କିପରି ଥିଲା ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ?

ମାଲକାନଗିରି: ଗତ ୨୩ ତାରିଖରେ ସୀମାନ୍ତ ଛତିଶଗଡ଼ର ବସ୍ତର ଅଂଚଳର ସିଲେଙ୍ଗର ଓ ଟେକଲଗୁଡେମ ମଧ୍ୟରେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଏଥିରେ ପୁଲିସ କହୁଛି ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଯବାନ ଆହତ ହୋଇଥିଲେ। ଗତ ଜାନୁଆରିରୁ ଲଗାତାର ପୁଲିସ ଓ ସୁରକ୍ଷାକର୍ମୀ ନକ୍ସଲଙ୍କୁ ନାକେଦମ କରି ରଖିଛନ୍ତି। ଲଗାତାର ୬ ମାସ ମଧ୍ୟରେ ପୁଲିସ ଗୁଳିରେ ୧୩୦ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ୩୦୦ରୁ ଊର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି।

ତେବେ ନକ୍ସଲ ସୁରକ୍ଷାକର୍ମୀଙ୍କ ଏଭଳି ଆକ୍ରମଣରେ ଘାଇଲା ବାଘ ଭଳି ରକ୍ତମୁଖା ହୋଇ ରହିଥିଲେ। ସୁଯୋଗ ଖୋଜୁଥିଲା କିପରି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବେ।ନକ୍ସଲଙ୍କୁ ସୂଚନା ମିଳିଥିଲା ଯେ ପ୍ରତିଦିନ ସିଲେଙ୍ଗରରୁ ଟେକଲଗୁଡେମ ଅଂଚଳକୁ ଏସଟିଏଫ ଯବାନ ରାସନ ସାମାନ ଆଣିବା ପାଇଁ ଯିବା ଆସିବା କରନ୍ତି। ତେବେ ଏହି ରାସ୍ତାରେ ନକ୍ସଲ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ। ରାସନ ନେଇ ଆସୁଥିବା ଗାଡିକୁ ଉଡାଇବାକୁ ହେଲେ ବିପୁଳ ଆରଡିଏକ୍ସ ଖଞ୍ଜିବାକୁ ପଡିବ।ନକ୍ସଲ ପ୍ରାୟ ୫୦ କିଲୋରୁ ଊର୍ଦ୍ଧ୍ବ ଆରଡିଏକ୍ସ ଏହି ରାସ୍ତାରେ ଖଞ୍ଜିଥିଲେ। ନକ୍ସଲଙ୍କର ଅନୁମାନ ଥିଲା ଯେ ରାସନ ସାମାନ ପାଇଁ ଯାଉଥିବା ଗାଡିରେ ନିଶ୍ଚିତ ଭାବେ ୧୦ରୁ ଊର୍ଦ୍ଧ୍ବ ଯବାନ ବସିଥିବେ।

ତେବେ ଗାଡ଼ିକୁ ସୁରକ୍ଷା ଦେବା ପାଇଁ ମଟର ସାଇକେଲରେ ଯବାନମାନେ ରାସ୍ତା ସଫା କରି ଚାଲିଥିଲେ। ରାସ୍ତାରେ ଯେପରି ନକ୍ସଲ ଟ୍ରକ ଉପରେ ଆକ୍ରମଣ ନକରନ୍ତି ସେଥିପ୍ରତି ଯବାନ ସତର୍କତା ଅବଲମ୍ବନ କରୁଥିଲେ। କିନ୍ତୁ ନକ୍ସଲ ପୂର୍ବରୁ ଟ୍ରକୁ ଉଡାଇବା ନେଇ ସମସ୍ତ ପ୍ରସ୍ତୁତି ସାରିଥିଲେ। ଏପରିକି ଟ୍ରକକୁ ସୁରକ୍ଷା ଦେଉଥିବା ଯବାନ ମଧ୍ୟ ଏହାର ସୁରାକ ପାଇପାରିନଥିଲା। ବୋମାକୁ ଏଭଳି ଖଞ୍ଜା ଯାଇଥିଲା ଯେ ତାହା ଠିକ ବୋମା ନିକଟରେ ଗାଡିଟି ପହଞ୍ଚିବା ମାତ୍ରେ ବିସ୍ଫୋରଣରେ ଉଡିବ। ରାସ୍ତାକଡ଼ରେ ଥିବା ଏକ ମହୁଲ ଗଛକୁ ନକ୍ସଲ କରିଥିଲେ ଚିହ୍ନ। ମହୁଲ ଗଛର ସିଧାରେ ରାସ୍ତା ଉପରେ ଖଞ୍ଜିଥିଲେ ବୋମା ଏବଂ ମହୁଲ ଗଛ ସିଧାରେ ପ୍ରାୟ ୨୦୦ ମିଟର ଦୁରରେ ନକ୍ସଲ ବସି ଗାଡିକୁ ଅପେକ୍ଷା କରିଥିଲେ। ଟ୍ରକଟି ଯେତେବେଳେ ମହୁଲ ଗଛ ନିକଟରେ ପହଞ୍ଚିଲା ନକ୍ସଲ ତୁରନ୍ତ ରିମୋଟ ସୁଇଚ ଦବାଇ ଦେଇଥିଲେ। ଯାହାଫଳରେ ଟ୍ରକଟି ପ୍ରାୟ ୧୦୦ ମିଟର ଉପରକୁ ଉଡିଥିଲା। ଟ୍ରକଟି ସଂପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିଲା। ବିସ୍ଫୋରଣରେ ରାସ୍ତାରେ ୫ ଫୁଟର ଗାତ ସୃଷ୍ଟି ହୋଇଥିଲା। ବିସ୍ଫୋରଣର ଶବ୍ଦ ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଭିଥିଲା। ସବୁ ରାସନ ସାମାନ ରାସ୍ତା ଉପରେ ବିଛେଇ ହୋଇଯାଇଥିବା ବେଳେ ୨ ଜଣ ଯବାନ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ।ଯବାନଙ୍କ ମୋବାଇଲ ଭାଙ୍ଗି ଚୁରମାର ହେଲା ଭଳି ଶରୀରର ଅଂଶଗୁଡିକ ମଧ୍ୟ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ବିସ୍ଫୋରଣ ଏତେ ଭୟାନକ ଥିଲା ଗାଡିରେ ଯଦି ୫୦ ଜଣ ବସିଥାନ୍ତେ ତେବେ ସମସ୍ତେ ମୃତ୍ୟୁବରଣ କରିଥାନ୍ତେ।

ସମ୍ବନ୍ଧିତ ଖବର