ରାଉରକେଲା/ବିଶ୍ରା: କୋହ୍ଲାଣ ଜଙ୍ଗଲରେ ଚାଲିଥିବା ବଡଧରଣ ନକ୍ସଲ ଶିବିରକୁ ମିଳିତ ଯବାନମାନଙ୍କ ପକ୍ଷରୁ ଧ୍ବସ୍ତ କରାଯାଇଛି। ଘଟଣାସ୍ଥଳରୁ ୫ କେଜି ଓଜନର ୩ ଆଇଇଡି ବୋମା, ନକ୍ସଲ ପୁସ୍ତିକା, ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ଦୁର୍ଦ୍ଦାନ୍ତ ନକ୍ସଲ ନେତା ମିସ୍‌ରି ବେଶ୍ରା, ଅନ୍‌ମୋଲ, ମୋଚ୍ଛୁ, ଅଜୟ ମହାତୋଙ୍କ ନେତୃତ୍ବରେ କୋହ୍ଲାଣ ଜଙ୍ଗଲରେ ନକ୍ସଲ ଶିବିର ଚାଲିଥିବା ଗୁଇନ୍ଦା ସୂଚନା ମିଳିଥିଲା।

Advertisment

ସୂଚନା ଆଧାରରେ ୨୦୯ କୋବ୍ରା ବଟାଲିୟନ୍‌, ଝାରଖଣ୍ଡ ଜାଗୁଆର, ସିଆର୍‌ପିଏଫ୍‌ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଥିଲା। ଆଜି ମିଳିତ ଯବାନ ଓଡ଼ିଶା -ଝାଡ଼ଖଣ୍ଡ ସୀମାନ୍ତ ଟଣ୍ଟୋ ଥାନା ଅନ୍ତର୍ଗତ‌ କୋହ୍ଲାଣ ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ ବେଳେ ନକ୍ସଲ ଶିବର ଠାବ କରିଥିଲେ। ଯବାନମାନେ ସର୍ଚ୍ଚ ଅପରେସନ୍‌ କରୁଥିବା ଜାଣି ନକ୍ସଲମାନେ ଶିବିର ଛାଡି ସେଠାରୁ ଚମ୍ପଟ ହୋଇଯାଇଥିଲେ। ଶିବିରରୁ ଜବତ ୩ ଆଇଇଡି ବୋମାକୁ ଘଟଣାସ୍ଥଳରେ ନିଷ୍କ୍ରିୟ କରି ଦିଆଯାଇଛି। ଶିବିରରେ ୨୦ରୁ ୨୫ଟି ନକ୍ସଲ ରହିବାର ବ୍ୟବସ୍ଥା ରହିଥିବା ଯବାନମାନେ ଦେଖିବାକୁ ପାଇଥିଲେ।