ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ତୁଳସୀ ପାହାଡ଼ରେ ବିଏସଏଫ ଦ୍ବାରା ମାଓବାଦୀଙ୍କ ଡମ୍ପ ଉଦ୍ଧାର କରାଯାଇଛି। ପ୍ରତିଦିନ ଭଳି ଆଜି ମଧ୍ୟ ମାଥିଲି ବ୍ଲକର ଟେମରୁପାଲୀ ପଞ୍ଚୟାୟତର କେରମିଟି ଗ୍ରାମ ନିକଟସ୍ଥ ତୁଳସୀ ପାହାଡ଼ରେ ସ୍ଥାନୀୟ ବିଏସଏଫ ଯବାନ ସର୍ଚ୍ଚ ଅପରେସନରେ ବାହାରିଥିଲେ। ତେବେ ଆଜି ଦ୍ବିପହରରେ ଜଂଗଲରେ ବଡ ବଡ ପଥର ସନ୍ଧିରେ ନକ୍ସଲ ବିସ୍ଫୋରକ ସହ ମାଓ ସାମଗ୍ରୀ ଲୁଚାଇ ରଖିଥିଲେ। ଯବାନ ଅତି ସତର୍କତାର ସହ ମାଓବାଦୀଙ୍କ ସମସ୍ତ ଜିନିଷ ଉଦ୍ଧାର କରିଥିଲେ। ନକ୍ସଲ ଏହାକୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଲୁଚାଇ ରଖିଥିଲେ।

Advertisment

ପ୍ରକାଶ ଥାଉକି ତୁଳସୀ ପାହାଡ଼ ଅଂଚଳ ନକ୍ସଲଙ୍କର ଗଡ଼ ଅଟେ। ଏଠାରେ ନକ୍ସଲ ପ୍ରାୟତଃ ଚଳପ୍ରଚଳ କରନ୍ତି। ଲୋକଙ୍କୁ ସରକାର ବିରୋଧୀ ନାରା ଦେଇ ସେମାନଙ୍କ ଆଇନ କାନୁନ ଚଲାନ୍ତି। ଲଗାତାର ବିଏସଏଫର ଚଢାଉରେ ନକ୍ସଲ ଏଠାରେ ପଛଘୁଞ୍ଚା ଦେଇଛନ୍ତି। ଏହି ମାଓ ଡମ୍ପରୁ ଟିଫିନ ବୋମା, ମାଓବାଦୀଙ୍କ ପୋଷାକ, ବେଲ୍ଟ, ସୋଲାର ପ୍ଲେଟ, ବିଦ୍ୟୁତ ତାର, ଟର୍ଚ୍ଚ, ଆଇରନ କଟର, ବ୍ୟାଟେରି, ଛୁରି, ତେଲ ବୋତଲ, ଟୁଥପେଷ୍ଟ ଇତ୍ୟାଦି ଜବତ କରିଛି। ବିଏସଏଫ ଏବେ ମଧ୍ୟ ଏହି ଅଂଚଳରେ କୁମ୍ବିଂ ଜୋରଦାର କରିଛି। ଏକ ବଡ଼ଧରଣର ଅଘଟଣକୁ ବିଏସଏଫ ଯବାନ ଟାଳି ଦେଇଥିବା କୁହାଯାଇଛି।