ନିର୍ବାଚନ ପୂର୍ବରୁ ହିଂସା: ପୁଲିସ ଇନଫର୍ମର ସଂଦେହରେ ଜଣକୁ ହତ୍ୟା କରି ଜାଳିଦେଲେ ନକ୍ସଲ

ମାଲକାନଗିରି: ନିର୍ବାଚନ ପୂର୍ବରୁ ମାଲକାନଗିରି ଜିଲ୍ଲାରେ ନକ୍ସଲ ହିଂସା ଦେଖିବାକୁ ମିଳିଛି। ଏଭଳି ଘଟଣା ଘଟିଛି ମାଥିଲି ବ୍ଲକର ମହୁପଦର ପଞ୍ଚାୟତର କେରମିଟି ଗ୍ରାମରେ।ଗତ ଗୁରୁବାର ଦିନ ସଶସ୍ତ୍ର ନକ୍ସଲ କେରମିଟି ଗ୍ରାମରେ ପହଞ୍ଚି ଗ୍ରାମର ଆନନ୍ଦ ମାଢିଙ୍କୁ ଘରୁ ଅପହରଣ କରି ନେଇଥିଲେ। ଆନନ୍ଦକୁ ପ୍ରଜାକୋର୍ଟରେ ହାଜର କରାଯାଇଥିଲା।ଆନନ୍ଦଦ ପୁଲିସ ଇନଫର୍ମର ବୋଲି ନକ୍ସଲ ପ୍ରଜାକୋର୍ଟରେ ଆନନ୍ଦକୁ ଦୋଷୀ ସାବ୍ୟସ୍ତ କରିଥିଲେ। ପରେ ଆନନ୍ଦକୁ ନିସ୍ତୁକ ମାଡ ମାରିଥିଲେ। ଦୁଇ ଦିନ ଜଂଗଲରେ ଚଲାଇ ଚଲାଇ ବିଭିନ୍ନ ସ୍ଥାନରେ ଆନନ୍ଦକୁ ଅଟକାଇ ମାଡ ମାରିବା ସହ ମୃତ୍ୟୁଦଣ୍ଡ ଦେବା ନେଇ ନିଷ୍ପତ୍ତି ନେଇଥିଲେ।

ଶେଷରେ ଆନନ୍ଦକୁ ଅତି ନିର୍ମମ ଭାବେ ହତ୍ୟା କରି ଜଂଗଲରେ ହିଁ ପୋଡି ଦେଇଥିବା ସୂଚନା ମିଳିଛି। ତେବେ ଏନେଇ ମାଥିଲି ଆଇଆଇସି ରାମ ପ୍ରସାଦ ନାଗକୁ ପଚରାଯିବାରୁ ସେ ଏନେଇ ଖବର ପାଇଥିବା କହିବା ସହ ଏହାର ତଦନ୍ତ ଚାଲିଥିବା କହିଥିଲେ।ତେବେ ନକ୍ସଲ ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ଏଭଳି ଘଟଣା ଘଟାଇ ନିଜର ଉପସ୍ଥିତି ଜାହିର କରିବା ସହ ଲୋକଙ୍କୁ ଭୟଭିତ କରାଇବା ପ୍ରଥମ ଲକ୍ଷ୍ୟ ବୋଲି କୁହାଯାଇଛି। ତେବେ ଆଗକୁ ନକ୍ସଲ ଆହୁରି କି କି ରୂପ ଦେଖାଇବେ ତାହା ଦେଖିବାକୁ ବାକି ରହିଲା। ଗୋଟିଏ ପଟେ ଜିଲ୍ଲାରୁ ନକ୍ସଲ କମୁଥିବା ନେଇ ପୁଲିସ କହୁଥିବା ବେଳେ ନକ୍ସଲ ଏଭଳି ଘଟଣା ଘଟାଇ ନିଜର ଉପସ୍ଥିତ ରହିଥିବା ସୂଚାଉଛନ୍ତି। ନିର୍ବାଚନରେ ନକ୍ସଲ କି ଅଘଟଣ ଘଟାଇବେ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର