ରାଉରକେଲା: ଭାରତୀୟ ନୌସେନା ପକ୍ଷରୁ ପ୍ରୋଜେକ୍ଟ-୧୭ଏ ଅଧିନରେ ସ୍ୱଦେଶୀ ଭାବରେ ସାତଟି ଯୁଦ୍ଧ ଜାହାଜ ନିର୍ମାଣ କରାଯାଇଛି। ସେଗୁଡ଼ିକ ହେଲା, ନିଳଗିରି, ହିମଗିରି, ତାରାଗିରି, ଉଦୟଗିରି, ଦୁନାଗିରି, ବିନ୍ଧ୍ୟଗିରି ଓ ମହେନ୍ଦ୍ରଗିରି। ଏହି ସମସ୍ତ ଯୁଦ୍ଧ ଜାହାଜରେ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)ରେ ଉତ୍ପାଦିତ ଇସ୍ପାତ ଲାଗିଛି। କାରଖାନାର ସ୍ପେଶାଲ ପ୍ଲେଟ୍ ପ୍ଲାଣ୍ଟ୍‌ (ଏସ୍‌ପିପି)ରେ ଉତ୍ପାଦିତ ଅତ୍ୟାଧୁନିକ ସ୍ବତନ୍ତ୍ର ମାନର ଡିଏମ୍‌ଆର୍‌ ୨୪୯ଏ ଗ୍ରେଡ୍‌ ଇସ୍ପାତ ବ୍ୟବହୃତ ହୋଇଛି।
Advertisment
ଏହି ଯୁଦ୍ଧଜାହାଜ ଗୁଡ଼ିକରେ ଅତ୍ୟାଧୁନିକ ଘାତକ ସମର ବୈଶିଷ୍ଟ୍ୟ, ଉନ୍ନତ ଅସ୍ତ୍ରଶସ୍ତ୍ର ଓ ସେନ୍ସର ତଥା ପ୍ଲାଟଫର୍ମ ପରିଚାଳନା ପ୍ରଣାଳୀ ରହିଛି। ଆର୍‌ଏସ୍‌ପିକୁ ମେସର୍ସ ଏମ୍‌ଡିଏଲ(ମୁମ୍ବାଇ) ପକ୍ଷରୁ ୪ଟି ଓ ମେସର୍ସ ଜିଆର୍‌ଏସ୍‌ଇ (କୋଲକାତା) ପକ୍ଷରୁ ୩ଟି ଫ୍ରିଗେଟ୍ ନିର୍ମାଣ ପାଇଁ ବରାଦ ମିଳିଥିଲା।
publive-image
ବରାଦ ଅନୁଯାୟୀ ୨୦୧୭ରୁ ୨୦୨୧ ମସିହା ଭିତରେ ବିଭିନ୍ନ ପର୍ଯ୍ୟାୟରେ ମେସର୍ସ ଏମ୍‌ଡିଏଲ୍‌କୁ ୧୪୪୦ ଟନ୍ ଓ ମେସର୍ସ ଜିଆର୍‌ଏସ୍‌ଇକୁ ୧୨୧୮ ଟନ୍ ସ୍ବତନ୍ତ୍ର ଇସ୍ପାତ ଯୋଗାଇଥିଲା। ସୂଚନାଯୋଗ୍ୟ, ୧୯୬୯ ମସିହାରେ ଜର୍ମାନୀର ମେସର୍ସ ୱେଲମ୍ୟାର ବୈଷୟିକ ସହଯୋଗରେ ଏହି ସ୍ପେଶାଲ ପ୍ଲେଟ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଥିଲା। ଏହି ପ୍ଲାଣ୍ଟ୍‌ ନିରନ୍ତରଭାବେ ଭାରତୀୟ ପ୍ରତିରକ୍ଷା ଓ ନୌସେନା ପାଇଁ ଶକ୍ତିଶାଳୀ ଆର୍ମର ପ୍ଳେଟ ଉତ୍ପାଦନ କରିଆସୁଛି। ଉଚ୍ଚ-ଶକ୍ତିଶାଳୀ ତଥା ଟେମ୍ପରଡ ପ୍ରତିରକ୍ଷା ଗ୍ରେଡ୍ ପ୍ରଶସ୍ତ, ଲମ୍ବା, ଓଜନିଆ ସ୍ୱତନ୍ତ୍ର ଷ୍ଟିଲ୍ ପ୍ଲେଟ୍‌ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୧୭ ମସିହାରେ ଏହି ପ୍ଲାଣ୍ଟ୍‌ରେ ଅତିରିକ୍ତ ହିଟ୍ ଟ୍ରିଟମେଣ୍ଟ୍ ଲାଇନ୍ ଆରମ୍ଭ ହେବାସହ କ୍ଷମତାକୁ ବିସ୍ତାର କରିଥିଲା। ଡିଫେନ୍ସ ମେଟାଲର୍ଜିକାଲ୍ ରିସର୍ଚ୍ଚ ଲାବୋରେଟୋରି(ଡିଏମଆରଏଲ) ହାଇଦ୍ରାବାଦର ମାର୍ଗଦର୍ଶନରେ ଏହି ପ୍ଲାଣ୍ଟ ଡିଏମଆର ୨୪୯ ଏ’, ଡିଏମଆର ୨୪୯ ବି’ ଓ ଡିଏମଆର ୩୦୧ ଆଦି ସ୍ପେଶାଲ ପ୍ଲେଟ୍ ବିକଶିତ କରିଛି।