ରାଉରକେଲା(ମଳୟ ରଂଜନ ସାହୁ): ଥିଲା ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗାଁ ନକ୍ସଲଙ୍କ ବୋମା, ଗ୍ରେନେଡ ମାଡ଼ରେ ଥରୁଥିଲା। ସଞ୍ଜ ନଇଁଲେ ଯେଉଁ ଗାଁ ଗୁଡ଼ିକର ଲୋକମାନେ ତାଟି କବାଟ ପକାଇ ଘରେ ରହୁଥିଲେ, ଏବେ ସେମାନଙ୍କ ମନରୁ ଭୟ ଦୂର ହେଉଛି। ମୁହଁରେ ହସ ଫୁଟିଛି। କାରଣ ପୂର୍ବ ଭଳି ସୀମାନ୍ତରେ ଥିବା ଓଡ଼ିଶାର ଗାଁ ଗୁଡ଼ିକରେ ନକ୍ସଲ, ପିଏଲ୍‌ଏଫ୍‌ଆଇ ରାଜୁତି ଚାଲୁନି। କାଁ ଭାଁ କେତୋଟି ଅଞ୍ଚଳକୁ ବାଦ୍‌ ଦେଲେ ସୀମାନ୍ତର ପ୍ରାୟ ସମସ୍ତ ଗାଁରେ ନକ୍ସଲ କାର୍ଯ୍ୟକଳାପ ହ୍ରାସ ପାଇଛି। ଲୋଭର ବଶବର୍ତ୍ତୀ ଯେଉଁ ଯୁବକଯୁବତୀମାନେ ନକ୍ସଲ ସଙ୍ଗଠନରେ ସାମିଲ ହେଉଥିଲେ, ସେମାନେ ଏବେ ସମାଜର ମୁଖ୍ୟ ସୋତ୍ରକୁ ଫେରିଆସିଛନ୍ତି।

Advertisment

ସିଆର୍‌ପିଏଫ୍‌ ଓ ସ୍ଥାନୀୟ ପୁଲିସର ସାମାଜିକ ଓ ସଚେତନାମୂଳକ କାର୍ଯ୍ୟକ୍ରମ ନକ୍ସଲ ଉପଦ୍ରୁତ ଗ୍ରାମବାସୀଙ୍କ ବିକାଶଧାରାକୁ ଆଗେଇ ନେବାରେ ବେଶ୍‌ ସହାୟକ ହୋଇଛି। ବର୍ଷରେ ଅଧା ଦିନ ବନ୍ଦ ରହୁଥିବା ବିଦ୍ୟାଳୟଗୁଡ଼ିକ ଏବେ ନିୟମିତ ଖୋଲୁଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଗ୍ରାମବାସୀମାନେ ନିର୍ଭୟରେ ଯାତାୟତ କରିପାରୁଛନ୍ତି। ଏସବୁ ଗାଁଗୁଡ଼ିକରେ ବିକାଶ ଗୋଟିଏ ପରେ ଗୋଟିଏ ସୋପାନ ଚଢ଼ି ଚାଲିଛି। ଗରିବ, ଆଦିବାସୀ ଲୋକଙ୍କୁ ମିଳୁଛି ମୌଳିକ ସୁବିଧା। ରାସ୍ତାଘାଟ, ପାନୀୟ ଜଳ, ବିଜୁଳି, ଶିକ୍ଷା ଓ ସ୍ବାସ୍ଥ୍ୟ ଆଦି ବିକାଶ ମୂଳକ କାମ ଆଗେଇ ଚାଲିଛି। ୨୦୦୮ରୁ ୨୦୧୮ ପର୍ଯ୍ୟନ୍ତ ପ୍ରାୟ ୧୦ ବର୍ଷ ଧରି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତର ଯେଉଁସବୁ ଗାଁରେ ନକ୍ସଲଙ୍କ ବେଶ୍‌ ଦବ୍‌ଦବା ରହିଥିଲା, ସେସବୁ ଅଞ୍ଚଳରେ ନକ୍ସଲ ହିଂସାରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଛି।

ବିଶ୍ରା ବ୍ଲକ ଅନ୍ତର୍ଗତ ୧୭ ପଞ୍ଚାୟତ ଯଥା ମନକୋ, ବରସୁଆ, ତୁଳସିକାନୀ, ଝାରବେଡା, କାଳିଆପୋଷ, ରାମଲୋଇ, ଚିରୁବେଡା, ଭାଲୁଲତା, ଜରେଇକେଲା ଆଦି ନକ୍ସଲ ଉପଦ୍ରୁତ ଗାଁରେ ଲୋକମାନଙ୍କ ଆର୍ଥିକ ଅଭିବୃଦ୍ଧି ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ, ସଡ଼କ, ପାନୀୟ ଜଳ ଆଦି କ୍ଷେତ୍ରରେ ସହରାଞ୍ଚଳ ପରି କାମ ଆଗେଇ ଚାଲିଛି। ଦୀର୍ଘବର୍ଷ ଧରି ମାଟି, କାଦୁଅ ପଚପଚ ରାସ୍ତାରେ ଯାତାୟତ କରୁଥିବା ଝାଡ଼ଖଣ୍ଡକୁ ଲାଗିଥିବା ରାମଲୋଇ, ମନ୍‌କୋ, ଚିରୁବେଡା ଆଦି ନକ୍ସଲ ଉପଦ୍ରୁତ ଗାଁକୁ ଏବେ ସଂଯୋଗ କରୁଛି ପିଚୁ ସଡ଼କ। କୂଅ, ପାହାଡର ଝରଣା ଓ କେନାଲର ଦୂଷିତ ପାଣି ବ୍ୟବହାର କରୁଥିବା ଏସବୁ ଗାଁରେ ଓଭରହେଡ୍‌ ପାଣି ଟାଙ୍କି ତିଆରି ହୋଇଛି। ପାଇପ୍‌ ଯୋଗେ ମିଳୁଛି ବିଶୁଦ୍ଧ ପାନୀୟ ଜଳ। ଗାଁ’ଗାଁରେ ବସୁଛି ଷ୍ଟାଣ୍ଡପୋଷ୍ଟ। ଘରକୁଘର ବିଛାଚାଲିଛି ପାଇପ୍‌। ରାତିରେ ଡିବିର, ଲଣ୍ଠନ ଆଲୁଅରେ ରାତି କାଟୁଥିବା ଗାଁ ଗୁଡ଼ିକରେ ଏବେ ବିଜୁଳି ଆଲୋକରେ ଆଲୋକିତ। ଅନ୍ଧାର ରାସ୍ତାରେ ଏବେ ଚକାଚକ ଏଲ୍‌ଇଡି ଲାଇଟ୍‌। ପାଠରେ ଡୋରି ବାନ୍ଧୁଥିବା ପିଲାମାନଙ୍କୁ ସ୍କୁଲମୁହାଁ କରିବାକୁ ଗାଁରେ ଗାଁରେ ଚାଲିଛି ସଚେତନତା କାର୍ଯ୍ୟକ୍ରମ।

ସରକାରଙ୍କ ନିର୍ଦ୍ଦେଶକ୍ରମେ ଏସବୁ ଗାଁରେ ଲୋକଙ୍କ ‌ଅର୍ଥନୈତିକ ବୃଦ୍ଧିକୁ ଗୁରୁତ୍ବ ଦେଉଛି ସ୍ଥାନୀୟ ପ୍ରଶାସନ। ମନରେଗା ଯୋଜନାରେ ଏମାନଙ୍କୁ କାମ ଦିଆଯାଉଛି। ବନ ବିଭାଗ ମଧ୍ୟ ଚାରାରୋପଣ ସମେତ ଅନ୍ୟାନ୍ୟ କାମ ଦେଉଛି। ଝାଡ଼ଖଣ୍ଡ ସରକାର ଓଡ଼ିଶା ସୀମାନ୍ତକୁ ଲାଗିଥିବା ଗାଁଗୁଡ଼ିକରେ ଅନୁରୂପ ବିକାଶ କରୁଛନ୍ତି। ଓଡ଼ଗାଁ, ଜଲଡେଗା, ପରବା, ହୁର୍ଦ୍ଦା, ରୁଙ୍ଘି, ଟମ୍‌ରୋ, ରାଇକେରା, ମନୋହରପୁର ଆଦି ନକ୍ସଲ ଉପଦ୍ରୁତ ଗ୍ରାମବାସୀଙ୍କ ମନରୁ ଭୟ ଦୂର ହୋଇଛି। ଓଡ଼ିଶା ସୀମାନ୍ତ ଗାଁର ହାଟ, ବଜାର ଉପରେ ନିର୍ଭର କରି ସେମାନେ ଜୀବନ ଅତିବାହିତ କରୁଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗାଁ ଗୁଡ଼ିକ ଏବେ ବିକାଶ ପଥରେ ଆଗେଇ ଚାଲିଛି।