ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲା ତର୍ରେମ ଥାନା ଅଞ୍ଚଳରେ ମାଓବାଦୀମାନେ ରବିବାର ଲଙ୍କାକାଣ୍ଡ କରିଥିବା ନେଇ ସୂଚନା ମିଳିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମାଓବାଦୀମାନେ ରାଜ୍ୟ ରାଜପଥରେ ପରିବା ବୋଝେଇ ଗାଡ଼ିରେ ନିଆଁ ଲଗାଇଦେଇଛନ୍ତି। ସାରକେଗୁଡା ସିଆରପିଏଫ ଶିବିର ଠାରୁ ୨ କିମି ଦୂରରେ ଏହି ଅଘଟଣ କରିଛନ୍ତି। ମୋକ୍କୁର ସିଆରପିଏଫ ଶିବିର ପାଇଁ ପିକ୍‌ଅପରେ ପରିବା ପଠାଯାଉଥିଲା। ୧୦ରୁ ୧୫ ଜଣ ସଶସ୍ତ୍ର ନକ୍ସଲ ପିକ୍‌ଅପରେ ନିଆଁ ଲଗାଇ ଦେଇଥିଲେ।
Advertisment

ଅନ୍ୟପଟରେ ସୁକମା ପୁଲିସ ନିକଟରେ ୫ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ମାଡବି ଜଗା ନାମକ ନକ୍ସଲ ନାମରେ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ହୋଇଥିଲା।ସୁକମା ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରହି ୫ ଜଣ ନକ୍ସଲ ଏସପି ସୁନୀଲ ଶର୍ମା ଏବଂ ୧୧୯ ସିଆରପିଏଫର କମାଣ୍ଡାଣ୍ଟଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ। ପୁଲିସ ପ୍ରଶାସନ ତରଫରୁ ସମସ୍ତଙ୍କୁ ଆର୍ଥିକ ସହାୟତ ପ୍ରଦାନ କରାଯାଇଥିଲା।ଏମାନଙ୍କୁ ଆତ୍ମନିର୍ଭରଶୀଳ ମଧ୍ୟ କରାଯିବ ବୋଲି କୁହାଯାଇଛି।