‘ଅଗ୍ନିପଥ’ ଯୋଜନାକୁ ତୀବ୍ର ବିରୋଧ କର: ମାଓ ସଂଗଠନ

ମାଲକାନଗିରି: ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାଓବାଦୀ)ର ଦକ୍ଷିଣ ସବ ଜୋନାଲ ବ୍ୟୁର ତରଫରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ଏହି ପ୍ରେସ ବିଜ୍ଞପ୍ତି ପ୍ରବକ୍ତା ସମତା ନାମରେ ପ୍ରକାଶ କରିଛନ୍ତି ଯେ ଭାରତୀୟ ସେନାରେ ଠିକା ପଦ୍ଧତି ଅଗ୍ନିପଥକୁ ଘୋର ବିରୋଧ କରନ୍ତୁ। ଏହି ଯୋଜନାକୁ ସାରା ଭାରତରେ ଯୁବକମାନେ ବିରୋଧ କରିଆସୁଥିବା ବେଳେ ବସ୍ତର ସମ୍ଭାଗର ଯୁବବର୍ଗଙ୍କୁ ଆହ୍ବାନ କରାଯାଉଛି ଯେ ଏହି ବିରୋଧ ଆନ୍ଦୋଳନରେ ସାମିଲ ହୁଅନ୍ତୁ।କେନ୍ଦ୍ର ଓ ରାଜ୍ୟ ସରକାର ଜନବିରୋଧୀ ନୀତି ପ୍ରଣୟନ କରି ଯୁବ ବର୍ଗଙ୍କୁ ଭ୍ରମିତ କରୁଛନ୍ତି। ବେରୋଜଗାର ବଢୁଥିବା ବେଳେ ଏହାକୁ କେନ୍ଦ୍ର ସରକାର ଫାଇଦା ଉଠାଇବାକୁ ଯୁବକମାନଙ୍କୁ ପୁଲିସ, ସୈନିକ ଏବଂ ଅର୍ଦ୍ଧ ସୈନିକ ଦଳରେ ଭର୍ତ୍ତି କରିବାକୁ ଚେଷ୍ଟା କରୁଛି।

କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଭର୍ତ୍ତି ନକରି ବେକାର ଯୁବକଙ୍କୁ ମରଣ ମୁହଁକୁ ଠେଲୁଛି। ସେମାନଙ୍କୁ ଠିକା କାମ ଦେଇ ପୁଣି ବେକାର କରିବ।ଠିକା ପ୍ରଥାକୁ ପ୍ରଚଳନ କରାଯାଇ ଶିକ୍ଷାକର୍ମୀ, ଶିକ୍ଷା ଦୂତ, ଜନଭାଗିଦାରୀ ଭଳି ଚାକିରି ପ୍ରଦାନ କରୁଛି। ସରକାରଙ୍କ ତରଫରୁ ଏଭଳି ଠିକା ପ୍ରଥା ଚାଲୁଥିବା ବେଳେ ବଡ ବଡ ଇଦ୍ୟୋଗରେ ମଧ୍ୟ ଏହାକୁ ଆରମ୍ଭ କରାଯାଇଛି। ଏବେ ସେନାରେ ଯୁବକଙ୍କୁ ଠିକାରେ ନିଆଯିବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ସଂଗଠନ କହିଛି। ସରକାରୀ ଚାକିରିରେ ସଂପୂର୍ଣ୍ଣ ଭାବେ ଠିକା ପ୍ରଥାକୁ ବନ୍ଦ କରିବା ପାଇଁ ମାଓ ସଂଗଠନ ଦାବି କରିଛି, ଯେଉଁମାନେ ଠିକା ପ୍ରଥାରେ କାମ କରୁଛନ୍ତି ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ। ସବୁ ହାତକୁ କାମ ଏବଂ ସବୁ ଜମିକୁ ପାଣି ଯୋଗାଇବା ନେଇ ଆନ୍ଦୋଳନକୁ ତୀବ୍ରତର କରନ୍ତୁ ବୋଲି କୁହାଯାଇଛି। ଲକ୍ଷ ଲକ୍ଷ ଯୁବକଙ୍କୁ ସେନାରେ ଭର୍ତ୍ତି କରି ପିଏଲଜିଏ ଏବଂ ମାଓ ସଂଗଠନକୁ ଭୁଷୁଡାଇବା ପାଇଁ କେନ୍ଦ୍ର ସରକାର ଯେଉଁ ଯୋଜନା କରିଛନ୍ତି ତାହାକୁ କେବେ ସଫଳ ହେବାକୁ ଦେବା ନାହିଁ। ଦକ୍ଷିଣ ବସ୍ତର ଡିଭିଜନର ଯୁବଗୋଷ୍ଠୀ ଏହାକୁ ବିରୋଧ କରନ୍ତୁ ବୋଲି କୁହାଯାଇଛି।ଜଳ, ଜମି ଏବଂ ଜଂଗଲକୁ ବଞ୍ଚାଇବାକୁ ହେଲେ ପିଏଲଜିଏରେ ଭର୍ତ୍ତି ହୁଅନ୍ତୁ।

ସମ୍ବନ୍ଧିତ ଖବର