ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ନକ୍ସଲ କାର୍ଯ୍ୟକଳାପ ଥମୁନି। କିଛି ମାସ ବ୍ୟବଧାନରେ ନକ୍ସଲ ସଙ୍ଗଠନ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଇ ସୀମାନ୍ତ ସେମାନଙ୍କର ଉପସ୍ଥିତି ଜାହିର କରୁଛନ୍ତି। ଆଜି ସୀମାନ୍ତ ମଣ୍ଡବା ଜଙ୍ଗଲରେ ପୁଲିସ ଓ ନକ୍ସଲ ସଙ୍ଗଠନ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟରେ ନକ୍ସଲ ସଙ୍ଗଠନର ଦୁର୍ଦ୍ଦାନ୍ତ ନକ୍ସଲ ରାଜେଶ ଓରାମର ମୃତ୍ୟୁ ହୋଇଛି। ଅନ୍ୟ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ମୃତ ରାଜେଶର ମୁଣ୍ଡ ଜାମିନ ପାଇଁ ଝାଡ଼ଖଣ୍ଡ ସରକାର ୨ ଲକ୍ଷ ଓ ଏନ୍ଆଇଏ ୧ ଲକ୍ଷ, ଏମିତି ମୋଟ ୩ ଲକ୍ଷ ପୁରସ୍କାର ଘୋଷଣା କରାଯାଇଥିଲା। ମୃତ ରାଜେଶ ନକ୍ସଲ ଏରିଆ କମାଣ୍ଡର ରନ୍ଥୁ ଓରାମ ଓ ଲାଜିମ୍ ଅଂସାରୀର ସଙ୍ଗଠନରେ ଜଣେ ସକ୍ରିୟ ସଦସ୍ୟ ଥିଲା। ତା’ ନାଁରେ ସୀମାନ୍ତ ଗୁମଲା ଓ ଲାତେହାର ଜିଲ୍ଲା ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ଲାତେହାର ଚନ୍ଦବା ନିକଟରେ ହୋଇଥିବା ୪ ପୁଲିସକର୍ମୀଙ୍କୁ ହତ୍ୟା ଘଟଣାରେ ରାଜେଶ ଓରାମର ସମ୍ପୃ୍କ୍ତି ରହିଥିଲା।
ଗତ ୨୦୨୨ ଜୁଲାଇ ୧୭ରେ ଏନ୍ଆଇଏ ନିର୍ଦ୍ଦେଶରେ ମୃତ ରାଜେଶ ଓରାମର ଘର ଉପରେ ପୁଲିସ ଚଢ଼ଉ କରିଥିଲା। କେବଳ ମୃତ ରାଜେଶ ନୁହେଁ, ଏନ୍ଆଇଏ ଝାଡ଼ଖଣ୍ଡ ସରକାର ଏକ କୋଟି ଘୋଷଣା କରିଥିବା ଦୁର୍ଦ୍ଦାନ୍ତ ନକ୍ସଲ ପତିରାମ ମାଝି ମୁଣ୍ଡ ଜାମିନ ପାଇଁ ୧୦ ଲକ୍ଷ, ଅଜିତ ଓରାମ, ସୌରଭ ଦା ପାଇଁ ୫ ଲକ୍ଷ, ରବିନ୍ଦ୍ର ଗଞ୍ଜୁ, ଛୋଟୁ ଖେରବାର, ଅମନ ଗଞ୍ଜୁ, ନୀରଜ ସିଂହ ସହ ଏମାନଙ୍କ ସହଯୋଗୀ ମୁଣ୍ଡ ଜାମିନ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛି। ଉଲ୍ଲେଖଯୋଗ୍ୟ, ଗତ ପ୍ରାୟ ୨ ମାସ ଭିତରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ନକ୍ସଲମାନେ ବହୁ ହିଂସାକାଣ୍ଡ ଭିଆଇଛନ୍ତି। ପଞ୍ଚାୟତ ଅଫିସ୍କୁ ବିସ୍ଫୋରଣରେ ଉଡ଼ାଇବା ସହ ରାସ୍ତାକାମରେ ନିୟୋଜିତ ଗାଡ଼ିକୁ ନିଆଁ ଲଗାଇ ଜାଳି ଦେଇଛନ୍ତି। ନକ୍ସଲ ହିଂସା ରୋକିବାକୁ ଉଭୟ ଝାଡ଼ଖଣ୍ଡ ସହ ଓଡ଼ିଶା ପୁଲିସ, ସିଆର୍ପିଏଫ୍ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍କୁ ଜୋରଦାର କରାଯାଇଛି।