ମହାଆଡ଼ମ୍ବରରେ ପାଳିତ ହେଉଛି ନବରାତ୍ର ଦୁର୍ଗାପୂଜା   

Advertisment
ମହାଆଡ଼ମ୍ବରରେ ପାଳିତ ହେଉଛି ନବରାତ୍ର ଦୁର୍ଗାପୂଜା   

ସୋହେଲା: ଗତ ଦୁଇ ବର୍ଷ କରୋନା କଟକଣାରୁ ନିରାଡ଼ମ୍ବର ଭାବେ ପାଳିତ ହୋଇଥିବା ସୋହେଲାର ପ୍ରସିଦ୍ଧ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଚଳିତ ବର୍ଷ ମହାଆଡମ୍ବରରେ ପାଳିତ ହେଉଛି। ଏଥିପାଇଁ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଦୁର୍ଗାପୂଜାର ମୁଖ୍ୟ ଆକର୍ଷଣ ହେଉଛି ବାହୁବଳୀ ସିନେମାର ମାହିସ୍ମତି ମହଲ ସଦୃଶ ୮୫ ଫୁଟ୍‌ ଉଚ୍ଚର ସୁଦୃଶ୍ୟ ତୋରଣ। କୋଲକାତା କାରିଗରମାନଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଏହି ତୋରଣକୁ ରଙ୍ଗବେରଙ୍ଗ ଆଲୋକ ମାଳା ଶୋଭା ବର୍ଦ୍ଧନ କରୁଛି। ଚଳିତ ବର୍ଷ ମାଁ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ଓ ପରଭା କଟକ କାରିଗରମାନଙ୍କ ଦ୍ୱାରା ତିଆରି କରାଯାଇଛି। ସୋମବାର ପୂଜା ଆରମ୍ଭ ହୋଇ ଆସନ୍ତା ୫ ତାରିଖ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟହ ପାରମ୍ପରିକ ରୀତିନୀତିରେ ଉଭୟ ମାଁ ଦୁର୍ଗାଙ୍କ ମନ୍ଦିର ଏବଂ ମଣ୍ଡପରେ ଚଣ୍ଡିପାଠ ସହିତ ଚଣ୍ଡିହୋମ ଓ ପୂଜାର୍ଚ୍ଚନା କରାଯିବ। ୫ ତାରିଖ ସଂଧ୍ୟାରେ ପ୍ରସିଦ୍ଧ ରାବଣ ପୋଡ଼ି କାର୍ଯ୍ୟକ୍ରମ ଏବଂ ୬ ତାରିଖ ସକାଳୁ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଦୁର୍ଗାପୂଜା ଅବସରରେ ଅନୁଷ୍ଠିତ ହେଉଥିବା ରାମଳୀଳା, ମନୋରଂଜନ କାର୍ଯ୍ୟକ୍ରମ, ସାଂସ୍କୃତିକ ଲୋକ ମହୋତ୍ସବ ସହିତ ଶାରଦୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଦୁର୍ଗାମନ୍ଦିର ପରିସର ଚେତନା ମଣ୍ଡପଠାରେ ଗତକାଲିଠାରୁ ରାମଲୀଳା ମହୋତ୍ସବ ଆରମ୍ଭ ହୋଇ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଲୋକକଳା ଓ ସଂସ୍କୃତିର ସମାହାର ଲୋକମହୋତ୍ସବ ପାର୍ବଣ କାର୍ଯ୍ୟକ୍ରମ ୨୮ରୁ ୪ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ହଟଲି ମଣ୍ଡପରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ୨୦ଟି ସାଂସ୍କୃତିକ ଅନୁଷ୍ଠାନର ଶତାଧିକ କଳାକାରମାନେ ନିଜର କଳା ପ୍ରଦର୍ଶନ କରିବେ। ସ୍ଥାନୀୟ ସମବାୟ ବ୍ୟାଙ୍କ ସମ୍ମୁଖ ରାବଣ ଦରବାରରେ ୨ ତାରିଖ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଉମାକାନ୍ତ ବାରିକ ଓ ସାଥୀ କଳାକାର, ୩ ତାରିଖ ମଣ୍ଟୁ ଛୁରିଆ ଓ ସାଥୀ କଳାକାର, ୪ ତାରିଖ ଦିନ ସର୍ବେଶ୍ୱର ଭୋଇ ଓ ସାଥୀ କଳାକାର ଅର୍କେଷ୍ଟ୍ରା ପ୍ରଦର୍ଶନ କରିବେ।

publive-image

ଶାରଦୀୟ କ୍ରୀଡ଼ା ପ୍ରତିଯୋଗିତାରେ ଗତକାଲି ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଫୁଟ୍‌ବଲ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାରେ ୧୦ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ ୩ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଅନ୍ୟ ପ୍ରତିଯୋଗିତା ମଧ୍ୟରେ ବାଳିକା ଓ ମହିଳାମାନଙ୍କର ମ୍ୟୁଜିକାଲ ଚେଆର, ହୁଳହୁଳି ପ୍ରତିଯୋଗିତା, ୩ ତାରିଖ ସାଇକଲ ରେସ ଏବଂ ୪ ତାରିଖ ଦିନ ରସିଟଣା ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିପରି ଦର୍ଶକମାନଙ୍କ ମନୋରଂଜନ ପାଇଁ ମୀନାବଜାର, ଅପେରା, ନାଟକ, ଦଣ୍ଡନାଚ ପ୍ରଦର୍ଶନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe