ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତର ନୂଆପଡ଼ା ଜିଲ୍ଲା କୋମନା ଥାନା ଶିବନାରାୟଣପୁର ନିକଟରେ ସୋମବାର ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟଣା ପରେ ମାଓବାଦୀ କ୍ୟାମ୍ପ ଠାବ ହୋଇଥିଲା। କ୍ୟାମ୍ପରୁ ନଗଦ ୪ ଲକ୍ଷ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍, ଦେଶୀ ବନ୍ଧୁକ ଓ ୪ଟି ଗୁଳି ଜବତ କରିବା ସହ ମାଓବାଦୀଙ୍କ ଦ୍ବାରା ବ୍ୟବହୃତ ବହୁ ସାମଗ୍ରୀ ଜବତ ହୋଇଥିବା ମଙ୍ଗଳବାର ନୂଆପଡ଼ା ଏସ୍‌ପି ଜି.ଆର୍‌. ରାଘବେନ୍ଦ୍ର ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

Advertisment

ସୂଚନା ଅନୁସାରେ, ଗତକାଲି ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ଶିବନାରାୟଣପୁର ଜଙ୍ଗଲରେ ୨୦ରୁ ୩୦ ନକ୍ସଲ ସଂଗଠିତ ହୋଇଥିବା ଗୋଇନ୍ଦା ସୂତ୍ରରୁ ଖବର ପାଇ ରାତି ପ୍ରାୟ ୩ଟାରେ ସ୍ବତନ୍ତ୍ର ସୁରକ୍ଷା ବାହିନୀର (ଏସ୍‌ଓଜି) ସର୍ଚ୍ଚ ଅପରେସନରେ ବାହାରିଥିଲେ। ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚଳାଇଥିଲେ। ଯବାନମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ। ତେବେ, ନକ୍ସଲଙ୍କ ଗୁଳିରେ ଏସ୍‌ଓଜି ଯବାନ ପ୍ରକାଶ ସାଇ ଆହତ ହୋଇଥିଲେ। ତାଙ୍କୁ ରାୟପୁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛିଟା ଉନ୍ନତି ଥିବା ଜଣାଯାଇଛି। ଅନ୍ୟପକ୍ଷ‌ରେ, ସକାଳ ୮ଟାରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ ହୋଇଥିଲା। କିଛି ସମୟ ଗୁଳି ବିନିମୟ ପରେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ଯବାନମାନେ ଏକ ନକ୍ସଲ କ୍ୟାମ୍ପ ଠାବ କରିଥିଲେ। ସେଠାରୁ ୧୦ଟି ଆଇଇଡି ଓ ଗୋଟିଏ ପିସ୍ତଲ ଗୁଳି, ୩୦ଟି ଛୋଟ ବ୍ୟାଟେରି, ୪ଟି ମାଓ ପୋଷାକ, ଗୋଟିଏ ସୋଲାର୍‌ ପ୍ଲେଟ୍ ସହ ମାଓ ସାମଗ୍ରୀ ଜବତ କରାଯାଇଛି।  ୩ ଦିନ ହେବ ସୁନାବେଡ଼ା ଅଭୟାରଣ୍ୟରେ ଏସ୍‌ଓଜି, କୋବ୍ରା ଓ ସିଆର୍‌ପିଏଫ୍‌ ଯବାନ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ନୂଆପଡ଼ା ଏସ୍‌ପି ରାଘବେନ୍ଦ୍ର ସୂଚନା ଦେଇଥିଲେ।