ଦ୍ବିତୀୟ ବିବାହ ନେଲା ଜୀବନ; ପ୍ରଜାକୋର୍ଟରେ ଜଣେ ଯୁବକ ଓ ସାଥୀଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲ ପୁଣି ହିଂସାତ୍ମକ ହୋଇପଡିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଦ୍ବିତୀୟ ବିବାହ କରିବାରୁ ନକ୍ସଲ ଜଣେ ନିରୀହ ଯୁବକକୁ ପ୍ରଜାକୋର୍ଟରେ ହତ୍ୟା କରିବା ସହ ତାଂକ ସାଥୀକୁ ମଧ୍ୟ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଦ୍ବିତୀୟ ପତ୍ନୀ ସ୍ବାମୀକୁ ନକ୍ସଲ ହତ୍ୟା କରିଥିବା ନେଇ ପୁଲିସ ନିକଟରେ ପହଞ୍ଚିଥିବା ବେଳେ ପୁଲିସ ଏହାର ପ୍ରମାଣ ମାଗିଥିଲା। ଶେଷରେ ପତ୍ନୀ ନିଜ ସ୍ବାମୀର ହାଡକୁ ନେଇ ପୁଲିସ ନିକଟରେ ପ୍ରମାଣ ଦେଖାଇଥିଲେ। ପୁଲିସ ଏହି ହାଡଗୁଡିକକୁ ଯାଞ୍ଚ କରିବା ପାଇଁ ପଠାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ ବୁଟିଗୁଡା ଗ୍ରାମର ମାଡକମ ଆୟତା ଗତ ୨୦୦୫ରେ ଦ୍ବିତୀୟ ବିବାହ କରି ଗାଁ ଛାଡି ତେଲେଙ୍ଗାନାର ରାଜୁନଗରମ ଚାଲିଯାଇଥିଲା। କାରଣ ମାଡକମ ଆୟତାର ଦ୍ବିତୀୟ ବିବାହକୁ ନକ୍ସଲ ପସନ୍ଦ କରୁନଥିଲେ। ନକ୍ସଲ ମାଡକାମ ଆୟତାକୁ ଟାର୍ଗେଟ କରିଥିଲେ। ତେଣୁ ମାଡକାମ ଆୟତା ନିଜର ଦ୍ବିତୀୟ ପତ୍ନୀକୁ ନେଇ ତେଲେଙ୍ଗାନା ଚାଲିଯାଇଥିଲା। ଧିରେ ଧିରେ ସମୟ ଗଡିବାରୁ ମାଡକାମ ଆୟତା ନିଜ ପୈତୃକ ଗ୍ରାମକୁ ଆସିବାରେ ଲାଗିଲା। ଯେତେବେଳେ ବି ମାଡକାମ ଆୟତା ଛତିଶଗଡକୁ ଆସୁଥିଲା, ସେତେବେଳେ ସେ ନକ୍ସଲଙ୍କର ଗତିବିଧି ସଂପର୍କରେ ପୂର୍ବରୁ ସୂଚନା ନେଇ ଆସୁଥିଲା।

ତେବେ ନିଜ ଘରକୁ ଆସି ପୁଣି ତେଲେଙ୍ଗାନାକୁ ସୁରକ୍ଷିତ ଭାବେ ଫେରୁଥିବାରୁ ସେ ଆଉ ଭୟ କରିନଥିଲା। ତେବେ ସେ ନିଜକୁ ସୁରକ୍ଷିତ ଭାବି ଏକ ଟ୍ରାକ୍ଟର ଯୋଗେ ନିଜ ଗ୍ରାମରୁ କିଛି ଶ୍ରମିକଙ୍କୁ ତେଲେଙ୍ଗାନା ନେବାକୁ ଆସିବା ସହ ନଜର ପ୍ରଥମ ପତ୍ନୀ ସହ ମଧ୍ୟ ମିଶିବାକୁ ଚାହୁଥିଲା। ତେବେ ମାଡକାମ ଅୟତା ସହ ତାର ସାଥୀ ପାଣ୍ଡୁ ମଧ୍ୟ ଆସିଥିଲା। ପାଣ୍ଡୁ ମଧ୍ୟ ମାଡକାମ ଆୟତା ସହ ତେଲେଙ୍ଗାନାରେ ସ୍ଥାୟୀ ଭାବେ ରହିଯାଇଥିଲା। ତେବେ ଏହି ଦୁଇ ଜଣ ଗାଁକୁ ଆସିଥିବା ନେଇ ନକ୍ସଲଙ୍କୁ ଖବର ପହଞ୍ଚିଥିଲା।ତୁରନ୍ତ ନକ୍ସଲ ଏହି ଗ୍ରାମରେ ଚଢାଉ କରି ଦୁଇ ବନ୍ଧୁଙ୍କୁ ଅପହରଣ କରି ନେଇଯାଇଥିଲେ। ଦୁଇ ଜଣଙ୍କୁ ପ୍ରଜାକୋର୍ଟରେ ହାଜର କରାଗଲା। ଲୋକଙ୍କ ସାମ୍ନାରେ ସେମାନଙ୍କୁ ନିର୍ଧୁମ ମାଡ ମରାଗଲା। ଶେଷରେ ନକ୍ସଲ ହତ୍ୟା କରିବା ପାଇଁ ନିଷ୍ପତ୍ତି ନେଲେ। ଦୁଇ ଜଣଙ୍କ ବେକ କାଟି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ଘଟଣା ପରେ ପରିବାର ଲୋକେ ଭୟ କରିଥିଲେ। କିନ୍ତୁ ଦମ୍ଭର ସହ ପୁଲିସ ନିକଟରେ ସ୍ବାମୀକୁ ହତ୍ୟା କରାଯାଇଥିବା ନେଇ ଦ୍ବିତୀୟ ପତ୍ନୀ ନକ୍ସଲ ବିରୋଧରେ କେଶ କରିଥିଲା। ପୁଲିସ ତୁମ ସ୍ବାମୀକୁ ନକ୍ସଲ ହତ୍ୟା କରିଥିବାର କଣ ପ୍ରମାଣ ଅଛି ବୋଲି ପ୍ରମାଣ ମାଗିବାରୁ ଦ୍ବିତୀୟ ପତ୍ନୀ ସ୍ବାମୀଙ୍କର ହାଡ ଆଣି ଦେଇଥିଲା। ବିଜାପୁର ଏସପି ଅଜୟ ବୈଷ୍ଣବ ମଧ୍ୟ ଏହି ଘଟଣା ସଂପର୍କରେ ଜାଣିଥିବା କହିବା ସହ ପତ୍ନୀ ସ୍ବାମୀଙ୍କ ହାଡ ଆଣି ପ୍ରମାଣ କରିଥିବାରୁ ଏନେଇ କେଶ ରୁଜୁ ହେବା ସହ ତଦନ୍ତ ଚାଲିଥିବା କହିଥିଲେ।

ସମ୍ବନ୍ଧିତ ଖବର