ପୁଣି ମାତିଲେ ନକ୍ସଲ : ସୁରକ୍ଷା ଯବାନଙ୍କୁ ଟାର୍ଗେଟ୍‌ କରି ବିସ୍ଫୋରଣ, ଜଣେ ଯବାନ ଗୁରୁତର ଆହତ

୨ ନକ୍ସଲ ବି ନିହତ, ଜଣେ ଗିରଫ

ମାଲକାନଗିରି : ସାଧାରଣ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଦିବସରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ଆଜି ପୁଣି ନକ୍ସଲ ହମ୍‌ଲା କରିଛନ୍ତି। ଦନ୍ତେୱାଡା ଜିଲ୍ଲାରେ କମ୍ବିଂ ଅପରେସନରେ ବାହାରିଥିବା ଡିଆରଜି ଏବଂ ଜିଲ୍ଲା ପୁଲିସ ଉପରେ ନକ୍ସଲ ଅତର୍କିତ ଆକ୍ରମଣ କରିଛନ୍ତି। ସେହିପରି ଅନ୍ୟ ଗୋଟିଏ ଘଟଣାରେ ଆଇଟିବିପି ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି। ଉଭୟ ଘଟଣାରେ ଦୁଇ ଜଣ ନକ୍ସଲ ନିହତ ହୋଇଥିବାବେଳେ ଜଣଙ୍କୁ ଗିରଫ କରାଯାଇଛି ଏବଂ ଜଣେ ଆଇଟିବିପି ଯବାନ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, କୁଆକୁଣ୍ଡ ଥାନା ଅଂଚଳରେ ଡିଆରଜି ଏବଂ ଜିଲ୍ଲା ପୁଲିସ ପକ୍ଷରୁ ମିଳିତ ଭାବେ ଆଜି ସକାଳେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। ଏନେଇ ପୂର୍ବରୁ ଖବର ମିଳି ଯାଇଥିବାବେଳେ ଘାତ ଲଗାଇ ବସିଥିବା ନକ୍ସଲ ଅତର୍କିତ ଭାବେ ଯବାନଙ୍କ ଉପରେ ଗୁଳିବର୍ଷଣ କରିଥିଲେ। ଏଭଳି ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପୂର୍ବରୁ ପ୍ରସ୍ତୁତ ରହିଥିବା ଯବାନ ସୁରକ୍ଷିତ ସ୍ଥାନରୁ ପାଲଟା ଜବାବ ଦେବା ଆରମ୍ଭ କରିଥିଲେ। ଶେଷରେ ନକ୍ସଲ ଛତ୍ରଭଙ୍ଗ ଦେବାକୁ ବାଧ୍ୟ ହୋଇଥିଲେ। ଏହାପରେ ଆରମ୍ଭ ହୋଇଥିବା ସର୍ଚ ଅପରେସନ ସମୟରେ ଯବାନଙ୍କୁ ଜଣେ ମହିଳା ଓ ଜଣେ ପୁରୁଷ ମାଓବାଦୀଙ୍କ ଶବ ମିଳିଥିଲା।

ଅନ୍ୟପକ୍ଷରେ ଆଜି ପୁଣି ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟକରି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି। ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ଆଇଟିବିପି ଯବାନ ନକ୍ସଲ ପ୍ରବଣ ଅଂଚଳରେ ସୁରକ୍ଷା ଦାୟିତ୍ବରେ ରହିଛନ୍ତି। ଯବାନମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ସମୟରେ ଟାର୍ଗେଟ କରି ନକ୍ସଲ ଗୋଟିଏ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ। ଏଥିରେ ଜଣେ ଯବାନ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର