ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ପୁଣି ମାଓବାଦୀ ସକ୍ରିୟ ହୋଇଥିବା ଦେଖାଦେଇଛି। ମାଓବାଦୀମାନେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା ବେଳେ ଯବାନମାନେ ଏହାକୁ ପଣ୍ଡ କରିଛନ୍ତି। ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ପାଟଦରା ସଂରକ୍ଷଣ ଜଙ୍ଗଲର ଝୋଲାପଡ଼ା ଗାଁରେ ଏକ ମାଓକ୍ୟାମ୍ପକୁ ଠାବ କରିବା ସହ ୨୮ ଡିଟୋନେଟର ସହ ବହୁ ମାଓ ସମାଗ୍ରୀ ଜବତ କରାଯାଇଛି। ଅନ୍ୟପକ୍ଷରେ ମାଓ କ୍ୟାମ୍ପରେ ଥିବା ୧୫ରୁ ୨୦ ଜଣ ପୁରୁଷ ଓ ମହିଳା ମାଓବାଦୀ ଛତ୍ରଭଙ୍ଗ ଦେଇ ଛତିଶଗଡ଼ ପଟକୁ ଚାଲିଯାଇଥିବା ନୂଆପଡ଼ା ଏସ୍ପି ଏସ୍ପି ଜି.ଆର ରାଘବେନ୍ଦ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏସ୍ପିଙ୍କ ସୂଚନା ଅନୁସାରେ, ଛତିଶଗଡ଼ ସୀମାନ୍ତ ପାଟଦରା ସଂରକ୍ଷଣ ଜଙ୍ଗଲର ଝୋଲାପଡ଼ା ଗାଁରେ ବର୍ଷା ଋତୁର ସୁଯୋଗ ନେଇ ମାଓବାଦୀମାନେ ପୁଣି ଥରେ ଏକତ୍ର ହୋଇ ମେଳି ବାନ୍ଧି ବଡ଼ଧରଣର ଆକ୍ରମଣ କରିବାକୁ ଯୋଜନା କରୁଥିଲେ। ପୁଲିସ୍ର ଗୁଇନ୍ଦା ବିଭାଗ ସୂତ୍ରରୁ ଖବରପାଇ ୧୭ ତାରିଖ ସିଆର୍ପିଏଫ୍, ଏସ୍ଓଜି, ଡିଭିଏଫ୍ ଓ କୋବରା ଟିମ୍ ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ଯବାନମାନେ ଆସୁଥିବା ଖବରପାଇ ମେନପୁର- ନୂଆପଡ଼ା ଡିଭିଜନର ୧୫ରୁ ୨୦ ଜଣ ସଶସ୍ତ୍ର ପୁରୁଷ ଓ ମହିଳା ମାଓବାଦୀ କ୍ୟାମ୍ପରୁ ଛତ୍ରଭଙ୍ଗ ଦେଇଥିଲେ। ପରେ ଯବାନମାନେ ମାଓ କ୍ୟାମ୍ପକୁ ଠାବକରି ସେଠାରୁ ୨୮ଟି ଡିଟୋନେଟର, ବିସ୍ଫୋରକ, ଏକେ-୪୭ ବନ୍ଧୁକର ଗୁଳି ଖୋକା, ୩ଟି ବ୍ୟାଟେରି, ମାଓବାଦୀ ପୋଷାକ, ପୁସ୍ତକ, ଔଷଧ ସହ ବହୁ ସାମଗ୍ରୀ ଜବତ କରାଯାଇଛି। ତେବେ ବର୍ତ୍ତମାନ ବି ଯବାନମାନଙ୍କ ପକ୍ଷରୁ ଛତିଶଗଡ଼ ସୀମାନ୍ତରେ ସର୍ଚ୍ଚ ଅପରେସନ ଚାଲିଥିବା ସୂଚନା ଦିଆଯାଇଛି। ଏହି ସମ୍ମିଳନୀରେ ସିଆର୍ପିଏଫ୍ ୨୧୬ କମାଣ୍ଡାଣ୍ଟ ଏରିକ୍ ଗିଲବର୍ଟ ଯୋସ୍, ୨୧୬ ଡେପୁଟି କମାଣ୍ଡାଣ୍ଟ ରତିନ୍ଦ୍ର ଚରଣ ମିଶ୍ର, ୧୯ ବାଟାଲିଅନ୍ ଡେପୁଟି କମାଣ୍ଡାଣ୍ଟ ଡି.ଇ.କିଣ୍ଡୋ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଗତ ଜୁଲାଇ ମାସରେ ଯବାନମାନେ ୩ଟି ମାଓ କ୍ୟାମ୍ପ ଠାବ କରିଥିବା ବେଳେ ଏବେ ପୁଣି ସୀମାନ୍ତରେ ମାଓବାଦୀ ସକ୍ରିୟ ହେବା ପୁଲିସ୍ ପାଇଁ ଚାଲେଞ୍ଜ ସୃଷ୍ଟି ହୋଇଛି।