ନକ୍ସଲ ଇଲାକା ଖେଳାଳିଙ୍କୁ ମିଳୁନି ପ୍ରୋତ୍ସାହନ

ଅଟକିଛି ସ୍ବର୍ଣ୍ଣବିଜେତା ମୁସ୍କାନଙ୍କ ସ୍ବପ୍ନ

ରାଉରକେଲା: ଉପଯୁକ୍ତ ତାଲିମ ଓ ଆର୍ଥିକ ପ୍ରୋତ୍ସାହନ ଅଭାବରୁ ଅନେକ ଖେଳାଳୀଙ୍କ ଆଶା ମଉଳିଯାଉଛି। ସେମିତି ଜାତୀୟ ଓ ଅନ୍ତର୍ଜାତୀୟ ଖେଳରେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ଅନେକ ଖେଳାଳୀଙ୍କ କ୍ଷେତ୍ରରେ ବି ସେହି ସମାନ ସ୍ଥିତି ଉପୁଜିଛି। ସୁନ୍ଦରଗଡ଼ ଜିଲ୍ଲା ନକ୍ସଲ ଉପଦ୍ରୁତ ଅଞ୍ଚଳର ସେମିତି ‌ଜଣେ ଖେଳାଳି ହେଉଛନ୍ତି ମୁସ୍କାନ ଓରାମ।  କିକ୍‌ ବକ୍ସିଂରେ ରାଜ୍ୟ ଓ ଜାତୀୟସ୍ତରରେ ଖେଳରେ ନିଜର ପାରଦର୍ଶିତା ଦେଖାଇଛନ୍ତି। ସ୍ବର୍ଣ୍ଣ ପଦକ ହାସଲ କରିଥିବା ମୁସ୍କାନ ଏବେ ଅନ୍ତର୍ଜାତୀୟ ଖେଳରୁ ବଞ୍ଚିତ ହେବାକୁ ଯାଉଛି। ଯୋଗ୍ୟ ବିବେଚିତ ହୋଇଛନ୍ତି ସତ କିନ୍ତୁ ଇଟାଲି ଯିବାକୁ ବାଧକ ସାଜିଛି ଅର୍ଥ। ଆସନ୍ତା ଅକ୍ଟୋବର ଇଟାଲିରେ ହେବାକୁ ଯାଉଥିବା ବିଶ୍ବସ୍ତରୀୟ କିକ୍‌ ବକ୍ସିଂ ପ୍ରତିଯୋଗିତା ସ୍ବପ୍ନ ମୁସ୍କାନ ପାଇଁ ଅଟକିଯାଇଛି। ସରକାରଙ୍କ ପକ୍ଷରୁ ମୁସ୍କାନଙ୍କୁ ଆର୍ଥିକ ସହୟତା ଯୋଗାଇ ଦେବାକୁ ‌ପରିବାର ପକ୍ଷରୁ ନିବେଦନ କରାଯାଇଛି।

ବିଶ୍ରା ବ୍ଲକ ଅନ୍ତର୍ଗତ ସରଣ୍ଡା ବନଖଣ୍ଡ ଭାଲୁଲତା ପଞ୍ଚାୟତ ଲୋହରାଟୋଲିର ଏତୁଆ ଓରାମଙ୍କ ଝିଅ ହେଉଛନ୍ତି ମୁସ୍କାନ। ବାପା ଏତୁଆ ରେଳ ବିଭାଗରେ ଗ୍ୟାଙ୍ଗ ମ୍ୟାନ୍‌ ଭାବେ କାର୍ଯ୍ୟ କରନ୍ତି।  ନକ୍ସଲ ଉପଦ୍ରୁତ ଅଞ୍ଚଳରେ ରହୁଥିଲେ ହେଁ ବକ୍ସିଂ ଖେଳ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା। ପାଠପଢ଼ାକୁ ଯେତିକି ଗୁରୁତ୍ବ ଦିଅନ୍ତି। ଖେଳକୁ ମଧ୍ୟ ସେତିକି ଗୁରୁତ୍ବ ଦିଅନ୍ତି। ପ୍ରତି ଦିନ ପ୍ରଶିକ୍ଷଣ ନେବାକୁ ଭାଲୁଲତାରୁ ବନ୍ଧମୁଣ୍ଡା ୨୦ କି.ମି. ସାଇକେଲରେ ଆସିଥାନ୍ତି। ଭୋର ପ୍ରାୟ ସାଢ଼େ ୪ଟାରୁ ଘରୁ ବାହାରନ୍ତି। ସାଢ଼େ ୫ଟାରେ ବନ୍ଧମୁଣ୍ଡାରେ ପହଞ୍ଚି କିକ୍‌ ବକ୍ସିଂ ପ୍ରଶିକ୍ଷଣ ନିଅନ୍ତି। ୭ଟାରେ ପୁଣି ଘରକୁ ଫେରିଯାଆନ୍ତି। ସକାଳ ୮ଟାରେ ବନ୍ଧମୁଣ୍ଡା କଲେଜରେ ପାଠ ପଢ଼ିବାକୁ ପୁଣି ସାଇକେଲରେ ଘରକୁ ବାହାରନ୍ତି।

ଏମିତି ଭାବେ ତାଙ୍କୁ ଦିନକୁ ପାଖାପାଖି ୮୦ରୁ ୮୫ କି.ମି. ସାଇକେଲ ଚାଳନା କରିବାକୁ ପଡିଥିାଏ। ତଥାପି ସେ ଭାଙ୍ଗି ପଡି ନାହାନ୍ତି। ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ପ୍ରୟାସ ଜାରି ରଖିଛନ୍ତି। ନିଜର କଠିନ ପରିଶ୍ରମ ଯୋଗୁ ରାଜ୍ୟ ଓ ଜାତୀୟସ୍ତରୀୟ କିକ୍‌ ବକ୍ସିଂ ପ୍ରତିଯୋଗିତାରେ ଭାଗନେଇ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ହାସଲ କରିଛନ୍ତି। ପୁଣେ ସହରରେ ଆୟୋଜିତ ଇଣ୍ଡିଆ କିକ୍‌ ବକ୍ସିଂ ଚମ୍ପିୟନ୍‌ସିପ୍‌ରେ ଭାଗ ନେଇ ସ୍ବର୍ଣ୍ଣପଦକ ହାସଲ କରିଥିଲେ। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼  ଓ ରାଜ୍ୟର ପାଇଁ ଗୌରବ ଆଣିଥିଲେ। ଆସନ୍ତା ଅକ୍ଟୋବରରେ ଇଟାଲରେ ହେବାକୁ ଯାଉଥିବା ବିଶ୍ବସ୍ତରୀୟ କିକ୍‌ ବକ୍ସିଂ ପ୍ରତିଯୋଗିତାରେ ମୁସ୍କାନ୍‌  ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ବିଜୟୀ ହୋଇ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିବାକୁ ଆଶା ମଧ୍ୟ ରଖିଛନ୍ତି। କିନ୍ତୁ  ଆର୍ଥିକ ଅଭାବରୁ ତାଙ୍କର ଇଟାଲି ଯିବାର ଆଶା ମଉଳିଯାଇଛି। ପରିବାରର ଆର୍ଥିକ ସ୍ଥିତି ଏତେଟା ଭଲ ନଥିବାରୁ ମୁସ୍କାନଙ୍କ ଇଟାଲି ଗସ୍ତ ଖର୍ଚ୍ଚ ଯୋଗାଡ କରିପାରୁ ନାହାନ୍ତି। ମୁସ୍କାନ୍‌ କହିଛନ୍ତି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କ୍ରୀଡାବିତ୍‌ଙ୍କୁ ପ୍ରୋତ୍ସାହିତ କରିବାକୁ ଅନେକ ଯୋଜନା କରିଛନ୍ତି। କିନ୍ତୁ ଯୋଜନାର ସଠିକ୍‌ ବିନିଯୋଗ ହେଉ ନଥିବାରୁ କେବଳ ସେ ନୁହେଁ , ତାଙ୍କ ପରି ଅନେକ ଖେଳାଳୀଙ୍କ ପ୍ରତିଭା ଆର୍ଥିକ ପ୍ରୋତ୍ସାହନ ଅଭାବରୁ ମଉଳି ଯାଉଛି। କୋଚ୍‌ ବିଚିତ୍ର ନାରାୟଣ ଜେନା କହିଛନ୍ତି, ଆର୍ଥିକ ପ୍ରୋତ୍ସାହନ ଅଭାବରୁ ଅନେକ ଖେଳାଳୀ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରୁ ନାହାନ୍ତି। ସେମାନଙ୍କ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡାବିତ୍‌ ହେବାର ସ୍ବପ୍ନ ହିଁ ସ୍ବପ୍ନ ରହିଯାଉଛି। ଜିଲ୍ଲା ପ୍ରଶାସନ ମୁସ୍କାନଙ୍କୁ ଦୁଃଖ ଶୁଣିବା ଦରକାର ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର