ମାଲକାନଗିରି: ବର୍ଷା ଆଗମନ ସହ ଅଧିକ ଉଗ୍ର ହୁଅନ୍ତି ନକ୍ସଲ।ଘଂଚ ଜଂଗଲରେ ଲଗାଣ ବର୍ଷାରେ କମ୍ବିଂ ଅପରେସନ ପୁଲିସ ପାଇଁ ସେତେଟା ସହଜ ହୁଏ ନାହିଁ। ଏହାର ସୁଯୋଗ ନେଇ ନକ୍ସଲ ହିଂସା ଘଟାଇ ଚୁପଚାପ ଘଂଜ ଜଂଗଲକୁ ଚାଲିଯାନ୍ତି।ଯଦି ବି ପୁଲିସ ପିଛା କରି ଜଂଗଲକୁ ଯାଏ ସେତେବେଳକୁ ବହୁ ବିଳମ୍ବ ହୁଏ। ସେତିକି ସମୟ ମଧ୍ୟରେ ସୁରକ୍ଷିତ ଭାବେ ଆତ୍ମଗୋପନ କରିବାକୁ ସୁଯୋଗ ମିଳିଯାଏ। ତେଣୁ ଚଳିତ ବର୍ଷ ନକ୍ସଲଙ୍କୁ ଉଚିତ ଜବାବ ଦେବା ପାଇଁ ମାଲକାନଗିରି ପୋଲିସ ସମେତ ପଡୋଶୀ ଛତିଶଗଡ ପୁଲିସ ଏବେ ଠାରୁ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି। ଅର୍ଧସାମରିକ ବଳକୁ ବି ଏନେଇ ଅବଗତ କରାଇ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦେଶ ଦିଆଯାଇଥିବା ଜଣାପଡିଛି। ବର୍ଷାଦିନେ ନକ୍ସଲ ବହୁ ଘଟଣା ଘଟାଇ ଅସ୍ତ୍ରଶସ୍ତ୍ରକୁ ଜଂଗଲରେ ଲୁଚାଇ ଦେଇ ବିଭିନ୍ନ ଗ୍ରାମରେ ଲୁଚି ରହିଥାନ୍ତି। ତେବେ ଏହା ପୂର୍ବରୁ ପୋଲିସ ନକ୍ସଲଙ୍କ ଉପରେ ଚଢାଉ କରିବ ବୋଲି ଜଣାପଡିଛି। ନକ୍ସଲ ବାଧ୍ୟ ହୋଇ ପୁରିସ ଗୁଳିର ସାମ୍ନା କରିବ ବୋଲି ଛତିଶଗଡ ପୁଲିସ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ ବର୍ଷକ ମଧ୍ୟରେ ନକ୍ସଲ ଯେତିକି ହିଂସାକାଣ୍ଡ ଘଟାଇଥାନ୍ତି ତାହାର ଏକ ଚତୁର୍ଥାଂଶ ଘଟଣା ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ହୋଇଥାଏ। ନକ୍ସଲ ଏହି ସମୟରେ ଉଗ୍ର ହୋଇଥାନ୍ତି। ଗତ ୨୦୧୫ ମସିହାରୁ ଯଦି ଦେଖିବା ନକ୍ସଲଙ୍କ ସହ ପୁଲିସର ଗୁଳି ବିନିମୟ, ନକ୍ସଲ ହିଂସା ୩୦ରୁ ୪୦ ପ୍ରତିଶତ ରହିଛି। ମାଲକାନଗିରି ଜିଲ୍ଲାରେ ନକ୍ସଲ ଦମନ ନେଇ ଜୋରଦାର ପ୍ରୟାସ ଜାରି ରହିଛି। ଘନ ଘନ ବୈଠକ ସାଂଗକୁ ଗୁଇନ୍ଦାକୁ ସଜାଗ ରହିବା ପାଇଁ କୁହାଯାଉଛି। ଗତ ଦୁଇ ଦିନ ତଳେ ବିଏସଏଫ ଆଇଜି ମାଲାକନଗିରି ପହଞ୍ଚି ଯବାନଙ୍କୁ ଉତ୍ସାହିତ କରିବା ସହ ନକ୍ସଲ ଦମନର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।ପୁଲିସ ଏବଂ ବିଏସଏଫ ମିଳିତ ଭାବେ କୁମ୍ବିଂକୁ ଜୋରଦାର କରୁଛନ୍ତି।ବିଶେଷକରି ବିଛିନ୍ନାଞ୍ଚଳର ୯ଟି ପଞ୍ଚାୟତ ମାଥିଲି ବ୍ଲକର ୫ଟି ପଞ୍ଚାୟତ,କାଲିମେଳା ବ୍ଲକର ୭ଟି ପଞ୍ଚାୟତ,ପଡିଆ ବ୍ଲକର ୭ଟି ପଞ୍ଚାୟତ,ଖଇରପୁଟ ବ୍ଲକର ୫ଟି ପଞ୍ଚାୟତ, କୋରକୋଣ୍ଡା ବ୍ଲକର ୪ଟି ପଞ୍ଚାୟତରେ ନକ୍ସଲ ଗତିବିଧି ଏବେ ବି ରହିଛି।ତେବେ ପୋଲିସ ଏବଂ ବିଏସଏଫର ସୁରକ୍ଷା ବ୍ୟବସ୍ଥା ଧିରେ ଧିରେ ବଢୁଥିବାରୁ ନକ୍ସଙ୍କୁ ମଧ୍ୟ ପଛଘୁଞ୍ଚା ଦେବାକୁ ପଡୁଛି। ସଂପୂର୍ଣ୍ଣ ସ୍ବାଭିମାନ ଅଂଚଳକୁ ବିଏସଏଫ ଯବାନ ଘେରି ରହିଥିବାରୁ ଏଥର ଏଠାରେ ସହିଦ ଦିବସ ପାଳନ କରିବା ପାଇଁ ନକ୍ସଲ ଏକ ପ୍ରକାର ଭୟ କରିବ।କିନ୍ତୁ ଯବାନଙ୍କୁ ଚ୍ୟାଲେଞ୍ଜ କରି ନକ୍ସଲ ଏହି ଦିବସକୁ ସୀମାନ୍ତ ଆନ୍ଧ୍ର ଗ୍ରାମଗୁଡିକରେ କରିବ ବୋଲି ଜଣାପଡିଛି।ନକ୍ସଲ ନେତା ଗଣେଶ ଅଡିଓ ଟେପ ଏବଂ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛି ଯେ ଏଥର ସହିଦ ଦିବସ ଜୋରଦାର ହେବ।ଏଥିରେ ସମସ୍ତେ ସାମିଲ ହେବାକୁ କୁହାଯାଇଛି।
/sambad/media/post_attachments/wp-content/uploads/2022/07/Mkg-Naxal-daman-4-1.jpg)
ବର୍ଷାଦିନେ ନକ୍ସଲ ହିଂସା ଘଟାଇ ସହଜରେ ଖସି ପଳାଉଥିବାରୁ ଜୁଲାଇ ଆରମ୍ଭରୁ ହିଁ ନକ୍ସଲଙ୍କ ଉପରେ ନଜର ରଖାଯାଇଛି। ମାଲକାନଗିରି ଜିଲ୍ଲା ସମେତ ପଡୋଶୀ ଛତିଶଗଡର ଘଂଚ ଜଂଗଲରେ ପଶିଛନ୍ତି ଯବାନ। ବର୍ଷାଦିନେ ନକ୍ସଲଙ୍କୁ ଦମନ କରିବାକୁ ହେଲେ ଆକାଶ ମାର୍ଗରୁ ମଧ୍ୟ ଆକ୍ରମଣ କରାଯାଇପାରେ ବୋଲି କୁହାଯାଇଛି।ପୋଲିସ ଡାଳେ ଡାଳେ ଗଲେ ନକ୍ସଲ ମଧ୍ୟ ପତରେ ପତରେ ଯାଉଛନ୍ତି। ବିଛିନ୍ନାଞ୍ଚଳର ଆନ୍ଧ୍ର ସୀମାକୁ ଲାଗି ରହିଥିବା ଗ୍ରାମ୍ୟ ଜଂଗଲରେ ଆନ୍ଧ୍ରର ଗ୍ରେହାଉଣ୍ଡ ମଧ୍ୟ ଜୋରଦାର କୁମ୍ବିଂ କରୁଥିବା ଜଣାପଡିଛି।ତେବେ ଚଳିତ ବର୍ଷ ନକ୍ସଲଙ୍କୁ ବେକଫୁଟରେ ରଖିବାକୁ ଯୋଜନା କରାଯାଇଥିବା ବେଳେ କୌଣସି ଅଘଟଣକୁ ଏଡାଇବାକୁ ପ୍ରସ୍ତୁତି ମଧ୍ୟ କରାଯାଇଛି। ତେବେ ତିନି ରାଜ୍ୟ ପଟରୁ ଯଦି ଏକାଥରକେ ଚଢାଉ ହେବ ତେବେ ନକ୍ସଲ ପଛଘଂଚା ଦେବା ସହ ବାଧ୍ୟ ହୋଇ ଏହି ଚାରିମାସ କୌଣସି ଘଟଣା ଘଟାଇପାରିବେ ନାହିଁ ବୋଲି କୁହାଯାଇଛି। କିନ୍ତୁ ମାଲକାନଗିରି ସୀମାନ୍ତ ସୁକମା,ଦନ୍ତେଵାଡା ଏବଂ ବିଜାପୁର ଜିଲ୍ଲାରେ ନକ୍ସଲ ହିଂସା ବଢିବାରେ ଲାଗିଛି। ନକ୍ସଲ ଗତ ଦୁଇ ଦିନରେ ଜଣେ ଗ୍ରାମବାସୀକୁ ହତ୍ୟା କରିଥିବା ବେଳେ ପୁଲିସ ଏନକାଉଣ୍ଟରରେ ୨ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲ ମଧ୍ୟ ମୃତ୍ୟୁବରଣ କରିଛି।ତେବେ ଚଳିତ ବର୍ଷା ଋତୁରେ କିଏ କାହା ଉପରେ ଭାରି ପଡୁଛନ୍ତି ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Mkg-Naxal-daman-3-1.jpg)