ନକ୍ସଲ କମାଣ୍ଡରରୁ ବନିଥିଲେ ଡିଆରଜି ଯବାନ, ମାଓବାଦୀଙ୍କ ହାତରେ ଧରାପଡି ଜୀବନ ଗଲା

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ନକ୍ସଲମାନେ ଜଣେ ଡିଆରଜି ଯବାନ ଧରି ନିର୍ମମ ଭାବେ ହତ୍ୟା କରିଛନ୍ତି। ସଂପୃକ୍ତ ଯବାନ ଜଣକ ପୂର୍ବରୁ ନକ୍ସଲ ସଂଗଠନରେ କମାଣ୍ଡର ଭାବେ କାମ କରୁଥିଲେ। ତାଙ୍କୁ ହତ୍ୟା କରିବା ପରେ ନକ୍ସଲମାନେ ମୃତଦେହକୁ ପୋଡି ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲାର କୋତରାପାଲ ଗ୍ରାମର ସୋମଡୁ ଓରଫ ମାଲ୍ଲେସ ଦୀର୍ଘ ଦିନ ଧରି ନକ୍ସଲ ସଂଗଠନରେ ସାମିଲ ଥିଲେ। ଏପରିକି ସେ ସଂଗଠନରେ ଆଗଧାଡିର ନେତା ବନିଯାଇଥିଲେ। କମାଣ୍ଡର ଭାବେ ଅବସ୍ଥାପିତ ହୋଇ ଏକେ-୪୭ ରାଇଫଲ ଧରୁଥିଲେ। ତେବେ ନକ୍ସଲ ସଂଗଠନରୁ ଦୂରେଇ ଯାଇ ଗତ ୨୦୧୪ରେ ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ପୁଲିସ ସୋମଡୁକୁ ଡିଆରଜି ଯବାନ ଭାବେ ଅବସ୍ଥାପିତ କଲା।

ତେବେ ଗତକାଲି ସେ କାହାକୁ କିଛି ନକହି ଗାଁ ଠାରୁ ଦୂରରେ କେଉଁଠାକୁ ଯାଉଥିଲେ। ସେହି ସମୟରେ ନକ୍ସଲ ସୋମଡୁକୁ ଦେଖି ତାକୁ ଗୋଡାଇ ଗୋଡାଇ ଧରିଥିଲେ। ପରେ ଜଂଗଲରେ ନେଇ ତାକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ମୃତଦେହକୁ ନିଆଁ ଲଗାଇ ପୋଡି ଦେଇଥିଲେ। ସୋମଡୁ ଜଂଗଲରେ ଥିବା ବେଳେ ଭୟଙ୍କର ଥିଲା। ଲୋକେ ସୋମଡୁର ନାମ ଶୁଣିଲେ ଭୟରେ ଥରୁଥିଲେ। ବହୁ ନକ୍ସଲ ହିଂସାରେ ସେ ଜଡିତ ଥିବା ପୁଲିସ କହିଛି।

ଏସପି କମଳଲୋଚନ କଶ୍ୟପଙ୍କ କହିବା ଅନୁଯାୟୀ ନକ୍ସଲ ଏଭଳି ହତ୍ୟାକରି ଲୋକଙ୍କୁ ଏବଂ ପୁଲିସକ ଭୟଭୀତ କରିବାକୁ ଚାହୁଁଛନ୍ତି। ଡିଆରଜି ଯବାନ ବନିବା ପରେ ମଧ୍ୟ ସୋମଡୁ ବହୁ ନକ୍ସଲକୁ ଟାର୍ଗେଟ କରିବାରେ ସଫଳ ହୋଇଥିଲେ। ଯାହାଫଳରେ ନକ୍ସଲ ସୋମଡୁକୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର