ଜବାହର ନବୋଦୟ ବିଦ୍ୟାଳୟ ମେଧାବୀ ପିଲାମାନଙ୍କ ପାଇଁ ଶିକ୍ଷାଦାନର ଏକ ନୂଆ ପରମ୍ପରା ତିଆରି କରିଛି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଜବାହର ନବୋଦୟ ବିଦ୍ୟାଳୟ ଗ୍ରାମାଞ୍ଚଳର ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ପୃଷ୍ଠଭୂମିର ମେଧାବୀ ପିଲାମାନଙ୍କୁ ଚୟନ କରି ସେମାନଙ୍କୁ ଶିକ୍ଷାଦାନର ଏକ ନୂଆ ପରମ୍ପରା ତିଆରି କରିଛି । ଏକବିଂଶ ଶତାବ୍ଦୀରେ ଶିକ୍ଷାନୁଷ୍ଠାନକୁ ଜ୍ଞାନର ମନ୍ଦିର ତଥା ଶିକ୍ଷାର ପ୍ରୟୋଗଶାଳା କରିବା ପାଇଁ ଆମେ ସାମୂହିକ ସଂକଳ୍ପ ନେବା।  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ‌ଧର୍ମେନ୍ଦ୍ର ପ୍ରଧାନ ରବିବାର ଢେଙ୍କାନାଳ ଜିଲ୍ଲା ଗସ୍ତ ଅବସରରେ ଏହା କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ଶିକ୍ଷାଲାଭ ପରେ ଉଚ୍ଚ ଶିକ୍ଷା ପାଇଁ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ହୋଇ ସଫଳ ହେଉଥିବା ଜାଣି ଖୁସି ଅନୁଭବ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତି-୨୦୨୦ରେ ଗୁଣାତ୍ମକ ଶିକ୍ଷା ସହ ରୋଜଗାର ଆଧାରିତ ଶିକ୍ଷା ଉପରେ ମନ୍ତବ୍ୟ ରଖି ସେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି। 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଦେଶ ଆଜି ଅମୃତ କାଳରେ ଉପନୀତ ହୋଇଛି । ଏହି ଅମୃତ ବେଳାରେ ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ସହିଦ ବାଜି ରାଉତଙ୍କ ବିଚାରଧାରା ଆପଣାଇବା ସହ ବିଦ୍ୟାଳୟ ଓ ପରିବେଶକୁ ସ୍ୱଚ୍ଛ ରଖିବା ଦରକାର। ଏଥି ପାଇଁ ଛାତ୍ରଛାତ୍ରୀ ଉତ୍ସାହିତ ଭାବେ କାମ କରିବାର ଆବଶ୍ୟକତା ଅଛି।

କେନ୍ଦ୍ରମନ୍ତ୍ରୀ ଆଜି ନିଜର ଗସ୍ତ କାଳରେ ଢ଼େଙ୍କାନାଳ ଜିଲ୍ଲା ସରାଙ୍ଗସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିଦର୍ଶନ କରିବା ସହ ଶିକ୍ଷାନୁଷ୍ଠାନର ଶ୍ରେଣୀଗୃହ, ପାଠାଗାର ଓ ଛାତ୍ରାବାସ ବୁଲି ଦେଖିଛନ୍ତି । ଢ଼େଙ୍କାନାଳ ଠାରେ ଓଡ଼ିଶା ତଥା ଢ଼େଙ୍କାନାଳ ମାଟିର ବୀର ପୁତ୍ର ଶହୀଦ ବୀର ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମର ସର୍ବକନିଷ୍ଠ ସୈନିକ ବାଜି ରାଉତଙ୍କ ସାହସ, ବୀରତ୍ୱ ଏବଂ ବଳିଦାନ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଅନନ୍ତ ଉତ୍ସ ବୋଲି କହିଥିଲେ। ଢ଼େଙ୍କାନାଳ ଜିଲ୍ଲାର ପରଜଙ୍ଗ, ବଡ଼ଜୋରା, ସାନ୍ଦା, ତୁମୁସିଂହା, କନ୍ତିଓକାଟେଣୀ ଓ ଢେ଼ଙ୍କାନାଳ ସମେତ ଅନେକ ସ୍ଥାନରେ ଦଳର କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ ଜଣାଇଥିବାରୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ।

 

ସମ୍ବନ୍ଧିତ ଖବର