ସୀମାନ୍ତରେ ପୁଣି ନକ୍ସଲ ହିଂସା : ଅପହରଣ ପରେ ୪ଜଣଙ୍କୁ ହତ୍ୟା

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ବଡ଼ଧରଣର ହିଂସା ଘଟାଇଛନ୍ତି ନକ୍ସଲ। ରକ୍ତମୁଖା ହୋଇ ବୁଲୁଥିବା ବେଳେ ୪ଜଣ ଗ୍ରାମବାସୀଙ୍କୁ ଅପହରଣ କରି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସୁରକ୍ଷା କର୍ମୀ ଆଖପାଖ ଅଞ୍ଚଳକୁ ସିଲ୍ କରି କମ୍ବିଂ ଅପରେସନକୁ ଜୋରଦାର କରିଛନ୍ତି। ସୂଚନା ଅନୁଯାୟୀ, ଦୁଇ ଦିନ ତଳେ ମେଟାପାଲ ଏବଂ ପୁସନାର ଗାଁରେ ପଶିଥିଲେ ସଶସ୍ତ୍ର ନକ୍ସଲ। ପୁଲିସ ଇନଫର୍ମର ଦର୍ଶାଇ ଉଭୟ ଗାଁରୁ ୨୫ଜଣଙ୍କୁ ବଳପୂର୍ବକ ଅପହରଣ କରିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କୁ ପ୍ରଜାକୋର୍ଟରେ ହାଜର କରି ଶୁଣାଣି କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଉଭୟ ଗାଁରୁ ଦୁଇ ଜଣ ଲେଖାଏଁ ମୋଟ ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଶବ ରାସ୍ତା କଡ଼ରେ ଫୋପାଡ଼ି ଦେଇଥିଲେ। ଆଜି ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅପହୃତ ଅନ୍ୟ ୨୧ଜଣଙ୍କୁ ଛାଡ଼ି ନଥିବା ବେଳେ ବନ୍ଦୀ କରି ରଖିଥିବା ସୂଚନା ମିଳିଛି। ଏହି ନୃଶଂସକାଣ୍ଡ ବିଜାପୁର ଜିଲ୍ଲାର ଗାଙ୍ଗଲୁର ଥାନା ଅଂଚଳରେ ଘଟିଥିବା ଜଣାପଡ଼ିଛି। ବସ୍ତର ଆଇଜି ପି.ସୁନ୍ଦରରାଜ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅପହୃତଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଥିବା ଆଇଜି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର