ସୁକମାରେ ନକ୍ସଲଙ୍କ ବିସ୍ଫୋରଣ : ଓଡ଼ିଆ ଯବାନ ସମେତ ୯ ସହିଦ

ଉଡ଼ାଇଲେ ଆଣ୍ଟି ଲ୍ୟାଣ୍ଡମାଇନ ଗାଡ଼ି
ସାମିଲ ଥିଲେ ୧୫୦ରୁ ଊର୍ଧ୍ୱ ନକ୍ସଲ

ମାଲକାନଗିରି : ବିସ୍ଫୋରଣରେ ଥରିଲା ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା। ଲାଗ୍‌ ଲାଗ୍‌ ୩ଟି ବିସ୍ଫୋରଣ ହେଲା। ଉଡ଼ିଗଲା ଆଣ୍ଟି ଲ୍ୟାଣ୍ଡ ମାଇନ୍‌ ଗାଡ଼ି। ଶକ୍ତିଶାଳୀ ବିସ୍ଫୋରଣରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲା ଗାଡ଼ି। ଏଥିରେ ବସିଥିବା ୯ଜଣ ଯବାନ ସହିଦ ହୋଇଗଲେ। ସହିଦ୍‌ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ରହିଛନ୍ତି। ସହିଦ୍‌ ମନୋରଂଜନ ଲେଙ୍କାଙ୍କ ଘର ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଞ୍ଚଳରେ ବୋଲି ଜଣାପଡିଛି।

ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍‌ଭି-୧୨୬ ଗ୍ରାମ ନିକଟରେ ଗତ ୨୦୦୮ ମସିହାରେ ଘଟିଥିଲା ଅନୁରୂପ ବିସ୍ଫୋରଣ। ଏଥିରେ ସହିଦ୍‌ ହୋଇଥିଲେ ୧୭ଜଣ ଯବାନ। ଘଟଣା ୧୦ ବର୍ଷ ପରେ ସମାନ ତରିକାରେ ଯବାନଙ୍କୁ ଟାର୍ଗେଟ କରିଛନ୍ତି ନକ୍ସଲ।

ସୂଚନା ଅନୁଯାୟୀ ଆଜି ପଡ଼ୋଶୀ ଛତିଶଗଡ଼ର ସୁକମା ଜିଲ୍ଲାର କିଷ୍ଟରାମ ଅଂଚଳରେ ଅବସ୍ଥାପିତ ୨୧୨ ସିଆରପିଏଫ ବାଟାଲିୟନର ଯବାନମାନେ କିଷ୍ଟରାମ ଏବଂ ପଡଲୀ ମଧ୍ୟରେ ସର୍ଚ୍ଚ ଅପରେସନ କରୁଥିଲେ। ଅପରାହ୍‌ଣ ପ୍ରାୟ ସାଢ଼େ୧୨ଟା ବେଳେ ୧୧ଜଣ ଯବାନ ଆଣ୍ଟି ଲ୍ୟାଣ୍ଡମାଇନ୍‌ ଗାଡ଼ିରେ ବସି ଆଗେ ଆଗେ ଚାଲିଥିବା ବେଳେ ପଛରେ ଅନ୍ୟ ଯବାନମାନେ ଚାଲିଥିଲେ। ତେବେ ଯବାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିବା ୧୫୦ରୁ ଊର୍ଧ୍ୱ ନକ୍ସଲ ଶକ୍ତିଶାଳୀ ଲ୍ୟାଣ୍ଡମାଇନ୍‌ ଖଞ୍ଜି ଆମ୍ବୁସ ଲଗାଇ ଲୁଚି ରହିଥିଲେ। ଆଣ୍ଟି ଲ୍ୟାଣ୍ଡ ମାଇନ୍‌ ଗାଡ଼ିଟି ଏକ କଲଭର୍ଟ ନିକଟରେ ପହଞ୍ଚିବା କ୍ଷଣି ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଆଣ୍ଟି ଲ୍ୟାଣ୍ଡମାଇନ୍‌ ଗାଡ଼ିଟି ପ୍ରାୟ ୫୦ ଫୁଟ ଉଚ୍ଚକୁ ଉଡ଼ିଯାଇ ଚୂରମାର ହୋଇ ଯାଇଥିଲା। ଏହି ଗାଡ଼ିରେ ଥିବା ୯ଜଣ ଯବାନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିଲେ।ଏତିକିରେ ଶାନ୍ତ ପଡି ନଥିଲା ନକ୍ସଲଙ୍କ ହମ୍‌ଲା। ଏହାପରେ ଲାଗ୍‌ ଲାଗ୍‌ ଆଉ ୨ଟି ବସ୍ଫୋରଣ କରାଯିବା ସହ ଅନ୍ଧାଧୁନିଆ ଗୁଳି ବର୍ଷା ଆରମ୍ଭ ହୋଇଥିଲା। ପଛରେ ଆସୁଥିବା ଯବାନମାନେ ନିଜକୁ ସୁରକ୍ଷିତ ରଖି ନକ୍ସଲଙ୍କୁ ପାଲଟା ଜବାବ ଦେଇଥିଲେ। ଉଭୟ ପକ୍ଷରୁ ପ୍ରାୟ ୧ଘଣ୍ଟା ଧରି ପ୍ରବଳ ଗୁଳି ବିନିମୟ ହେବା ପରେ ନକ୍ସଲ ଜଂଗଲିଆ ରାସ୍ତାରେ ପାର ହୋଇ ଚାଲି ଯାଇଥିଲେ।

ଖବରପାଇ ସିଆରପିଏଫର ଆଉ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତାହତ ଯବାନମାନଙ୍କୁ ଉଦ୍ଧାର କରିଥିଲା। ବିସ୍ଫୋରଣରେ ସହିଦ୍‌ ହୋଇଥିଲେ ଏଏସଆଇ ଆରକେଏସ ତମର, କନେଷ୍ଟବଳ ଅଜୟ କୁମାର ଯାଦବ, ମନୋରଂଜନ ଲେଙ୍କା, ଯିତେନ୍ଦ୍ର ସିଂ, ଶୋଭିତ କୁମାର ଶର୍ମା, ହାବିଲଦାର ଲକ୍ଷ୍ମଣ, କନେଷ୍ଟବଲ ମନୋଜ ସିଂ, ଧର୍ମେନ୍ଦ୍ର ସିଂ ଏବଂ ଚନ୍ଦ୍ର ଏଚ.ଏସ। ଆହତ ଦୁଇ ଜଣ ଯବାନ ହେଲେ ମଦନ କୁମାର ଓ ରାଜେଶ କୁମାର। ଆହତ ଯବାନ ଦ୍ୱୟକୁ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ନକ୍ସଲ ଏକ ବଡ଼ଧରଣ ହମ୍‌ଲା ପାଇଁ ପ୍ରସ୍ତୁତି କରୁଥିବା ଗତକାଲି ଗୁଇନ୍ଦା ବିଭାଗ ସୂଚାଇ ଦେଇଥିଲା। ତେବେ ଏହାକୁ ଗୁରୁତ୍ୱର ସହ ନିଆଯାଇନଥିବା କୁହାଯାଇଛି। କାରଣ ନିକଟରେ ବିଜାପୁର ସୀମାନ୍ତରେ ତେଲେଙ୍ଗାନା ଗ୍ରେହାଉଣ୍ଡ ଯବାନ ୧୦ ଜଣ ନକ୍ସଲଙ୍କୁ ଏନ୍‌କାଉଣ୍ଟରରେ ମାରିଥିଲେ। ଏହାର ଜବାବ ଦିଆଯିବ ବୋଲି ପୂର୍ବରୁ ନକ୍ସଲ ନେତାମାନେ ଗଣମାଧ୍ୟମରେ ବିବୃତି ମଧ୍ୟ ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ନକ୍ସଲମାନେ ଯୋଜନାବଦ୍ଧ ଭାବେ ସିଆରପିଏଫ ଯବାନଙ୍କ ଭଳି ପୋଷାକ ପନ୍ଧି ଘଟଣା ଘଟିଥିବା ଅଞ୍ଚଳରେ ପଇଁତରା ମାରୁଥିଲେ। ସିଆରପିଏଫ ଯବାନ ଏମାନଙ୍କୁ ଦେଖି ନିଜ ସାଥି ବୋଲି ଭାବିଥିଲେ। ଏଭଳି ସ୍ଥିତିରେ ଏଭଳି ବଡ଼ଧରଣର ହମ୍‌ଲା ହୋଇଥିବା କୁହାଯାଉଛି।

ଏହି ଘଟଣା ପରେ ସବୁ ନକ୍ସଲ ପ୍ରବଣ ଅଂଚଳରେ କମ୍ବିଂକୁ ଜୋରଦାର କରାଯାଇଛି। ମାଲକାନଗିରି ସୀମାନ୍ତରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି। ପ୍ରତ୍ୟେକ ଥାନାକୁ ସତର୍କ ରହିବାକୁ କୁହାଯାଇଛି। ଆଗକୁ ମାଲକାନଗିରି ଏବଂ ଛତିଶଗଡର ସୁକମା,ଦନ୍ତେୱାଡା,ବିଜାପୁର ଅଂଚଳରେ ଏଭଳି ଘଟଣା ଘଟିପାରେ ବୋଲି ଆଶଙ୍କା କରାଯାଉଛି।

ନକ୍ସଲଙ୍କ ଏହି ବଡ଼ଧରଣର ଆକ୍ରମଣ ପରେ ସର୍ଚ୍ଚ ଅପରେସନ ପୂର୍ବରୁ ଷ୍ଟାଣ୍ଡାର୍ଡ ଅପରେସନ ପ୍ରସିଡ୍ୟୁଅର(ଏସଓପି) ପାଳନ କରାଯାଇ ନଥିଲା ବୋଲି ଅଭିଯୋଗ ଉଠିଛି। ଏଥିସହ ଆଣ୍ଟି ଲ୍ୟାଣ୍ଡ ମାଇନ୍‌ ଗାଡ଼ି ସୁରକ୍ଷିତ ନୁହେଁ ବୋଲି ପୁଣି ଥରେ ପ୍ରମାଣିତ ହୋଇଛି। ଗତ ୨୦୦୮ ମସିହାରେ ମାଲକାନଗିରି ଜିଲ୍ଲାର ଏମଭି-୧୨୬ରେ ମଧ୍ୟ ନକ୍ସଲ ଏକ ଆଣ୍ଟି ଲ୍ୟାଣ୍ଡ ମାଇନ ଗାଡିକୁ ଉଡାଇ ଦେଇଥିଲେ। ଏହି ଘଟଣାରେ ୧୭ ଜଣ ଯବାନ ସହିଦ୍‌ ହୋଇଥିଲେ। ଏହାର ଜବାବରେ ମାଲକାନଗିରି ପୁଲିସ ଗତ ୨୦୧୩ ମସିହାରେ ସିଲାକୋଟାରେ ଏକ ନକ୍ସଲ କ୍ୟାମ୍ପରେ ଚଢାଉ କରି ୧୩ ଜଣ ନକ୍ସଲକୁ ମାରିଥିଲେ। କିଛି ମାସ ତଳେ ଭେଜ୍ଜି ଅଂଚଳରେ ନକ୍ସଲ ଆମ୍ବୁସ ଲଗାଇ ୨୫ ଜଣ ଯବାନଙ୍କୁ ମାରିଥିବା ବେଳେ ଏବେ ପୁଣି କିଷ୍ଟରାମ ଅଂଚଳରେ ୯ ଜଣ ଯବାନଙ୍କୁ ମାରି ନିଜର ଶକ୍ତିକୁ ପ୍ରଦର୍ଶନ କରିଛନ୍ତି। ନକ୍ସଲ ପ୍ରବଣ ଅଞ୍ଚଳରେ ସୁରକ୍ଷା କର୍ମୀ ବିଶେଷ କରି ସିଆରପିଏଫ ଯବାନ ବାରମ୍ବାର ନକ୍ସଲ ଆକ୍ରମଣର ଶିକାର ହୋଇ ବହୁସଂଖ୍ୟାରେ ସହିଦ୍‌ ହେବାକୁ ନେଇ ଛତିଶଗଡ ସରକାର ଚିନ୍ତା ପ୍ରକଟ କରିଛନ୍ତି। ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇ ନକ୍ସଲ ଦମନର ବିଭିନ୍ନ ଦିଗ ଉପରେ ଆଲୋଚନା କରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର