ଓଡ଼ିଶାରେ ନକ୍ସଲ ହିଂସା କମିଛି: କେନ୍ଦ୍ର

ଭୁବନେଶ୍ୱର : ଓଡ଼ିଶାରେ ମୋଟାମୋଟି ଭାବେ ନକ୍ସଲ ହିଂସା କମିଛି। ବାମପନ୍ଥୀ ଉଗ୍ରବାଦ ଦମନ ନେଇ ଓଡ଼ିଶା-ଆନ୍ଧ୍ର ପ୍ରଦେଶ ମଧ୍ୟରେ ସଂଯୋଜନା ଏବଂ ସମନ୍ଵୟ ସ୍ତର ବେଶ୍‌ ଭଲ। ମାଓବାଦୀ ଉପଦ୍ରୁତ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ, ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନ୍ଵୟନ ଏ ଦିଗରେ ସହାୟକ ହେଉଛି ବୋଲି କହିଛନ୍ତି ପୂର୍ବତନ ସିଆରପିଏଫ୍‌ ମହାନିର୍ଦେଶକ ତଥା କେନ୍ଦ୍ର ଗୃହ ବିଭାଗରେ ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ. ବିଜୟ କୁମାର। ଆଜି ବିଜୟ କୁମାର ସଚିବାଳୟ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ସାକ୍ଷାତ କରି ନକ୍ସଲ ସମସ୍ୟା ଏବଂ ତା’ର ନିରାକରଣ ସଂପର୍କରେ ଆଲୋଚନା କରିଥିଲେ। ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଓଡ଼ିଶାରେ ମାଓ ଦମନ କାର୍ଯ୍ୟ ଉଲ୍ଲେଖନୀୟ ବୋଲି ସେ କହିଥିଲେ। ନିକଟରେ ଓଡ଼ିଶା ସୀମାବର୍ତୀ ଛତିଶଗଡ଼ର ସୁକ୍‌ମା ଜିଲ୍ଲାରେ ମାଓବାଦୀମାନେ କିପରି ବଡ଼ ଧରଣର ବିପର୍ଯ୍ୟୟ ଘଟାଇଲେ ବୋଲି ପଚାରିବାରୁ ସେ କହିଲେ ଯେ ମାଓ ସଂଗଠନ ଦୁର୍ବଳ ହେଲେ ନିଜ ଅସ୍ତିତ୍ୱ ଜାହିର କରିବା ପାଇଁ ଏଭଳି ହିଂସାକାଣ୍ଡ ଘଟାଇଥାନ୍ତି। ମୁଖ୍ୟ ସଚିବଙ୍କ ସହିତ ଆଲୋଚନା ବେଳେ ଗୃହ ବିଭାଗର ବରିଷ୍ଠ ପଦାଧିକାରୀ, ପୁଲିସ ମହାନିର୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର