ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଗତକାଲି ନକ୍ସଲ ବିରୋଧୀ ଅଭିଯାନ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସିଆର୍ପିଏଫ୍ ୬୦ ବାଟାଲିୟନ୍ର ଜଣେ ଇନ୍ସପେକ୍ଟରଙ୍କ ସମେତ ତିନିଜଣ ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି (ଶନିବାର) ଭୋର ସମୟରେ ସିଆର୍ପିଏଫ୍ ହେଡ୍ କନେଷ୍ଟବଳ ମହେନ୍ଦ୍ର ଲସ୍କର (୪୬) ସହିଦ ହୋଇଛନ୍ତି। ଇନ୍ସପେକ୍ଟର କୌଶଳ କୁମାର ମିଶ୍ରା (୫୯), ଏଏସ୍ଆଇ ରାମକୃଷ୍ଣ ଗାଗରାଇ (୫୪)ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁହିଁଙ୍କୁ ରାଉରକେଲା ବିମାନବନ୍ଦରରୁ ଅପରାହ୍ଣ ୨ଟାରେ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି।
ଅନ୍ୟ ୨ ଗୁରୁତରଙ୍କୁ ଦିଲ୍ଲୀ ଏମ୍ସ ଏୟାର ଲିଫ୍ଟ
ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ହାଇ ଆଲର୍ଟ
୮ ମାସରେ ୩ ଯବାନ ସହିଦ, ୨ ହାତୀଙ୍କ ମୃତ୍ୟୁ
ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ରାଉରକେଲା ଏସ୍ପି ନୀତେଶ ୱାଧୱାନୀ ରାଉରକେଲା ଆପୋଲୋ ହସ୍ପିଟାଲରେ ପହଞ୍ଚି ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏଏସ୍ଆଇ ରାମକୃଷ୍ଣ ଗାଗରାଇଙ୍କ ଭାଇ ତଥା ଖରସୁଆଁ ବିଧାୟକ ଦଶରଥ ଗାଗରାଇ, ବିଜୟ ସିଂ ଗାଗରାଇ ଓ ତାଙ୍କ ପରିବାର ମଧ୍ୟ ହସ୍ପିଟାଲରେ ପହଞ୍ଚିଥିଲେ। ସହିଦ ମହେନ୍ଦ୍ର ଲସ୍କରଙ୍କ ପାର୍ଥିବଶରୀରକୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ପୈତୃକ ଗାଁ ଆସାମର କାମପୁର କୁୱାରିଆକୁ ପଠାଯାଇଛି। ବିସ୍ଫୋରଣ ପରେ ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ୍କୁ ଜୋରଦାର କରାଯାଇଥିବାବେଳେ ଓଡ଼ିଶା ସୀମାନ୍ତରେ ହାଇଆଲର୍ଟ ଜାରି କରାଯାଇଥିବା ପଶ୍ଚିମାଞ୍ଚଳ ଡିଆଇଜି ଶ୍ରୀ ରାୟ କହିଛନ୍ତି।
ସୂଚନାଯୋଗ୍ୟ, ଗତ ୮ ମାସ ମଧ୍ୟରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୩ ଯବାନ ସହିଦ ହୋଇଛନ୍ତି। କେବଳ ଯବାନ ନୁହନ୍ତି, ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣରେ ଦୁଇଟି ହାତୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ବର୍ତ୍ତମାନ ସରଣ୍ଡା ଜଙ୍ଗଲ ନକ୍ସଲ ସଙ୍ଗଠନର ସୁରକ୍ଷିତ ଆଡ଼ାସ୍ଥଳ ପାଲଟିଛି। ସିଆର୍ପିଏଫ୍ ଓ ସ୍ଥାନୀୟ ପୁଲିସକୁ ଚକ୍ମା ଦେଇ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଇ ଖସିଯାଉଛନ୍ତି ନକ୍ସଲ।