୫ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ବଢ଼ିବାରେ ଲାଗିଛି ନକ୍ସଲ ହିଂସା। ଗତକାଲି ରାତିରେ ବିଜାପୁର ଜିଲ୍ଲା‌ର ବିଭିନ୍ନ ସ୍ଥାନରେ ହିଂସା ଘଟାଇ ୫ଜଣ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ନକ୍ସଲ ହତ୍ୟା କରିଛନ୍ତି।

ବାସାଗୁଡ଼ା ଥାନା ଅନ୍ତର୍ଗତ ଫୁତଖେଲ ଗ୍ରାମର ଦାସର ରାମନ୍ନା ନାମକ ଜଣେ ଯୁବକଙ୍କୁ ଗତକାଲି ରାତିରେ ନକ୍ସଲ ଅପହରଣ କରି ନେଇ ଯାଇଥିଲେ। ପ୍ରାୟ ୧୫ଜଣ ସଶସ୍ତ୍ର ନକ୍ସଲ ଏହି ଅପହରଣରେ ସାମିଲ ଥିଲେ‌ ବୋଲି କୁହାଯାଉଛି। ଘଞ୍ଚ ଜଙ୍ଗଲରେ ରାମନ୍ନାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିବା ପରେ ରାସ୍ତା କଡ଼ରେ ଶବ ଫୋପାଡ଼ି ଦେଇ ଚାଲି ଯାଇଥିଲେ। ଶବ ନିକଟରେ ଗୋଟିଏ ପୋଷ୍ଟର ମଧ୍ୟ ଛାଡ଼ିଥିଲେ। ସେଥିରେ ଦାସର ରାମନ୍ନା ପୁଲିସ ସୂଚନାଦାତା ଭାବେ କାର୍ଯ୍ୟ କରୁଥିବାରୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ଉଲ୍ଲେଖ ରହିଛି। ଆଜି ସକାଳେ ପରିବାର ଲୋକ ଏନେଇ ଜାଣିବା ପରେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏତେ ମାତ୍ରାରେ ଆତଙ୍କିତ ହୋଇଯାଇଛନ୍ତି ଯେ ଥାନାକୁ ଏତଲା ଦେବାକୁ ବି ଯାଉ ନାହାନ୍ତି। ସେହିପରି ଗାଂଗଲୁର ଥାନା ଅନ୍ତର୍ଗତ କୁରଚେଲି ଗ୍ରାମର ଚାରି ଜଣଙ୍କୁ ନକ୍ସଲ ଅପହରଣ ପରେ ପ୍ରଜାକୋର୍ଟରେ ହାଜର କରାଇଥିଲେ। ପ୍ରଜାକୋର୍ଟରେ ସମସ୍ତଙ୍କୁ ପୁଲିସ ଇନଫର୍ମର ଦର୍ଶାଇ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହାପରେ ସେଠାରେ ହିଁ ଅତି ନୃଶଂସ ଭାବେ ୪ଜଣଙ୍କୁ ହତ୍ୟା କରାଯାଇଥିଲା।

ସୂଚନାଯୋଗ୍ୟ, ବିଜାପୁର ଜିଲ୍ଲାରେ ନକ୍ସଲ ହିଂସା ଗତ କିଛି ଦିନ ମଧ୍ୟରେ ବୃଦ୍ଧି ପାଇଛି। ଗତ ଦେଢ ମାସ ମଧ୍ୟରେ ୧୩ଜଣ ସୁରକ୍ଷା କର୍ମୀ ଏବଂ ସାଧାରଣ ଲୋକଙ୍କ ଜୀବନ ନେଇ ସାରିଲେଣି ନକ୍ସଲ। ପୁଲିସକୁ ଟାର୍ଗେଟ କରି ନକ୍ସଲ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ବାରମ୍ବାର ଘଟାଉଛନ୍ତି। ଯାହାକୁ ନେଇ ପୁଣି ଏବେ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଲୋକେ ପୁଲିସର ସୁରକ୍ଷା ଲୋଡ଼ିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର