳ ପାଇଁ ଚାଲିବାକୁ ଥିବା ଏହି ଆନ୍ଦୋଳନରେ ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାର ଚାଷୀ ଏଥିରେ ଯୋଗ ଦେବେ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର