ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ମାଓ ଦମନ ପାଇଁ ନିୟୋଜିତ ଥିବା ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଥିବା ବେଳେ ଆଜି ଯବାନମାନଙ୍କୁ ବଡ ସଫଳତା ମିଳିଛି। ବିପୁଳ ପରିମାଣରେ ବିସ୍ଫୋରକ ସମାଗ୍ରୀ ଜବତ କରିଛନ୍ତି।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ୧୪୨ ବିଏସଏଫ ବାଟାଲିଆନର ଯବାନମାନେ କାଲିମେଳା ଥାନା ଅନ୍ତର୍ଗତ ଭେଜିଙ୍ଗୱାଡା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ଗତିବିଧି ରହିଥିବା ସୂଚନା ଦେଇ ସର୍ଚ୍ଚ ଅପରେସନରେ ବାହାରିଥିଲେ। ସିଲେରୁ ନଦୀକୂଳ ନିକଟରେ ଥିବା ଆର୍ଲୁକୋଟା ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀମାନେ ମାଟି ତଳେ ଗୋଟିଏ ଡମ୍ପରେ ବିଭିନ୍ନ ସାମଗ୍ରୀ ଲୁଚାଇ ରଖିଥିଲେ। ଯବାନମାନଙ୍କୁ ସେହି ଡମ୍ପ ଭିତରୁ ବହୁ ପରିମାଣରେ ବିସ୍ଫୋରକ ସାମଗ୍ରୀ ମିଳିଥିଲା। ସେଠାରୁ ୨ଟି ଦେଶରୀ ବନ୍ଧୁକ, ୬୦ ମିଟର ତାର, ୫୭ଟି ଜିଲେଟିନ୍ ଷ୍ଟିକ୍, ୧୧୧ଟି ଗ୍ରେନେଡ୍, ୨ଟି ହେଣ୍ଡ ଗ୍ରେନେଡ୍, ୨୩୩ଟି ଲୁହା ବେଟରୀ, ୩୫୦ ମିଟତର କୋର୍ଡଏକ୍ସ ତାର, ଗୋଟିଏ ୱେଲଡିଂ ମେସିନ୍, ବୋମା, ମାଓ ସାହିତ୍ୟ ବହି ଓ ପରିଚୟପତ୍ର ସମେତ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ। ସେହି ଅଞ୍ଚଳରେ ଯବାନମାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଥିବା ନେଇ ବିଏସଫ ପକ୍ଷରୁ ସୂଚନା ମିଳିଛି।