ସିଲାକୋଟାରେ ପୁଣି ନକ୍ସଲ ହିଂସା : ଗାଁ ମୁଖିଆକୁ ଗୁଳି କଲେ

ମାଲକାନଗିରି/କାଲିମେଳା : କିଛିଦିନର ବ୍ୟବଧାନ ପରେ ମାଲକାନଗିରି ଜିଲ୍ଲାରେ ନିଜ ପ୍ରଭାବ ଜାହିର କରିଛନ୍ତି ନକ୍ସଲ। ଗତକାଲି ରାତିରେ ଦୁର୍ଗମ ପଡ଼ିଆ ବ୍ଲକର ସିଲାକୋଟା ଗାଁ ମୁଖିଆ ମାଙ୍ଗଡୁ ବାଞ୍ଜାମିଙ୍କୁ ଅତି ନିକଟରୁ ଗୁଳି କରିଛନ୍ତି। ଗୁରୁତର ଅବସ୍ଥାରେ ମାଙ୍ଗଡୁଙ୍କୁ ଗ୍ରାମବାସୀ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛନ୍ତି। ଅସ୍ତ୍ରୋପଚାର କରି ଜଙ୍ଘରେ ଲାଗିଥିବା ଗୁଳିକୁ ବାହାର କରାଯାଇଛି। ଏହି ଘଟଣା ପରେ ଗାଁରେ ଆତଙ୍କର ବାତାବରଣ ଖେଳି ଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

୩ ବର୍ଷ ତଳେ ମାଙ୍ଗଡୁଙ୍କ ନେତୃତ୍ୱରେ ଗାଁର ଶତାଧିକ ଲୋକ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହାପରେ ପୁଲିସ ସିଲାକୋଟାକୁ ଆଦର୍ଶ ଗାଁ ରୂପେ ସରକାରୀ ସୁବିଧା ଯୋଗାଇ ଦେବାକୁ ଘୋଷଣା କରିଥିଲା। ସିଲାକୋଟା ଗାଁକୁ ଅନୁସରଣ କରି ଆଖପାଖ ଗାଁ ଲୋକ ବି ପୁଲିସ ନିକଟରେ ଆତ୍ମସମର୍ପଣ କରିବା ସହ ନକ୍ସଲଙ୍କୁ ଆଉ ସହାୟତା କରିବେ ନାହିଁ ବୋଲି ଖୋଲାଖୋଲି ଘୋଷଣା କରିଥିଲେ। ପରବର୍ତୀ ସମୟରେ ପୁଲିସର ଘନଘନ କମ୍ବିଂ ଅପରେସନ ନକ୍ସଲଙ୍କୁ ଗାଁରେ ପଶିବାକୁ ଦେଇ ନଥିଲା। ତେଣୁ ମାଙ୍ଗଡୁଙ୍କ ଯୋଗୁଁ ହିଁ ଲୋକେ ପ୍ରଭାବିତ ହୋଇଥିବା ଅନୁମାନ କରି ନକ୍ସଲ ବହୁ ଦିନ ହେଲା ତାଙ୍କୁ ଟାର୍ଗେଟ କରିଥିଲେ। ହତ୍ୟା କରି ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ବି ସୁଯୋଗ ପାଉ ନଥିଲେ।

ବର୍ଷା ଆରମ୍ଭ ହୋଇଯାଇଥିବାରୁ ପୁଲିସର କମ୍ବିଂ ଅପରେସନର ରାତିରେ ହୋଇପାରୁ ନାହିଁ। ତେଣୁ ଏହାକୁ ସୁଯୋଗ ରୂପେ ଗ୍ରହଣ କରି ଗତକାଲି ବିଳମ୍ବିତ ରାତିରେ ୧୦ରୁ ଊର୍ଧ୍ୱ ସଶସ୍ତ୍ର ନକ୍ସଲ ଗାଁରେ ପଶିଥିଲେ। ରାତି ଅନ୍ଧାରରେ ମାଙ୍ଗଡୁଙ୍କୁ ଘରୁ ଡାକି ନେଇ ଆଖିବୁଜା ଗୁଳି ଚଳାଇଥିଲେ। ଜଙ୍ଘରେ ଗୁଳି ବାଜିବାରୁ ତଳେ ନିସ୍ତେଜ ହୋଇ ପଡ଼ିଯାଇଥିଲେ। ଅନ୍ଧାରରେ ଠିକ୍‌ ରୂପେ କିଛି ଦେଖାନଯିବାରୁ ମରି ଯାଇଥିବା ଭାବି ପୁଣି ଜଙ୍ଗଲିଆ ରାସ୍ତାରେ ଚାଲି ଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ମାଙ୍ଗଡୁଙ୍କୁ ଗ୍ରାମବାସୀ ଉଦ୍ଧାର କରି ଗୋଟିଏ ବାଇକ ଯୋଗେ ପଡ଼ିଆ ମେଡିକାଲ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ବି ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ ପରିବର୍ତନ ନଆସିବାରୁ ଆମ୍ବୁଲାନ୍‌ସ ଯୋଗେ ମାଲକାନଗିରି ମେଡିକାଲକୁ ନିଆଯାଇଥିଲା। ଡାକ୍ତର ଅସ୍ତ୍ରୋପଚାର କରି ଗୁଳି ବାହାର କରିଥିଲେ। ଶେଷ ଖବର ସୁଦ୍ଧା ତାଙ୍କ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧିତ ଖବର