ଦୂରଦର୍ଶନ ଟିମ୍‌ ଉପରେ ନକ୍ସଲ ହମ୍‌ଲା, ଓଡ଼ିଆ କ୍ୟାମେରାମ୍ୟାନ, ୨ଯବାନ ମୃତ

ମାଲକାନଗିରି: ଛତିଶଗଡ଼ ନିର୍ବାଚନ ଖବର ସଂଗ୍ରହ କରିବାକୁ ଯାଇଥିବା ଦୂରଦର୍ଶନ ଟିମ୍‌ ଉପରେ ନକ୍ସଲ ହମ୍‌ଲା କରିଛନ୍ତି। ଏଥିରେ ଓଡ଼ିଆ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁ ଏବଂ ଦୁଇ ସିଆରପିଏଫ ଯବାନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ସେହିପରି ଅନ୍ୟ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣ ସମୟରେ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ସୁରକ୍ଷା ଯବାନଙ୍କୁ ସାମ୍‌ନା ନ କରିପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ମୃତ ଅଚ୍ୟୁତ‌ାନନ୍ଦଙ୍କ ଘର ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଘୁଷରମୁଣ୍ଡା ଗାଁରେ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ମୃତ ଅଚ୍ୟୁତାନନ୍ଦଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଓ ପତ୍ନୀଙ୍କୁ ଚାକିରି ଦେବେ ‌ବୋଲି ଘୋଷଣା କରିଛନ୍ତି। ଛତିଶଗଡ଼ର ଆରନପୁର ଥାନା ଅନ୍ତର୍ଗତ ନୀଳବାୟାଠାରେ ଏହି ଘଟଣା ଘଟିଛି। ନୀଳବାୟା ଅଞ୍ଚଳରେ ୧୯୯୮ ମସିହାରେ ଶେଷଥର ପାଇଁ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ନିର୍ବାଚନ କମିଶନଙ୍କ ନିର୍ଦେଶ ପରେ ଆଗାମୀ ବିଧାନସଭା ନିର୍ବାଚନରେ ଏଠାରେ ମତଦାନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଆସନ୍ତା ୧୨ତାରିଖ ଦିନ ଏଠାରେ ପ୍ରଥମ ପର୍ଯ୍ୟାୟରେ ‌େଭାଟ ଗ୍ରହଣ କରାଯିବ। ତେଣୁ ଦିଲ୍ଲୀରୁ ୩ ଜଣିଆ ଦୂରଦର୍ଶନ ଟିମ୍ ଏହି ବୁଥ୍ ଏବଂ ଆଖପାଖ ଅଞ୍ଚଳରେ ରହୁଥିବା ଭୋଟରଙ୍କ ସଂପର୍କରେ ଖବର ସଂଗ୍ରହ କରିବାକୁ ଆଜି ସକାଳେ ନୀଳବାୟା ପହଞ୍ଚିଥିଲେ। ଏହି ଟିମକୁ ସୁରକ୍ଷା ଯୋଗାଇ ଦେବାକୁ ସିଆର୍‌ପିଏଫ୍‌ ଯବାନଙ୍କୁ ନିୟୋଜିତ କରାଯାଇଥିଲା। ତେବେ ଖବର ସଂଗ୍ରହ କରି ଫେରିବା ରାସ୍ତାରେ ପୂର୍ବରୁ ଆମ୍ବୁସ୍ ଲଗାଇ ବସିଥିବା ପ୍ରାୟ ୩୦୦ ନକ୍ସଲ ଅନ୍ଧାଧୁନ୍‌ ଗୁଳି ଚଳାଇବା ସହ ହ୍ୟାଣ୍ଡ- ଗ୍ରେନେଡ ଲକ୍ଷ୍ୟ କରି ଫୋପାଡ଼ିଥିଲେ। ସୁରକ୍ଷାରେ ଥିବା ଯବାନ ବି ପାଲଟା ଜବାବ ଦେଇଥିଲେ। ଯାହାଫଳରେ ଉଭୟପଟୁ ପ୍ରାୟ ଗୋଟିଏ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ଦୂରଦର୍ଶନର ଦୁଇ ସାମ୍ବାଦିକ ଗୁରୁଣ୍ଡି ଗୁରୁଣ୍ଡି ଘଟଣାସ୍ଥଳରୁ ପ୍ରାୟ ଦେଢ଼ ଶହ ମିଟର ଦୂରକୁ ଚାଲିଯିବାରୁ ଅଳ୍ପକେ ବର୍ତି ଯାଇଥିଲେ। କିନ୍ତୁ କ୍ୟାମେରାମ୍ୟାନ୍ ଅଚ୍ୟୁତ‌ାନନ୍ଦ ନକ୍ସଲଙ୍କ ହାବୁଡ଼ରେ ପଡ଼ିଯିବାରୁ ଅତି ନିକଟରୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଘଟଣା ପରେ ନକ୍ସଲ ତାଙ୍କ କ୍ୟାମେରା ନେଇ ଚାଲି ଯାଇଥିବା କୁହାଯାଉଛି। ସେହିପରି ଏସଆଇ ରୁଦ୍ରପ୍ରତାପ ସିଂହ ଏବଂ ଏଏସ୍‌ଆଇ ମଙ୍ଗଲରାମ ନକ୍ସଲ ଗୁଳିରେ ଘଟଣାସ୍ଥଳରେ ସହିଦ ହୋଇଯାଇଛନ୍ତି।

ନକ୍ସଲ ହମ୍‌ଲା ସଂପର୍କରେ ଖବର ମିଳିବା ପରେ ବହୁ ସଂଖ୍ୟାରେ ଯବାନ ଘଟଣାସ୍ଥଳକୁ ଯାଇଛନ୍ତି। ଗୁରୁତର ଅବସ୍ଥାରେ ପଡ଼ିଥିବା ଅନ୍ୟ ଦୁଇ ଯବାନ ରାକେଶ କୌଶଲ ଏବଂ ବିଷ୍ଣୁ ନେତାମଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରାଯାଇଛି। ନକ୍ସଲଙ୍କ ବିରୋଧରେ ଲୋକଙ୍କ ମତ ନେଉଥିଲେ ଏବଂ ସୁରକ୍ଷା ପାଇଁ ଯବାନଙ୍କ ସହାୟତା ନେଇଥିବା ଅଭିଯୋଗ କରି ମାଓବାଦୀ ଏହି ଆକ୍ରମଣ କରିଥିବା କୁହାଯାଉଛି। ଅନ୍ୟପଟେ ଗ୍ରାମବାସୀଙ୍କ କହିବା ହେଲା ଗତ ୧୦ଦିନ ହେଲା ନକ୍ସଲ ସେମାନଙ୍କୁ ଧମକ ଦେଉଥିଲେ। ଭୋଟ ନଦେବାକୁ କହି ମାରପିଟ୍ କରୁଥିଲେ। ଏହାପରେ ଦୂରଦର୍ଶନ ଟିମ୍ ପହଞ୍ଚିଥିବା ବେଳେ ଯାହା ସତ ସେମାନେ କ୍ୟାମେରା ସମ୍ମୁଖରେ ପ୍ରକାଶ କରିଥିବା କହିଛନ୍ତି। ପ୍ରକାଶଥାଉକି, ପୂର୍ବରୁ ବି ବର୍ଷକ ତଳେ ଦୈନିକ ହିନ୍ଦୀ ଖବର କାଗଜ ପତ୍ରିକାର ଗ୍ରାମାଞ୍ଚଳର ସାମ୍ବାଦିକଙ୍କୁ ବି ନକ୍ସଲ ହତ୍ୟା କରିଥିଲେ।

ଗଣମାଧ୍ୟମ ଉପରେ ଆକ୍ରମଣକୁ ନିନ୍ଦା:
ଗଣମାଧ୍ୟମ ଉପରେ ଆକ୍ରମଣକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଛତିଶଗଡ଼ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଡାକ୍ତର ରମଣ ସିଂହ ଘଟଣାର ନିନ୍ଦା କରିଛନ୍ତି। ଡିଆଇଜି ବି. ସୁନ୍ଦରରାଜ ଘଟଣା ସଂପର୍କରେ ପ୍ରକାଶ କରି କହିଛନ୍ତି ଯେ, ନକ୍ସଲ ବିକାଶ ବିରୋଧୀ କାମ କରୁଛନ୍ତି। ନିର୍ବାଚନକୁ ଭଣ୍ଡୁର କରିବାକୁ ନକ୍ସଲ ପୂରା ଜୋର ଲଗାଇ ଦେଇଛନ୍ତି। ଯାହାର କଡ଼ା ଜବାବ ଦିଆଯାଉଛି ଏବଂ ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ପୁଲିସ୍‌ ବ୍ୟବସ୍ଥା ଗ୍ରହଣ କରିଛି।

ସମ୍ବନ୍ଧିତ ଖବର