ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାରନ୍ତରେ ନକ୍ସଲମାନେ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି। ପୁଲିସ ଇନଫର୍ମର ସନ୍ଦେହରେ ନକ୍ସଲମାନେ ଯୁବକଙ୍କୁ ଗୁଳିକରି ନିର୍ମମ ଭାବେ ହତ୍ୟା କରିଛନ୍ତି। ଠିକା କାମରେ ନିୟୋଜିତ ଜେସିବିକୁ ନିଆଁ ଲଗାଇ ଜାଳି ଦେଇଛନ୍ତି। ଏମିତି ଘଟଣା ଘଟିଛି ପଶ୍ଚିମ ସିଂହ ଜିଲ୍ଲା ଗୋଏଲକେରା ଥାନା ଅନ୍ତର୍ଗତ ଅମ୍ବରାଇ ପାଲୁହାସାରେ। ମୃତକ ଜଣକ ହେଲେ ପାଲୁହାସା ଗାଁର ବୋଏରାମ ଲୁଗୁନ (୨୫)। ବୋଏରାମ ବନ ବିଭାଗରେ ମୁନ୍ସୀ ଭାବେ କାମ କରୁଥିଲେ। ଜଙ୍ଗଲରୁ ରେଞ୍ଜର, ଫରେଷ୍ଟର, ବନ ମାଫିଆ ସହ ଠିକାଦାରମାନଙ୍କୁ ଜଙ୍ଗଲରୁ ହଟିଯିବାକୁ ପୋଷ୍ଟରରେ ଚେତାବନୀ ଦେଇଛନ୍ତି।
ପ୍ରଥମେ ନକ୍ସଲମାନେ ମାରଣାସ୍ତ୍ର ସହ ପାଲୁହାସା ଜଙ୍ଗଲରେ ବନ ବିଭାଗ ଦ୍ବାରା ଚାଲୁଥିବା କାମ ନିକଟରେ ପହଞ୍ଚିଥିଲେ। ଠିକାଦାର କୁଆଡେ ଗଲା ବୋଲି ମୁନ୍ସୀ ବୋଏରାମଙ୍କୁ ପଚାରିଥିଲେ। ବୋଏରାମ କିଛି ନ କହିବାରୁ ସେମାନେ ତାଙ୍କୁ ଘଟଣାସ୍ଥଳରେ ହତ୍ୟା କରି ଫିଙ୍ଗି ଦେଇଥିଲେ। ପରେ କାମରେ ନିୟୋଜିତ ଜେସିବିକୁ ନିଆଁ ଲଗାଇ ଜାଳି ଦେଇଥିଲେ। ସୂଚନା ପାଇ ଆଜି ସଂଧ୍ୟାରେ ଗୋଏଲକେରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି। ମିଳିଥିବା ସୂଚନା ମୁତାବକ ଆଜି ସକାଳେ ସଡ଼କ ଓ ସ୍ଥାନୀୟ ସମସ୍ୟାକୁ ନେଇ କୁଇଡା ଗ୍ରାମରେ ବୈଠକ ବସିଥିଲା। ବୈଠକରେ ବୋଏରାମ ଉପସ୍ଥିତ ଥିଲେ। ବୈଠକ ସରିବାର କିଛି ଘଣ୍ଟା ପରେ ସେ ଘରକୁ ଫେରୁଥିଲେ। ନକ୍ସଲମାନେ ପୁଲିସ ଇନ୍ଫର୍ମର ସନ୍ଦେହରେ ତାଙ୍କୁ ବାଟରେ ଗୁଳି କରି ହତ୍ୟା କରିଥିଲେ।
ପରେ ଶବକୁ ରାସ୍ତା ଉପରେ ଫିଙ୍ଗି ଦେବା ସହ ସେଠାରେ କିଛି ଧମକପୂର୍ଣ୍ଣ ମାଓପୋଷ୍ଟର ଛାଡି ଚାଲିଯାଇଥିଲେ। ସପ୍ତାହକ ମଧ୍ୟରେ ଏହା ହେଉଛି ଦ୍ବିତୀୟ ହତ୍ୟାକାଣ୍ଡ। ଏହା ପୂର୍ବରୁ ନକ୍ସଲମାନେ ଗତ ୨୧ ତାରିଖରେ ପ୍ରେମ ସୁରିନ ନାମକ ଜଣେ ଯୁବକଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ। ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସ୍ଥାନୀୟ୍ ପୁଲିସ ଓ ସିଆର୍ପିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍କୁ ଜୋରଦାର୍ କରାଯାଇଛି।