ଖୁରିପାନି ଗାଁରେ ଲାଲ୍‌ ବାହିନୀର ବର୍ବରକାଣ୍ଡ: ପୁଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଗୁଳି କରି ହତ୍ୟା

ପାଟଣାଗଡ଼/ଲାଠୋର: ବହୁ ଦିନର ନିବରତା ଭଙ୍ଗ କରି ଲାଲ ବାହିନୀ ପୁଣି ଉଗ୍ର ହୋଇ ଉଠିଛି। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଖୁରିପାନି ଗାଁରେ ମାଓବାଦୀମାନେ ବର୍ବରକାଣ୍ଡ ଭିଆଇଛନ୍ତି। ଗତ ରବିବାର ରାତିରେ ପୁଲିସ ଇନଫର୍ମର ସନ୍ଦେହ କରି ଏହି ଗାଁର ତ୍ରିଲୋଚନ ତରିଆ (୪୫)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସେହିପରି ଅଞ୍ଚଳର ଅନ୍ୟ କିଛି ଲୋକଙ୍କୁ ମଧ୍ୟ ହତ୍ୟା ଧମକ ଦେଇଛନ୍ତି। ଏହି ଗାଁରେ ଏହା ଦ୍ବିତୀୟ ଘଟଣା ହୋଇଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତି ୯ଟାରେ ୨୦ରୁ ୨୫ ମହିଳା ଓ ପୁରୁଷ ସଶସ୍ତ୍ର ମାଓବାଦୀ ଖୁରିପାନିକୁ ଆସିଥିଲେ। ତ୍ରିଲୋଚନଙ୍କ ଘରକୁ ଆସି ତାଙ୍କୁ ଡାକିଥିଲେ। ପରିବାର ଲୋକେ ତ୍ରିଲୋଚନ ଘରେ ନଥିବା କହିଥିଲେ। ମାଓବାଦୀମାନେ ତ୍ରିଲୋଚନଙ୍କ ଭାଇ ସଦାଶିବ ତରିଆଙ୍କ ଘରକୁ ଯାଇଥିଲେ। କିଛି ସମୟ ପରେ ତ୍ରିଲୋଚନ ଘରକୁ ଆସୁଥିବା ମାଓବାଦୀମାନେ ଦେଖିଥିଲେ। ତ୍ରିଲୋଚନଙ୍କୁ ସେଠାରେ ଅଟକାଇ ମାଓବାଦୀମାନେ ତାଙ୍କ ଛାତିରେ ଗୁଳି କରି ହତ୍ୟା କରିଥିଲେ। ହତ୍ୟା କରିବା ପରେ ତ୍ରିଲୋଚନଙ୍କ ପିଠିରେ ଏକ ମାଓ ପୋଷ୍ଟର ରଖିଥିଲେ। ଗ୍ରାମର କିଛି ସ୍ଥାନରେ ମଧ୍ୟ ମାଓବାଦୀମା‌ନେ ପୋଷ୍ଟର ଲଗାଇଥିବା ଜଣାପଡ଼ିଛି। ତ୍ରି‌ଲୋଚନ ପୂର୍ବରୁ ମାଓବାଦୀମାନଙ୍କୁ ସହଯୋଗ କରୁଥିଲେ। ପରେ ୨ରୁ ୩ ବର୍ଷ ହେଲା ମାଓବାଦୀମାନଙ୍କ ସମସ୍ତ ଖବର ପୁଲିସକୁ ଦେବା ସହିତ ମାଓବାଦୀମାନଙ୍କ ନାମରେ ଚାନ୍ଦା ଆଦାୟ କରୁଥିଲେ, ଗନ୍ଧମାର୍ଦ୍ଦନ ପାହାଡ଼ରେ ମାଦବାଦୀମାନଙ୍କ କ୍ୟାମ୍ପ ସମ୍ପର୍କରେ ପୁଲିସକୁ ଖବର ଦେଉଥିଲେ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ତାଙ୍କୁ ସତର୍କ କରାଇବା ପରେ ମଧ୍ୟ ସେ ନମାନିବାରୁ ତାଙ୍କୁ ପ୍ରଜା କୋର୍ଟରେ ମୃତ୍ୟୁଦଣ୍ଡ ଦିଆ ଯାଇଥିବା ନେଇ ଦର୍ଶାଯାଇଛି। ସେହିପରି ରେଙ୍ଗାଲି ଗ୍ରାମର କାର୍ତ୍ତିକ, କୁଲିହାମୁଣ୍ଡା ଗ୍ରାମର ବୁଡୁ, ଘୁଚାପାଲି ଗ୍ରାମର ଟିକେଲାଲ, ନକଡେରା ଗ୍ରାମର ପବିତ୍ର, ତେଲେନପାଲିର ନାଇ ପୁଲିସ ଇନଫରମର୍ ଭାବେ କାମ କରୁଥିବା ନେଇ ଉଲ୍ଲେଖ କରିଥିବା ବେଳେ ସେମାନଙ୍କୁ ସତର୍କ କରାଇବା ସହିତ ମାଓବାଦୀମାନଙ୍କ ବିରୋଧରେ କାମ ‌କଲେ ସେମାନଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଉଲ୍ଲେଖ ରହିଛି। ମାଓବାଦୀମାନେ ଏହି ଗ୍ରାମରେ ୨୦୧୧ ମସିହାରେ ଜଣକୁ ହତ୍ୟା କରିଥିଲେ। ତ୍ରିଲୋଚନଙ୍କୁ ହତ୍ୟା କରିବା ପରେ ଖୁରିପାନି ଗ୍ରାମ ସମେତ ସମଗ୍ର ଖପ୍ରାଖୋଲ ବ୍ଲକରେ ଭୟର ବାତାବରଣ ଖେଳି ଯାଇଛି।

ସମ୍ବନ୍ଧିତ ଖବର