ସୁକମାରେ ମାଓ ହମ୍‌ଲା : ୨ ଯବାନ ସମେତ ୪ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମାରେ ବଡ଼ ଧରଣର ହମ୍‌ଲା କରିଛନ୍ତି ମାଓବାଦୀ। ଆତର୍କିତ ଭାବେ ଆକ୍ରମଣ କରି ଗୋଟିଏ ଠିକା କ୍ୟାମ୍ପରେ ଜଣେ ଶ୍ରମିକ ଓ ସୁପରଭାଇଜରଙ୍କୁ ହତ୍ୟା କରିଛନ୍ତି। ଏହି ଖବର ପାଇ ସେଠାରେ ପହଞ୍ଚିଥିବା ୨ଜଣ କୋବ୍ରା ଯବାନ ବି ମାଓବାଦୀଙ୍କ ଗୁଳିରେ ସହିଦ ହୋଇଛନ୍ତି। ଅନ୍ୟ ୬ଜଣ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ସର୍ଚ ଅପରେସନକୁ ଜୋରଦାର କରାଯାଇଛି।

ପୁଲିସ ଆଇଜି ସୁନ୍ଦରରାଜ ପିଙ୍କ କହିବା ଅନୁଯାୟୀ ସୁକମା ଜିଲ୍ଲାର ଭଜ୍ଜି ଓ ଚିନ୍ତାଗୁମ୍ଫା ମଧ୍ୟରେ ରାସ୍ତା ନିର୍ମାଣ କରାଯାଉଛି। ଏହାକୁ ମାଓବାୀ ବିରୋଧ କରି ଆସୁଥିଲେ। କାମ ବନ୍ଦ କରିବାକୁ ବାରମ୍ବାର ଠିକାଦାରଙ୍କୁ ଚେତାବନୀ ଦେଉଥିଲେ। ତଥାପି ପ୍ରଶାସନ ସହଯୋଗରେ କାମ ଜାରି ରହିଥିଲା। ଆଜି ଶତାଧିକ ମାଓବାଦୀ ଠିକା କ୍ୟାମ୍ପରେ ପହଞ୍ଚି ଶ୍ରମିକଙ୍କୁ ନିର୍ଧୂମ ମାଡ଼ ମାରିଥିଲେ। ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେଉଥିବା ସମସ୍ତ ଗାଡିକୁ ନିଆଁ ଲଗାଇ ପୋଡି ଦେଇଥିଲେ। ପରେ ଜଣେ ଶ୍ରମିକ ଓ କାର୍ଯ୍ୟ ତଦାରଖ କରୁଥିବା ସୁପରଭାଇଜରଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ।

ଠିକା କ୍ୟାମ୍ପରେ ମାଓବାଦୀଙ୍କ ହମଲା ସଂପର୍କରେ ଖବର ପାଇ କୋବ୍ରା ଯବାନମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ମାଓବାଦୀ ସେମାନଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ହିଁ ଦୁଇ ଯବାନ ମଡକମ ହନ୍ଦା ଏବଂ ମୁକେଶ କଡତି ସହିଦ ହୋଇଯାଇଥିଲେ। ୬ରୁ ଅଧିକ ଯବାନ ଆହତ ହୋଇଥିବା ଜଣାପଡିଛି। ଆହତଙ୍କୁ ଉଦ୍ଧାର କରି ରାୟପୁର ମେଡିକାଲ ନିଆଯାଇଛି। ଶତାଧିକ ନକ୍ସଲ ଏହି ଘଟଣାରେ ସଂପୃକ୍ତ ଥିବା ସୂଚନା ମିଳିବାରୁ ପୁଣି ଆଖପାଖ କ୍ୟାମ୍ପରୁ ବହୁ ସଂଖ୍ୟାରେ ଯବାନଙ୍କୁ ଘଟଣା ସ୍ଥଳକୁ ପଠାଯାଇଥିଲା। ଏହାପରେ ମାଓବାଦୀ ସେଠାରୁ ପଳାଇଥିଲେ।

ସମ୍ବନ୍ଧିତ ଖବର