ପୁଲିସ ଗୁଳିରେ ଜଣେ ନକ୍ସଲ ମୃତ

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଲିସ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ହାର୍ଡକୋର ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୁନକାପାଲ ଅଂଚଳରେ ନକ୍ସଲ କ୍ୟାମ୍ପ କରି ରହିଥିବା ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି ଏବଂ ସିଆରପିଏଫ ଯବାନ ଚଢଉ କରିଥିଲେ। ଯବାନ ଜଂଗଲରେ ପହଞ୍ଚିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତେବେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା।

ତେବେ ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ପରେ ଘଟଣାସ୍ଥଳରେ ଯବାନ ସର୍ଚ୍ଚଅପରେସନ କରୁଥିବା ବେଳେ ଜଣେ ନକ୍ସଲର ମୃତଦେହକୁ ଉଦ୍ଧାର କରାଯାଇଥିଲା। ମୃତ ନକ୍ସଲ ଜଣକ ଏସିଏମ କମଲେଶ ବୋଲି ଜଣାପଡିଛି। ଏହି ଗୁଳିବିନିମୟରେ ଯବାନଙ୍କର କିଛି କ୍ଷତି ଘଟିନଥିବା ବେଳେ ବହୁ ନକ୍ସଲ ଆହତ ହୋଇଥିବା ପୁଲିସ କହିଛି। ସୁକମା ଏସପି ସୁନୀଲ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ଚଢାଉ କରାଯାଇଥିଲା। ତେବେ ଘଟଣାସ୍ଥଳରେ ସର୍ଚ୍ଚଅପରେସନ ଜାରି ରହିଛି।ତେବେ ବହୁ ନକ୍ସଲ ଆସ୍ତ୍ରଶସ୍ତ୍ର ମିଳିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର