ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ କିଷ୍ଟରାମ ଗ୍ରାମର ଜଣେ ଆତ୍ମସମର୍ପଣ କରିଥିବା ନକ୍ସଲକୁ ନକ୍ସଲମାନେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ସୂଚନାଯୋଗ୍ୟ ଯେ କିଷ୍ଟରାମ ଗ୍ରାମର ବାରସେ ମାସା ନାମକ ବ୍ୟକ୍ତି ନକ୍ସଲ ସଂଗଠନରେ ଯୋଗ ଦେଇ କାମ କରୁଥିଲା।ଦୀର୍ଘ ଦିନ କାମ କରିବା ପରେ ସେ ଡିଭିସି ପଦବୀରେ ପଦସ୍ଥ ଥିଲା।ତେବେ ଗତ କିଛି ଦିନ ତଳେ ସେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣମ୍ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା।ପୁଲିସ ତରଫରୁ ସମସ୍ତ ସହଯୋଗ ପାଇବା ପରେ ସେ କିଷ୍ଟରାମ ଗ୍ରାମରେ ନିଜର ପରିବାର ସହ ରହୁଥିଲା।କିନ୍ତୁ ନକ୍ସଲମାନଙ୍କୁ ଏହା ଠିକ ଲାଗିନଥିଲା।ବାରସେ ମାସା ପୁଲିସ ସହ ମିଶି ନକ୍ସଲ ସଂଗଠନର କ୍ଷତି ଘଟାଉଥିବା ଅନୁମାନ କରି ୨୦ରୁ ୨୫ ନକ୍ସଲ କିଷ୍ଟରାମ ଗ୍ରାମରେ ପହଞ୍ଚି ବାରସେ ମାସାକୁ ଘରୁ ଉଠାଇଥିଲେ।
ପୁଲିସ ଇନଫର୍ମର ଦର୍ଶାଇ ତାକୁ ପ୍ରଥମେ ନିର୍ଦ୍ଧୁମ ପିଟିଥିଲେ।ପରେ ଏକ ଧାରୁଆ ଛୁରୀରେ ତାର ବେକ କାଟି ଦେଇଥିଲେ।ଘଟଣାସ୍ଥଳରେ ହିଁ ବାରସେ ମାସାର ମୃତ୍ୟୁ ହଇଯାଇଥିଲା।ଘଟଣାସ୍ଥଳରେ କିଛି ହାତ ଲେଖା ଚିଠି ଛାଡିକି ନକ୍ସଲ ଯାଇଥିଲେ।ସେହି ଚିଠିରେ ବାରସେ ମାସାକୁ ଗଦ୍ଦାର ବୋଲି ଉଲ୍ଲେଖ କରାଯାଇଛି।ତେଣୁ ତାକୁ ମୃତ୍ୟୁଦଣ୍ଡ ଦିଆଗଲା।ସେ ଶତ୍ରୁ ସହ ମିଶି ସଂଗଠନ ଏବଂ ଜନତାଙ୍କର ବହୁ କ୍ଷତି ଘଟାଇଛି।ପାର୍ଟିର ବନ୍ଧୁକ,ବିସ୍ଫୋରକ ସହ ବହୁ ଜିନିଷ ଶତ୍ରୁ ହାତରେ ଟେକିଦେଲା।ମାସେ ଦ୍ବାରା କିଷ୍ଟରାମ ଅଂଚଳରେ ବହୁ ଲୋକଙ୍କୁ ମାରପିଟ କରିବା ସହ ମହିଳାଙ୍କୁ ଅସଦାଚରଣ କରାଗଲା।ଏଥିସହ ବହୁ ଲୋକଙ୍କୁ ନକ୍ସଲ ବୋଲି କହି ଜେଲରେ ଭର୍ତ୍ତି କରିବା ସହ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଗଲା।ଏହାଙ୍କ ଦ୍ବାରା ହିଁ ଶତ୍ରୁ ପସେରପାଡା ଗ୍ରାମର ଦିର୍ଦୋ ହିଡମାକୁ ମରାଯାଇଥିଲା।ଶତ୍ରୁ ସହ ମିଶି ନକ୍ସଲ ସଂଗଠନକୁ ଧ୍ବସ୍ତ କରିଛି।ତେଣୁ ତାକୁ ମୃତ୍ୟୁ ଦଣ୍ଡ ଦିଆଯାଇଥିବା କିଷ୍ଟରାମ ଏରିଆ କମିଟି ତରଫରୁ ସ୍ବୀକାରୋକ୍ତି କରାଯାଇଛି।