ନକ୍ସଲଙ୍କ ବନ୍ଦ ଡାକରା ପ୍ରଭାବଶୂନ୍ୟ; ବସ ଚଳାଚଳ ସ୍ବାଭାବିକ, ସୀମାରେ ଯବାନଙ୍କ ଅପରେସନ ଜୋରଦାର

ମାଲକାନଗିରି: ଗତ ୧୦ ତାରିଖ ଦିନ କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକର ମାଳିପଦର ଜଂଗଲରେ ପୁଲିସ ଏନକାଉଣ୍ଟରରେ ଦୁଇ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରିଥିବା ନେଇ ନକ୍ସଲ ପ୍ରତିବାଦ କରିବା ସହ ଆଜି କୋରାପୁଟ ଏବଂ ମାଲକାନଗିରି ବନ୍ଦ ଡାକରା ଦେଇଥିଲେ। ଆଜି ନକ୍ସଲଙ୍କର ଏହି ବନ୍ଦ ପ୍ରଭାବଶୂନ୍ୟ ଦେଖିବାକୁ ମିଳିଥିଲା। ନକ୍ସଲ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରୁ ଏକ ପ୍ରକାର ବିତାଡିତ ହୋଇଯାଇଛି। ନିଜର ଅସ୍ତିତ୍ବ ନଥିବା ବେଳେ ପ୍ରେସ ଏବଂ ଅଡିଓ ଯୋଗେ ଗଣମାଧ୍ୟମରେ ବିଭିନ୍ନ ସମୟରେ ନିଜର ମତ ରଖୁଛନ୍ତି।

ତେବେ ଏହି ଏନକାଉଣ୍ଟରକୁ ଫେକ ଏନକାଉଣ୍ଟର ବୋଲି କହିବା ସହ ନିରୀହ ଶ୍ରମିକମାନଙ୍କୁ ମାରି ପୁଲିସ ବାହାସ୍ପଟ ମାରୁଥିବା ନକ୍ସଲ କହିଥିଲେ। ଏହାକୁ ବିରୋଧ କରି ଜନସାଧାରଣ, ବୁଦ୍ଧିଜୀବୀ ସମେତ ସମସ୍ତ ସରକାରୀ ବେସରକାରୀ ବିଭାଗର କର୍ମଚାରୀମାନେ ଆନ୍ଦୋଳନରେ ସାମିଲ ହୋଇ ସରକାର ଏବଂ ପୁଲିସ ବିରୋଧରେ ସ୍ବରତ୍ତୋଳନ କରିବାକୁ ଆହ୍ବାନ କରିଥିଲେ। ନକ୍ସଲଙ୍କର ଏହି ଆହ୍ବାନ ଆଉ କାମ କରୁନଥିବା ଦେଖିବାକୁ ମିଳିଛି।

ମାଲକାନଗିରି ଜିଲ୍ଲାରେ ସବୁ ସରକାରୀ ଏବଂ ବେସରକାରୀ ବସ ଚଳାଚଳ କରୁଥିଲା। ପୁଲିସ ତରଫରୁ ପୂର୍ବରୁ ହିଁ ସୀମାକୁ ସିଲ କରଦିଆଯିବା ସହ କମ୍ବିଂକୁ ଅପରେସନକୁ ଜୋରଦାର କରିଛି। ଏସଓଜି ଏବଂ ଡିଭିଏଫ ଯବାନ ସୀମାନ୍ତ ଜଂଗଲରେ କୁମ୍ବିଂ କରିବା ସହ ନକ୍ସଲଙ୍କ ଗତିବିଧି ସଂପର୍କରେ ଗୁଇନ୍ଦା ନଜର ରଖିଥିଲା। କୌଣସି ଅପ୍ରତିକର ଘଟଣା ଯେପରି ନଘଟେ ସେଥିପ୍ରତି ତୀକ୍ଷଣ ଦୃଷ୍ଟି ଦିଆଯାଉଥିଲା। ନକ୍ସଲ ଜିଲ୍ଲାରେ ବେକଫୁଟରେ ରହିଥିବା ବେଳେ ବିଏସଏଫ ତରଫରୁ ମଧ୍ୟ ନକ୍ସଲଙ୍କୁ କୌଣସି ହିଂସା ଘଟାଇବାକୁ ଦିଆଯାଇନଥିବ ଦେଖିବାକୁ ମିଳିଥିଲା।

ବିଏସଏଫ ଯବାନ ଜିଲ୍ଲାର ସମସ୍ତ ସୀମାନ୍ତରେ ଜାଗ୍ରତ ପ୍ରହରୀ ଭଳି ଜଗି ରହିଥିଲେ। ଦୁର୍ଗମ ତଥା ନକ୍ସଲ ପ୍ରବଣ ଅଂଚଳରେ ମଧ୍ୟ ନକ୍ସଲ କୌଣସି ପୋଷ୍ଟର କିମ୍ବା ବ୍ୟାନର ଖଣ୍ଡେ ମାରିପାରିନଥିଲେ। ବିଏସଏଫ ଏବଂ ପୁଲିସ ତରଫରୁ ଯାଞ୍ଚକୁ କଡାକଡି କରାଯିବା ସହ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିଲା। କୋରାପୁଟ ଡିଆଇଜି ରାଜେଶ ପଣ୍ଡିତ ମଧ୍ୟ ଆଜି ମାଲକାନଗିରି ଗସ୍ତ କରି ସ୍ଥିତିର ଅନୁଧ୍ୟାନ କରିଥିବା ଜଣାପଡିଛି। ଜିଲ୍ଲା ପୁଲିସ ସହ ଡିଆଇଜି ଶ୍ରୀ ପଣ୍ଡିତ ରୁଦ୍ଧଦ୍ବାର ବୈଠକରେ ଯୋଗ ଦେଇ ଆଜିର ବନ୍ଦକୁ ନେଇ ଆଲୋଚନା କରିଥିଲେ।ତେବେ ନକ୍ସଲ ଗଡରେ ଆଜି ପୁଲିସର ବିଜୟ ହୋଇଥିବା କୁହାଯାଇଥିଲା।

ସମ୍ବନ୍ଧିତ ଖବର