ଏନ୍‌କାଉଣ୍ଟର: ଦୁର୍ଦାନ୍ତ ନକ୍ସଲ ନାଗେଶ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାରେ ଛତିଶଗଡ଼ର ପୁଲିସର ବଡ଼ ଏନକାଉଣ୍ଟର। କାଲିମେଳା ଅଞ୍ଚଳର ସକ୍ରିୟ ନକ୍ସଲ ନାଗେଶ ଏହି ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି। ବହୁ ସଂଖ୍ୟାରେ ନକ୍ସଲ ଆହତ ହୋଇଥିବା ମଧ୍ୟ କୁହାଯାଉଛି।

ସୂଚନା ଅନୁଯାୟୀ, ଗତକାଲି ମାଲକାନଗିରି ଜିଲ୍ଲାର କାଲିମେଳା ଅଂଚଳରେ ସକ୍ରିୟ ଥିବା ନକ୍ସଲଙ୍କ କ୍ୟାମ୍ପ ସଂପର୍କରେ ଛତିଶଗଡ଼ ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା। ମାଲକାନଗିରି ଜିଲ୍ଲାର ସୀମାକୁ ଲାଗି ରହିଥିବା ସୁକମାର ପୁଷପାଲ ଥାନା ଅନ୍ତର୍ଗତ ଚିନ୍ତଲନାର-ମୁଣ୍ଡବାଲ ଜଂଗଲରେ ନକ୍ସଲ ଏହି କ୍ୟାମ୍ପ କରିଥିଲେ। ଏହାପରେ ଜିଲ୍ଲା ପୁଲିସ ଏବଂ ଡିଆରଜି ଯବନ ମିଳିତ ଚଢ଼ଉ କରିଥିଲେ। ସର୍ଚ୍ଚ ଅପରେସନ ସମୟରେ ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନମାନେ ମଧ୍ୟ ପାଲଟା ଜବାବ ଦେଇଥିବା ବେଳେ ପ୍ରାୟ ଅଧ ଘଣ୍ଟା ଧରି ଗୁଳି ବିନିମୟ ଚାଲିଥିଲା। ତେବେ ନକ୍ସଲ ଘଞ୍ଚ ଜଂଗଲର ଆଢ଼ୁଆଳରେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ସର୍ଚ୍ଚ ଅପରେସନ ସମୟରେ ଗୋଟିଏ ଶବ ଠାବ ହୋଇଥିଲା। ଏଥିସହ ୩୧୫ ବୋର ବନ୍ଧୁକ, ଟିଫିନ ବୋମା, ହେଣ୍ଡ ଗ୍ରେନେଡ, ଡିଟୋନେଟର, ବିଦ୍ୟୁତ ତାର, ନକ୍ସଲ ପୁସ୍ତକ, ପୋଷ୍ଟର ସହ ଅନ୍ୟ ଦୈନନ୍ଦିନ ସାମଗ୍ରୀକୁ ପୁଲିସକୁ ମିଳିଥିଲା। ନିହତ ନକ୍ସଲକୁ ପରବର୍ତ୍ତୀ ସମୟରେ ଚିହ୍ନଟ କରାଯାଇଥିବା ବେଳେ ନାଗେଶ ଓରଫ ପଡ଼ିଆମି କାମା ବୋଲି ପୁଲିସ ସୂଚନା ଦେଇଛି। ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେସାଲ ଜୋନାଲ କମିଟିର ସଦସ୍ୟ ନାଗେଶ ପାଇଁ ସରକାର ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ୬ ବର୍ଷ ହେଲା ସେ ନକ୍ସଲ ସଂଗଠନରେ ସେ ଆଗଧାଡ଼ିର ସଦସ୍ୟ ଥିଲା ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର