ସ୍ବାଭିମାନ ଅଞ୍ଚଳରେ ନକ୍ସଲ ବର୍ବରତା: ପୁଲିସ ଇନ୍‌ଫର୍ମର ଦର୍ଶାଇ ୨ଜଣଙ୍କୁ ହତ୍ୟା!

ମାଲକାନଗିରି: ଜାନୁଆରି ୨୫ତାରିଖର ଘଟଣା ପରେ ପ୍ରତିଶୋଧ ପରାୟଣ ହୋଇପଡ଼ିଛନ୍ତି ନକ୍ସଲ। ସ୍ବାଭିମାନ ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରିବାକୁ ବାରମ୍ବାର କରୁଛନ୍ତି ପ୍ରୟାସ। କେତେବେଳେ ଗ୍ରାମବାସୀଙ୍କୁ ଉସୁକାଉଛନ୍ତି ତ ଆଉ କେତେବେଳେ ସମର୍ଥନ କରୁନଥିବା ଲୋକଙ୍କୁ ଭୟଭୀତ କରୁଛନ୍ତି। ପୁଲିସ ଓ ସୁରକ୍ଷା କର୍ମୀ ମଧ୍ୟ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଛନ୍ତି। ଏମିତି ଛକାପଞ୍ଝା ଚାଲିଥିବା ବେଳେ ଆଜି ସ୍ବାଭିମାନ ଅଞ୍ଚଳରୁ ଆସିଛି ବଡ଼ ଖବର। ଦୁଇ ଜଣ ଗ୍ରାମବାସୀଙ୍କୁ ନକ୍ସଲ ଅତି ନୃଶଂସ ଭାବେ ହତ୍ୟା କରିଥିବା ଶୁଣିବାକୁ ମିଳୁଛି। ତେବେ ଏନେଇ ପୁଲିସ କିମ୍ବା ବିଏସଏଫ୍‌ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ଗଣମାଧ୍ୟମରୁ ପୁଲିସ ଏନେଇ ଶୁଣିବା ପରେ ସତ୍ୟାସତ୍ୟ ଜାଣିବା ପାଇଁ ଗୋଟିଏ ଟିମ୍ ସ୍ବାଭିମାନ ଅଞ୍ଚଳକୁ ପଠାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ଶାନ୍ତ ରହିଥିବା ସ୍ବାଭିମାନ ଅଞ୍ଚଳରୁ ଆଜି ହଠାତ୍ ଗୋଟିଏ ଖବର ଆସିଥିଲା। ଚିତ୍ରକୋଣ୍ଡା ବ୍ଲକ୍‌ ଯନ୍ତ୍ରୀ ପଞ୍ଚାୟତ ଅନ୍ତର୍ଗତ ତଟାଗୁଡ଼ା ଗାଁର ଦୁଇ ଜଣଙ୍କୁ ନକ୍ସଲ ହତ୍ୟା କରିଥିବା ସୂଚନା ମିଳିଛି। ସ୍ବାଭିମାନ ଅଞ୍ଚଳର ଏହି ଗାଁ ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ରହିଛି। ମୋବାଇଲ ନେଟୱର୍କ ନଥିବା ବେଳେ ସଡ଼କ ପଥରେ ପକ୍କା ରାସ୍ତା ନାହିଁ। ତେଣୁ ଖବର ମିଳିବା ସତ୍ତ୍ବେ ଏହି ଗାଁରେ କେହି ପହଞ୍ଚି ପାରି ନଥିଲେ। ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ହେଲା ଗାଁର ସାଧୁ ପାଙ୍ଗି ଏବଂ ବାସ୍ତା ମୁଦୁଲିଙ୍କୁ ନକ୍ସଲ ନିର୍ମମ ଭାବେ ହତ୍ୟା କରିଛନ୍ତି। ଉଭୟଙ୍କୁ ପୁଲିସ ଇନଫର୍ମର ଦର୍ଶାଇ ନକ୍ସଲ ଏହି ନାରକୀୟ କାଣ୍ଡ ଘଟାଇଥିବା କୁହାଯାଉଛି। କିନ୍ତୁ ଆଜି ସଂଧ୍ୟା ସୁଦ୍ଧା ମାଲକାନଗିରି ଏସ୍‌ପି କିମ୍ବା ବିଏସଏଫ୍‌ ନିକଟରେ ଏ‌ ନେଇ କୌଣସି ସୂଚନା ନାହିଁ। ଯାହାଫଳରେ ଏହା ଏକ ଗୁଜବ ହୋଇପାରେ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ଅନ୍ଧ୍ରପ୍ରଦେଶର ଗଣମାଧ୍ୟମଗୁଡ଼ିକ ଏଭଳି ଘଟଣା ଘଟିଥିବା ସ୍ପଷ୍ଟ କରୁଛନ୍ତି। ଏପରିକି ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏନେଇ ଖବର ପ୍ରକାଶ ପାଇ ସାରିଲାଣି। ଏଥିପାଇଁ ଦ୍ବନ୍ଦ୍ବ ସହ ସନ୍ଦେହ ସୃଷ୍ଟି ହୋଇଛି। ଯାହାବି ହେଉ ଆସନ୍ତାକାଲି ସୁଦ୍ଧା କିନ୍ତୁ ଏହି ଘଟଣାରେ କେତେ ସତ୍ୟତା ରହିଛି ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧିତ ଖବର