ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟପୁର ଜିଲ୍ଲାରେ ବିଏସଏଫ କ୍ୟାମ୍ପ ଉପରେ ନକ୍ସଲଙ୍କ ଆକ୍ରମଣ ହୋଇଛି। ଏହାର ଭିଡିଓ ଭାଇରାଲ ହେବାକୁ ଲାଗିଛି। ଗତକାଲି ନାରାୟଣପୁର ଜିଲ୍ଲାର ଇରକଭଟ୍ଟି ଠାରେ ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା। ଏହି କ୍ୟାମ୍ପରେ ଯବାନ କ୍ୟାମ୍ପକୁ ସଜାଡୁଥିବା ବେଳେ ଅଚାନକ ନକ୍ସଲ ହମଲା କରିଦେଇଥିଲେ। ବିଜିଏଲ ସାହାଯ୍ୟରେ ଆକ୍ରମଣ କରିଥିଲେ। ଭିଡିଓରେ ଯବାନଙ୍କ କ୍ୟାମ୍ପ ଉପରକୁ ବିଜିଏଲ ପଡି ବିସ୍ଫୋରଣ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛ। ଯବାନ ଏହି ଆକ୍ରମଣରେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଯବାନ ତୁରନ୍ତ ମୋର୍ଚ୍ଚା ସମ୍ଭାଳି ନକ୍ସଲ ଉପରେ ଆକ୍ରମଣ କରିଥିଲେ। ଦୁଇ ପଟରୁ ଦୀର୍ଘ ସମୟ ଧରି ଗୁଳି ବିନିମୟ ଘଟିଥିଲା।
ଭିଡିଓରେ ଦୁଇ ପଟରୁ ଗୁଳି ଶଦ୍ଦ ସ୍ପଷ୍ଟ ଶୁଭୁଥିଲା। ଯବାନ ମଧ୍ୟ ନକ୍ସଲଙ୍କର ଗୁଳିର ଜବାବ ଦୃଢତାର ସହ ଦେଇଥିଲେ। ଏଭଳି ଅଚାନକ ନକ୍ସଲ କ୍ୟାମ୍ପ ଉପରେ ଆକ୍ରମଣ କରିବେ ବୋଲି ଯବାନ ଭାବିନଥିଲେ। ତେବେ ନକ୍ସଲ ଯବାନ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ଏବେ ଯବାନ ଜଂଗଲରେ ସର୍ଚ୍ଚ ଅପରେସନକୁ ଜୋରଦାର କରୁଛନ୍ତି। ଏହି ଘଟଣା ପରେ ନାରାୟଣପୁର ଜିଲ୍ଲାରେ ଥିବା ସମସ୍ତ କ୍ୟାମ୍ପଗୁଡିକରେ ସୁରକ୍ଷା କଡାକଡି କରାଯାଇଛି।