ମାଲକାନଗିରି : ସୀମାନ୍ତ ଛତିଶଗଡ଼ରେ ନକ୍ସଲ ଓ ପୁଲିସ ମଧ୍ୟରେ ଚାଲିଛି ଛାୟାଯୁଦ୍ଧ। ନିୟମିତ ବ୍ୟବଧାନରେ ନକ୍ସଲ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ବି ହେଉଛି। କେତେବେଳେ ନକ୍ସଲ ଗୁଳିରେ ପୁଲିସ ଓ ଯବାନ ସହିଦ ହେଉଛନ୍ତି ତ ପୁଣି କେତେବେଳେ ପୁଲିସ ଗୁଳିରେ ନକ୍ସଲଙ୍କ ମୃତ୍ୟୁ ହେଉଛି। ଏହି ପ୍ରକ୍ରିୟା ଚାଲି ରହିଥିବାବେଳେ ଆଜି ପୁଲିସ୍ ଏନକାଉଣ୍ଟରରେ ଜଣେ ନକ୍ସଲ ଟଳିପଡ଼ିଛନ୍ତି।
ଆଜି ସକାଳୁ ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଦନ୍ତେଵାଡା ଏସ୍ପି ଅଭିଷେକ ପଲ୍ଲବଙ୍କ କହିବା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଡବ୍ବା କୁନ୍ନା ଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲା। ପୂର୍ବରୁ ଏଠାରେ କ୍ୟାମ୍ପ କରି ରହିଥିବା ନକ୍ସଲ ପୁଲିସ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ପୁଲିସ୍ ମଧ୍ୟ ନକ୍ସଲ କ୍ୟାମ୍ପ୍ ଉପରେ ପାଲଟା ଗୁଳିଚାଳନା କରିଥିଲା। ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ଚାଳନା ପରେ ନକ୍ସଲ ଛତ୍ରଭଂଗ ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ସର୍ଚ୍ଚ ଅପରେସନ କରିବା ପରେ ଏକ ନକ୍ସଲର ମୃତଦେହକୁ ଠାବ କରିଥିଲା। ପୁଲିସ ଘଟଣାସ୍ଥଳରୁ ଏକ ୩୦୩ ବନ୍ଧୁକ ଜବତ କରିଛି। ମୃତ ନକ୍ସଲଙ୍କ ନାମ ହିର୍ରା ଏବଂ ତାଙ୍କ ମୁଣ୍ଡରେ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଏହି ଗୁଳି ବିନିମୟରେ ୬ରୁ ଊର୍ଧ୍ବ ନକ୍ସଲ ଆହତ ହୋଇଥିବା କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/naxal-1.jpg)