ମାଲକାନଗିରି: ଜୁଲାଇ ୨୮ରୁ ଆରମ୍ଭ ହେଉଛି ମାଓବାଦୀଙ୍କ ସହିଦ ସପ୍ତାହ। ଅଗଷ୍ଟ ୩ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ସହିଦ ସାଥୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଦିବସ ପାଳିବେ ମାଓବାଦୀ। ଗାଁ ଗାଁରେ ସହିଦ ସ୍ତମ୍ଭ ନିର୍ମାଣ କରି ସାଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ମାଓ ସଂଗଠନ ଆହ୍ବାନ ଦେଇଛି। ତେବେ ସହିଦ ସପ୍ତାହ ଆରମ୍ଭ ପୂର୍ବରୁ ଆନ୍ଧ୍ର-ଓଡ଼ିଶା-ଛତିଶଗଡ଼ ସୀମା ସିଲ୍ କରିଛି ପୁଲିସ। ତିନି ରାଜ୍ୟର ପୁଲିସ ଓ ସୁରକ୍ଷାବଳ ପକ୍ଷରୁ କମ୍ବିଂ, ସର୍ଚ ଅପରେସନ୍କୁ ଜୋରଦାର କରାଯାଇଛି। ସହିଦ ସପ୍ତାହକୁ ନେଇ ମାଲକାନଗିରି ଜିଲ୍ଲାରେ ପୁଲିସ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି।
ମାଲକାନଗିରି ସୀମାକୁ ସିଲ୍ କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ନାକା ଲଗାଇଛି। ଅଜଣା ବ୍ୟକ୍ତି ଓ ଯାନବାହନ ଯାଞ୍ଚ ପରେ ଜିଲ୍ଲା ଭିତରକୁ ଛଡ଼ାଯାଉଛି। ସହିଦ ସପ୍ତାହକୁ ଅଘଟଣ ମୁକ୍ତ କରିବା ପାଇଁ ପୁଲିସ ସଜାଗ ରହିଥିବାବେଳେ ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିବାକୁ ଗୁଇନ୍ଦା ବିଭାଗକୁ ସତର୍କ କରାଯାଇଛି। ସହିଦ ସପ୍ତାହରେ ମାଓବାଦୀ ହିଂସାତ୍ମକ ହୋଇ ପୁଲିସକୁ ଟାର୍ଗେଟ୍ କରିବା ସହ ପୁଲିସ ଇନ୍ଫର୍ମର ନାଁରେ ଗାଁ ଲୋକଙ୍କୁ ହତ୍ୟା କରିଥାନ୍ତି। ସଂଗଠନ ପ୍ରତି ଗାଁ ଲୋକଙ୍କ ସମର୍ଥନ ଜିଣିବାକୁ ସହିଦ ସ୍ତମ୍ଭ ନିକଟରେ ନାଚଗୀତ କରିଥାନ୍ତି। ଆଦିବାସୀ, କୋୟା ଏବଂ ଗଣ୍ଡି ଭାଷାରେ ମାଓବାଦୀ ଲୋକଙ୍କୁ ଜଳ, ଜମି, ଜଙ୍ଗଲର ସୁରକ୍ଷା କରୁଥିବା ନେଇ ବୁଝାଇଥାନ୍ତି। ପୁଲିସ ସୀମାରେ ଥିବା ସହିଦ ସ୍ତମ୍ଭଗୁଡ଼ିକୁ ଭାଙ୍ଗିବା ସହ ସହିଦ ସପ୍ତାହରେ ଅଂଶଗ୍ରହଣ ନ କରିବାକୁ ଅନୁରୋଧ କରିଛି।