ମାଲକାନଗିରିରେ ଏନ୍‌କାଉଣ୍ଟର : ନକ୍ସଲ କମାଣ୍ଡର ଦୁର୍ଦାନ୍ତ ସୋଡ଼ି ନିହତ

୩୬ ପୁଲିସ୍‌, ୩ ବିଧାୟକଙ୍କୁ ହତ୍ୟା କରିଛି ସୋଡ଼ି, ଯବାନ ସହିଦ, ଆହତଙ୍କୁ ବିଶାଖାପାଟଣା ସ୍ଥାନାନ୍ତର

ମାଲକାନଗିରି/କଟକ : ୧୦ ବର୍ଷ ଧରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଆତଙ୍କରାଜ ଚଳାଇଥିବା ନକ୍ସଲ କମାଣ୍ଡର ରାକେଶ ସୋଡ଼ି ନିହତ ହୋଇଛି। ମାଲକାନଗିରି ଜିଲ୍ଲା ପାକନାଗୁଡ଼ା ସ˚ରକ୍ଷିତ ଜ˚ଗଲରେ ଆଜି ସକାଳେ ପୁଲିସ୍‌-ମାଓବାଦୀ ଗୁଳି ବିନିମୟ ବେଳେ ରାକେଶ ନିହତ ହୋଇଥିବା ପୁଲିସ୍‌ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି। ଗୁଳି ବିନିମୟ ବେଳେ ଜଣେ ଡିଭିଏଫ୍‌ (ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟର ଫୋର୍ସ) କମାଣ୍ତାଣ୍ଟ ଜୟରାମ କବାସି ସହିଦ ହୋଇଛନ୍ତି। ଡିଭିଏଫ୍‌ ଯବାନ ରାମୁ ଦୁରୁଆ ମଧ୍ୟ ଗୁରୁତର ଆହତ ହୋଇ ବିଶାଖାପାଟଣା ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ରାକେଶ ଛତିଶଗଡ଼ ସୁକମା ଜିଲ୍ଲାର ମୂଳ ବାସିନ୍ଦା। ସେ ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ମିଲିଟାରୀ ପ୍ଲାଟୁନ୍‌ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲା, ଯାହାକୁ କି ଡିଭିଜନାଲ୍‌ କମାଣ୍ଡର ବୋଲି କୁହାଯାଉଛି। ଗତ ୧୦ ବର୍ଷ ମଧ୍ୟରେ ରାକେଶ ମୋଟ ୩୬ ଜଣ ପୁଲିସ ଅଧିକାରୀ ଓ ୨ ଜଣ ବିଧାୟକଙ୍କୁ ହତ୍ୟା କରିଥିବାବେଳେ ଏକାଧିକ ବିସ୍ଫୋରଣରେ ସମ୍ପୃକ୍ତ।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନା ଅନ୍ତର୍ଗତ ପାକନାଗୁଡ଼ା ସ˚ରକ୍ଷିତ ଜ˚ଗଲରେ ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ସିପିଆଇ ମାଓବାଦୀମାନେ ଲୁଚିଥିବା ଗୁଇନ୍ଦା ତଥ୍ୟ ମିଳିଥିଲା। ଏହି ତଥ୍ୟ ଆଧାରରେ ଏସ୍‌ପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ଡିଭିଏଫ୍‌ ଏବ˚ ଏସ୍‌ଓଜିର ମିଳିତ କମ୍ବି˚ ଅପରେସନ୍‌ ଆରମ୍ଭ ହୋଇଥିଲା। ଗତକାଲି ବିଳମ୍ବିତ ରାତିରୁ ମାଓବାଦୀ ଏବ˚ ପୁଲିସ୍‌ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବାବେଳେ ଆଜି ସକାଳ ପ୍ରାୟ ୬ଟା ୩୦ ମିନିଟ୍‌ ବେଳେ ପାକନାଗୁଡ଼ା ସ˚ରକ୍ଷିତ ଜଙ୍ଗଲ ନିକଟସ୍ଥ ଡାବୁଗୁଡ଼ାଠାରେ କୁଖ୍ୟାତ ମାଓବାଦୀ ରାକେଶ ପୁଲିସ୍‌ ଗୁଳିରେ ନିହତ ହୋଇଥିଲା।

ପୁଲିସ୍‌ ବିଭାଗର ସୂଚନା ମୁତାବକ, ୨୦୦୮ରେ ରାକେଶ ନେତୃତ୍ବରେ ମାଲକାନଗିରିରେ ପୁଲିସ ଗାଡ଼ି ବିସ୍ଫୋରଣ ହୋଇଥିଲା। ଏଥିରେ ୧୭ ଜଣ ପୁଲିସ କର୍ମଚାରୀ ସହିଦ ହୋଇଥିଲେ। ୨୦୧୦ରେ କୋରାପୁଟ ଜିଲ୍ଲା ମନ୍ତ୍ରୀଆମ୍ବଠାରେ ରାକେଶ ନେତୃତ୍ବରେ ହୋଇଥିବା ଆକ୍ରମଣରେ ୧୧ ଜଣ ଏସ୍‌ଓଜି ଯବାନ ସହିଦ ହୋଇଥିଲେ। ୨୦୧୨ରେ ମାଲକାନଗିରି ଜିଲ୍ଲା ଜାନିଗୁଡ଼ାରେ ଆକ୍ରମଣ ହୋଇଥିଲା। ଏଥିରେ ଜଣେ ବିଏସ୍‌ଏଫ୍‌ କମାଣ୍ତାଣ୍ଟ ଏବ˚ ୩ ଜଣ ଅଫିସର ସହିଦ ହୋଇଥିଲେ। ୨୦୧୨ରେ ମାଲକାନଗିରି ଜିଲ୍ଲା ଖଇରପୁଟ ବଜାରରେ ପୁଲିସ୍‌ ଉପରେ ହୋଇଥିବା ଆକ୍ରମଣରେ ଜଣେ ଏସ୍‌ଆଇ ସହିଦ ହୋଇଥିଲେ। ପୁଣି ସେହି ବର୍ଷ ମାଲକାନଗିରି ଜିଲ୍ଲା ପୋଡିଆରେ ଜଣେ ଏସ୍‌ପିଓ ସହିଦ ହୋଇଥିଲେ। ୨୦୧୩ରେ ପୋଡ଼ିଆ ବ୍ଲକ୍‌ ଅଫିସ୍‌ ବିସ୍ଫୋରଣରେ ବି ରାକେଶ ସମ୍ପୃକ୍ତ ଥିଲା। ୨୦୧୬ରେ କୋରାପୁଟ ଜିଲ୍ଲା ରାମଗିରିରେ ବିଏସ୍‌ଏଫ୍‌ ଯବାନଙ୍କୁ ଆକ୍ରମଣ କରିଥିଲା। ଏଥିରେ ଜଣେ ଡେପୁଟି କମାଣ୍ତାଣ୍ଟ ଏବ˚ ସିପାହୀ ସହିଦ ହୋଇଥିଲେ। ୨୦୧୭ରେ ଆନ୍ଧ୍ରପ୍ରଦେଶର ଅନଭରମ ଥାନା ଅଞ୍ଚଳରେ ପୁଲିସ ଗାଡ଼ି ବିସ୍ଫୋରଣରେ ବି ତା’ର ସଂପୃକ୍ତି ଥିଲା। ସେଥିରେ ଗାଡ଼ିର ଡ୍ରାଇଭର ଥିବା ଜଣେ ହୋମଗାର୍ଡ ସହିଦ ହୋଇଥିଲେ। ୨୦୧୮ରେ ଆନ୍ଧ୍ର ପ୍ରଦେଶର ଅର୍କୁର ବିଧାୟକ ଏବ˚ ପୂର୍ବତନ ବିଧାୟକଙ୍କୁ ହତ୍ୟା କରାଯାଇଥିଲା। ଏହାବାଦ୍‌ ଏକାଧିକ ପୁଲିସ ଗାଡ଼ି ବିସ୍ଫୋରଣ, ରାସ୍ତା ଖୋଳିବା ଏବ˚ ପୋଲ ଉଡ଼ାଇବାରେ ରାକେଶର ସିଧାସଳଖ ସମ୍ପୃକ୍ତି ଥିବା ପୁଲିସ ରେକର୍ଡରୁ ଜଣାପଡ଼ିଛି। ସେହିପରି ରାକେଶର ଗୋଷ୍ଠୀ ମାଲକାନଗିରି ସମେତ କୋରାପୁଟ ଏବ˚ ବିଶାଖାପାଟଣା ଜିଲ୍ଲାରେ ପୁଲିସ କର୍ମୀଙ୍କୁ ହତ୍ୟା, ଅସ୍ତ୍ରଶସ୍ତ୍ର ଲୁଟ୍‌ ଭଳି ସ˚ଗିନ ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି।

ପୁଲିସ ଡିଜି ଶ୍ରୀ ଶର୍ମା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାକେଶକୁ ଧରିବା ପାଇଁ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ରାକେଶ ନିକଟରୁ ଗୋଟିଏ ଏକେ ୪୭ ରାଇଫଲ୍‌, ଗୋଟିଏ .୩୦୩ ରାଇଫଲ୍‌, ବିପୁଳ ପରିମାଣର ଗୁଳି ସମେତ ମାଓ ସାମଗ୍ରୀ ଜବତ କରାଯାଇଥିଲା। ଏବେ କମ୍ବି˚ ଅପରେସନ୍‌ ଜାରି ରହିଛି। ଯେତିକି ପରିମାଣର ଗୁଳି ବିନିମୟ ହୋଇଥିଲା, ଏଥିରୁ ଲାଗୁଛି ଆଉ କିଛି ମାଓବାଦୀ ମୃତାହତ ହୋଇଥାଇପାରନ୍ତି। ସେଥିପାଇଁ ଅପରେସନ୍‌ ଚାଲିଛି।

ଅନ୍ୟପଟେ ସହିଦ କମାଣ୍ତାଣ୍ଟ ଜୟରାମ କବାସିଙ୍କୁ ଓଡ଼ିଶା ପୁଲିସ ପକ୍ଷରୁ ୧୬ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଆହୁରି ଅଧିକ ରାଶି ପ୍ରଦାନ ପାଇଁ ମଧ୍ୟ ଉଦ୍ୟମ କରାଯାଉଛି। ଆହତ ଡିଭିଏଫ୍‌ ଯବାନ ରାମୁ ଦୁରୁଆ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ମାଲ୍‌କାନଗିରି ହସ୍‌ପିଟାଲ୍‌ରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ହେଲିକପ୍ଟର ମାଧ୍ୟମରେ ବିଶାଖାପାଟଣା ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଆନ୍ଧ୍ରପ୍ରଦେଶର ପୁଲିସ ଡିଜି ଗୌତମ ସଵାଙ୍ଗଙ୍କ ସହିତ ଯୋଗାଯୋଗ କରାଯାଇ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବାକୁ ଅନୁରୋଧ କରାଯାଇଥିବା ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର