ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଝିରମ ଘାଟି ହତ୍ୟାକାଣ୍ଡକୁ ୧୦ ବର୍ଷ ପୁରିଲା। ଏହି ହତ୍ୟାକାଣ୍ଡର ରହସ୍ୟ ଆଜି ବି ରହସ୍ୟ ହୋଇ ରହିଯାଇଛି।କେଉଁ କାରଣରୁ ନକ୍ସଲ କଂଗ୍ରେସର ନେତା ଓ କର୍ମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ତାହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଟଣାଓଟରା ଆଜି ବି ଲାଗି ରହିଛି।ଜଣେ ଅନ୍ୟ ଜଣକୁ ଦୋଷ ଲଦି ଘଟଣାର ସତ୍ୟତା ଉପରେ ପରଦା ଉଠିପାରୁନାହିଁ। ଇତି ମଧ୍ୟରେ ୨୦୧୫ରେ ଆତ୍ମସମର୍ପଣ କରିଥିବା ମାଓନେତା ସୋନୁ ଏହି ଝିରମ ଘାଟି ହତ୍ୟାକାଣ୍ଡ ଉପରେ ପରଦା ଉଠାଇଛନ୍ତି।
୨୦୧୩ ମସିହାର ଘଟଣା। ମାଓ ସଂଗଠନ ପକ୍ଷରୁ ଝିରମ ଘାଟିରେ ସର୍ଚ୍ଚ ଅପରେସନ କରୁଥିବା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଯୋଜନା ହୋଇଥିଲା। ପାଦରେ ଚାଲି ଚାଲିଯାଉଥିବା ସୁରକ୍ଷାକର୍ମୀଙ୍କୁ ଆମ୍ବୁସରେ ଫସାଇ ସମସ୍ତଙ୍କୁ ହତ୍ୟା କରିବା ଯୋଜନା କରାଯାଇଥିଲା ବୋଲି ସୋନୁ କହନ୍ତି। ପ୍ରାୟ ୨୫୦ରୁ ଊର୍ଦ୍ଧ୍ବ ନକ୍ସଲ ଅସ୍ତ୍ରଶସ୍ତ୍ର ସହ ଝିରମ ଘାଟିରେ ଆମ୍ବୁସ ଲଗାଇ ବସିଲେ। କିନ୍ତୁ ଦୁଇ ଦିନ ସୁରକ୍ଷାକର୍ମୀମାନେ ଆସିନଥିଲେ। ତୃତୀୟ ଦିନରେ ବସରେ ସମସ୍ତ ସୁରକ୍ଷାକର୍ମୀ ଗଲେ। ତେବେ ବସରେ ଦୁଇ ଦିନ ଯିବା ଆସିବା କରିବା ନକ୍ସଲ ଦେଖିଲେ।ପରେ ପୁଣି ମାଓନେତାମାନେ ବସି ରାସ୍ତାରେ ବୋମା ଖଞ୍ଜିବାକୁ ଯୋଜନା କଲେ ଏବଂ ରାସ୍ତାରେ ୨୫ କିଲୋ ଲେଖାଏଁ ଦୁଇଟି ବୋମା ଖଞ୍ଜିଲେ।
ବସରେ ଆଉ ସୁରକ୍ଷାକର୍ମୀ ଆସିଲେ ନାହିଁ। ସବୁ ଯୋଜନା ପଣ୍ଡ ହେଉଥିଲା। ଦୀର୍ଘ ୬ ଦିନ ଧରି ନକ୍ସଲ ଝିରମ ଘାଟିରେ ଅପେକ୍ଷା କରି ରହିଥିଲେ। ସମସ୍ତ ସୁରକ୍ଷା କର୍ମୀ ଯେପରି ନବଞ୍ଚନ୍ତି, ସେଥିପାଇଁ ସମସ୍ତଙ୍କୁ ଆଲର୍ଟ କରାଯାଇଥିଲା। ଇତିମଧ୍ୟରେ ନକ୍ସଲଙ୍କୁ ଖବର ମିଳିଥିଲା ଯେ ସଲବାଜୁଡୁମର ମୁଖ୍ୟ ମହେନ୍ଦ୍ରର କର୍ମା ସୁକମା ଅଂଚଳରେ ବୈଠକ କରୁଛି। ଏହି ରାସ୍ତା ଦେଇ ସେ ଜବଦଲପୁର ଯିବ।ବାସ, ନକ୍ସଲ ପୁଣି କଂଗ୍ରେସର ଏହି ଦଳ ଉପରେ ଆକ୍ରମଣ କରିବାର ଯୋଜନା କଲେ। ସୋନୁଙ୍କ କହିବା ହେଲା ସେ ଝିରମ ଘାଟିରେ ନଥିଲେ। ତାଂକୁ ଯେପରି ସାଧାରଣ ଲୋକଙ୍କ ଗାଡି ଘାଟିକୁ ନଯାଏ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଥିଲା। ପ୍ରାୟ ଅପରାହ୍ନ ୪ଟା ବେଳେ ମହେନ୍ଦ୍ର କର୍ମାଙ୍କ ଗାଡି ସହ ଅନ୍ୟ ଗାଡିଗୁଡିକ ଝିରମ ଘାଟିରେ ଆସିଥିଲା। ନକ୍ସଲମାନେ ଅତର୍କିତ ଗାଡିଗୁଡିକ ଉପରେ ଆକ୍ରମଣ କରିଥିଲେ।
ଏହା ପୂର୍ବରୁ ଖଞ୍ଜାଯାଇଥିବା ବୋମାକୁ ବିସ୍ଫୋରଣ କରିଥିଲେ, ଯାହାଫଳରେ ରାସ୍ତା ବନ୍ଦ ହୋଇଯାଇଥିଲା। ସବୁ ଗାଡ଼ି ଗୋଟିଏ ସ୍ଥାନରେ ରହିଯାଇଥିଲେ। ନକ୍ସଲଙ୍କୁ ସୁବିଧା ହୋଇଥିଲା ଗାଡିଗୁଡିକକୁ ଘେରିବା ପାଇଁ।ସମସ୍ତ ଗାଡ଼ିର ଲୋକଙ୍କୁ ହତ୍ୟା କରିବା ସହ ମହେନ୍ଦ୍ର କର୍ମାଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରାଯାଇଥିବା ବେଳେ ଫସିଲେ କଂଗ୍ରେସ କର୍ମୀ। ସଂଗଠନର ଆଗଧାଡ଼ିର ନେତାମାନେ କିନ୍ତୁ ଏହାକୁ ବିରୋଧ କରିଥିଲେ। ମହେନ୍ଦ୍ର କର୍ମା ଛଡା ଅନ୍ୟମାନଙ୍କୁ କାହିଁକି ହତ୍ୟା କରାଗଲା ବୋଲି କୈଫିୟତ ମାଗିଥିଲେ। ଏହି ଘଟଣାକୁ ନେଇ ପରେ କ୍ଷମା ମାଗିଥିଲେ ନକ୍ସଲ। ସୋନୁ କିନ୍ତୁ ଏହା ପରେ ୨୦୧୫ରେ ଜୀବନକୁ ବାଜି ଲଗାଇ ସଂଗଠନ ଛାଡିଥିବା କହିଥିଲା। ସେ ପ୍ରଥମ କମାଣ୍ଡର ଯିଏକି ଏସଏଲଆର ବନ୍ଧୁକ ସହ ଆତ୍ମସମର୍ପଣ କରିଥିଲା। ନକ୍ସଲ ଆଜି ବି ସୋନୁକୁ ଖୋଜୁଛନ୍ତି। ସୋନୁ ଏବେ ପୁଲିସ ଏଏସଆଇ ଭାବେ କାମ କରୁଛି।ଝିରମ ଘାଟିର ରହସ୍ୟ ଏହାଥିଲା ବୋଲି ସେ କହିଥିଲେ।