ମାଓ ଶିବିର ଠାବ, ବିପୁଳ ସାମଗ୍ରୀ ଜବତ

ନୂଆପଡ଼ା : ଓଡ଼ିଶା ଏବଂ ଛତିଶଗଡ ସୀମାନ୍ତ ସିନାପାଲି ଥାନା କନ୍ଦେନଝରନ ଗ୍ରାମ ନିକଟସ୍ଥ ଜଙ୍ଗଲରେ ସୋମବାର ସିଆରପିଏଫ୍‌ ଓ ଡିଭିଏଫ୍‌ ଯବାନମାନେ କମ୍ବିଂ କରୁଥିବା ସମୟରେ ଏକ ମାଓ ଶିବିର ଠାବ କରିଥିବା ନୂଆପଡ଼ା ଏସ୍‌ପି ସ୍ମିତ ପି. ପରମାର ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ୍‌ପି ପରମାର କହିଛନ୍ତି ଯେ, ଗତ ୧୨ ତାରିଖ ରାତିରେ ସିଆରପିଏଫ୍‌ ଓ ନୂଆପଡ଼ା ପୁଲିସର ଡିଭିଏଫ୍‌ ଯବାନମାନେ ପାଟଧରା ସଂରକ୍ଷିତ ଜଙ୍ଗଲରେ କମ୍ବିଂ ଅପରେସନ ଚଳାଇଥିବା ବେଳେ ୧୩ ତାରିଖ କନ୍ଦେନଝରନ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ମାଓ ଶିବିର ଠାବ କରିଥିଲେ। ଏହା ମେନପୁର -ନୂଆପଡା ଡିଭିଜନର ବୋଲି ଜଣାପଡ଼ିଛି। ଯବାନଙ୍କୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଯବାନମାନେ ମାଓ ଶିବିରକୁ ଠାବ କରି ବିଭିନ୍ନ ମାଓ ସାମଗ୍ରୀ ଜବତ କରିଥିଲେ। ଏହି ମାଓ କ୍ୟାମ୍ପରୁ ରାଇଫଲ, ୯ଟି ଡିଟୋନେଟର, ୩ଟି ଜିଲୋଟିନ ଷ୍ଟିକ, ବ୍ୟାଟେରି, ଇଲେକ୍ରଟି ତାର, ୪ଟି ତୀର , ୨ପ୍ୟାକେଟ ଏୟାର ରାଇଫଲ ଗୁଳି, ମେଡିସିନ, ରିମୋଟ ସେଟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ମାଓ ପୁସ୍ତିକା ଜବତ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀେରେ ସିଆରପିଏଫ କମାଣ୍ଡେଣ୍ଟ ନରେନ୍ଦ୍ର କୁଣ୍ଡୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର