ନକ୍ସଲଙ୍କ ସ୍ଥାପନା ଦିବସ: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ହାଇଆଲର୍ଟ, ଏକ୍ସପ୍ରେସ୍‌ ଆଗରେ ଯାଉଛି ମାଲଗାଡି

ରାଉରକେଲା: ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ସ୍ଥାପନା ଦିବସ ପାଳନ କରୁଛନ୍ତି ନକ୍ସଲ ସଙ୍ଗଠନଗୁଡ଼ିକ ପକ୍ଷରୁ ଘୋଷଣା କରାଯାଇଛି। ନକ୍ସଲ ସଙ୍ଗଠନଗୁଡ଼ିକର ସମ୍ଭାବ୍ୟ ଅଘଟଣକୁ ଦୃଷ୍ଟିରେ ରଖି ଦକ୍ଷିଣପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ପକ୍ଷରୁ ହାୱଡା-ମୁମ୍ବାଇ ମୁଖ୍ୟ ମାର୍ଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଗୁପ୍ତ ସୂଚନା ଆଧାରରେ ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ପୁଲିସ ସୀମାନ୍ତରେ ହାଇ ଆଲର୍ଟ ଜାରି କରାଯାଇଛି। ସୀମାନ୍ତ ପୁଲିସ, ସିଆର୍‌ପିଏଫ୍‌, ଡିଭିଏଫ୍‌ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯିବା ସହ ନକ୍ସଲଙ୍କ ଗତିବିଧି ଉପରେ କଡା ନଜର ରଖାଯାଇଛି।

ଚକ୍ରଧରପୁର-ରାଉରକେଲା ରେଳ ଲାଇନ୍‌ରେ ରାତ୍ରୀକାଳୀନ ପେଟ୍ରୋଲିଂ ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏଥିସହ ରାତିରେ ଯାତାୟତ କରୁଥିବା ସମସ୍ତ ଏକ୍ସପ୍ରେସ୍‌ ଟ୍ରେନ୍‌ ଗତିକୁ କମ୍‌ କରାଯାଇଛି। ସମସ୍ତ ଏକ୍ସପ୍ରେସ୍‌ଟ୍ରେନ୍‌ ଆଗରେ ଏକ ମାଲ୍‌ଗାଡି ଚଳାଚଳ କରିବାକୁ ରେଳବାଇ ପକ୍ଷରୁ ସମସ୍ତ ପ୍ରମୁଖ ‌ଷ୍ଟେସନର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟି‌ରେ ରଖି ସମସ୍ତ ଟ୍ରେନ୍‌ର ଆର୍‌ପିଏଫ୍‌ ଯବାନଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି। ଉଲ୍ଲେଖଯୋଗ୍ୟ, ନକ୍ସଲ ସଙ୍ଗଠନ ପ୍ରତିବର୍ଷ ସେପ୍ଟେମ୍ବର ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ସ୍ଥାପନା ଦିବସ ପାଳନ କରିଥାନ୍ତି।

ଏହାର ପ୍ରଭାବ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ସମେତ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ପଡିଥାଏ। ନକ୍ସଲ ସଙ୍ଗଠନଗୁଡ଼ିକ ଗତିବିଧିକୁ ଦୃଷ୍ଟି‌ରେ ରଖି ରାଉରକେଲା, ବନ୍ଧମୁଣ୍ଡା, ମନୋହରପୁର, ଚକ୍ରଧରପୁର ଆଦି ପ୍ରମୁଖ ଷ୍ଟେସନରେ ଆର୍‌ପିଏଫ୍‌ଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଉରକେଲା ଷ୍ଟେସନରେ ରହୁଥିବା ପ୍ରତ୍ୟେକ ଟ୍ରେନ୍‌କୁ ଆର୍‌ପିଏଫ୍‌ ଯବାନମାନେ ସନ୍ଧାନୀ କୁକୁର ସହାୟତାରେ କଡାକଡି ଯାଞ୍ଚ କରୁଛନ୍ତି। ନକ୍ସଲଙ୍କ ଗତିବଧି ରୋକିବାକୁ ଉଭୟ ଆର୍‌ପିଏଫ୍‌ ଓ ଜିଲ୍ଲା ପୁଲିସ ମିଳିତ ଭାବେ ସୀମାନ୍ତରେ ସର୍ଚ୍ଚ ଅପରେସନ୍‌ ଚଳାଇଛନ୍ତି।

ସମ୍ବନ୍ଧିତ ଖବର