ମାଲକାନଗିରି: ସୀମାନ୍ତରେ ନକ୍ସଲ ଏବେ ରକ୍ତମୁଖା ହୋଇପଡିଛନ୍ତି। ଲଗାତାର ଯବାନଙ୍କର ଚଢ଼ାଉରେ ନକ୍ସଲ ନିହତ ହେଉଥିବା ବେଳେ ସଂଗଠନ ଛାଡ଼ି ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେଲେଣି। ଆଜି ବସ୍ତର ଜିଲ୍ଲାର ବିଭିନ୍ନ ଅଂଚଳରେ ନକ୍ସଲ ବ୍ୟାନର ଓ ପୋଷ୍ଟର ମାରିଛନ୍ତି। କସ୍ତୁରପାଲ ସରପଞ୍ଚ କମଲୁ କଶ୍ୟପ ଓ ପାରାପୁର ପଞ୍ଚାୟୟତର ନାଏବ ସରପଞ୍ଚ ଓମପ୍ରକାଶ ଠାକୁର ଆରଏସଏସର ଏଜେଣ୍ଟ ବନି ଲୋକଙ୍କୁ ଧର୍ମ ପରିବର୍ତ୍ତନ ନାମରେ ନିର୍ଯାତନା ଦେଉଛନ୍ତି ବୋଲି ନକ୍ସଲ ପୋଷ୍ଟର ଓ ବ୍ୟାନରରେ ଉଲ୍ଲେଖ କରିଛନ୍ତି।

Advertisment

ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବା ଆଦିବାସୀଙ୍କ ଉପରେ ଜୁଲମ କରାଯାଉଛି। ଖ୍ରୀଷ୍ଟ ଧର୍ମାବଲାମ୍ବୀ ଲୋକଙ୍କ ସହ କଥା ହେଲେ ସରପଞ୍ଚ ୫୦୫୧ଟଂକା ଜରିମାନା ବଳପୂର୍ବକ ଆଦାୟ କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି। ସେହିପରି ଆଦିବାସୀମାନଙ୍କର ଜମିରୁ ଫସଲ କାଟି ଦିଆଯାଉଛି ସେମାନଙ୍କୁ ମାରପିଟ କରାଯାଉଛି ବୋଲି ମଧ୍ୟ ଅଭିଯୋଗ ହୋଇଛି। ବଳଦ ବିକ୍ରି କରୁଥିବା ଲୋକଙ୍କୁ ମଧ୍ୟ ଏମାନେ ଟାର୍ଗେଟ କରୁଥିବା କୁହାଯାଉଛି।

ସରପଞ୍ଚ ଓ ନାଏବ ସରପଞ୍ଚ ଉନ୍ନୟନ ଓ ବିକାଶ ନାମରେ ଟଂକା ହଡପ କରିଚାଲିଛନ୍ତି। ଏଥିରୁ ନିବୃତ ନରହିଲେ ପ୍ରଜାକୋର୍ଟରେ ଦଣ୍ଡିତ କରାଯିବ ବୋଲି ନକ୍ସଲ ପୋଷ୍ଟର ଓ ବ୍ୟାନରରେ ଉଲ୍ଲେଖ କରିଛନ୍ତି। ଆରଏସଏସ ଓ ବିଜେପିର ଟଂକା ଖାଇ ଆଦିବାସୀଙ୍କ ମଧ୍ୟରେ ଧର୍ମ ପରିବର୍ତ୍ତନ ନାମରେ ଲଢେଇ ବନ୍ଦ କରାଯାଉ। ଏଭଳି ଲୋକଙ୍କୁ ଗାଁରେ ପଶାନ୍ତୁ ନାହିଁ। ଗାଁରେ ଆସିଲେ ମାରି ଗୋଡାନ୍ତୁ। ନିଜ ନିଜ ମଧ୍ୟରେ ବୈଠକ କରି ଆପୋଷ ବୁଝାମଣାରେ ଶାନ୍ତିରେ ରୁହନ୍ତୁ ବୋଲି ନକ୍ସଲ ପକ୍ଷରୁ କୁହାଯାଇଛି। ପୁଲିସ କ୍ୟାମ୍ପ ପ୍ରସ୍ତୁତ କରି ମାଓବାଦୀଙ୍କୁ ଦମନ କରିବାକୁ ପ୍ରତିଦିନ ନିରୀହ ଲୋକଙ୍କୁ ଟାର୍ଗେଟ କରୁଛି ଓ ନରସଂହାର ଘଟାଉଛି। ଜଳ, ଜଂଗଲ ଓ ଜମି ପାଇଁ ଅନବରତ ଲଢେଇ ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ତେବେ ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ନକ୍ସଲ ନିବୃତ୍ତ ନରହିଲେ ମୃତ୍ୟୁ ଦଣ୍ଡ ଦେବେ ବୋଲି ଧମକ ଦେଇଛନ୍ତି।